ନୂଆଦିଲ୍ଲୀ: ଦୁନିଆରେ ପୁଣି ଥରେ କରୋନାକୁ ନେଇ ଆତଙ୍କ ଖେଳିବାରେ ଲାଗିଛି । ତାଇୱାନରେ କରୋନାର ନୂଆ ଲହର ଘାତକ ହେବାରେ ଲାଗିଛି । ତାଇୱାନରେ ମାତ୍ର ସପ୍ତାହ ଭିତରେ କରୋନାରେ ସଂକ୍ରମିତ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ସାତଦିନ ମଧ୍ୟରେ ୭୨ଟି ଗୁରୁତର ମାମଲା ସାମ୍ନାକୁ ଆସିଛି ।

ଗତ ବର୍ଷ ଅକ୍ଟୋବର ମାସରୁ ତାଇୱାନରେ ୩୩୭ଟି ସ୍ଥାନୀୟ କୋଭିଡ-୧୯ ମାମଲା ସହିତ ୪୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ‘ଫୋକସ ତାଇୱାନ’ ୱେବସାଇଟ ଅନୁଯାୟୀ, ତାଇୱାନ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଏପିଡେମିକ ଇଣ୍ଟେଲିଜେନ୍ସ ସେଣ୍ଟରର ଡେପୁଟି ଡାଇରେକ୍ଟର ଲି ଚିଆ-ଲିନ୍ ଏହି ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ କରୋନା ସହ ଜଡ଼ିତ ଆଉଟପେସେଣ୍ଟ ଏବଂ ଜରୁରୀକାଳୀନ ବିଭାଗରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅଗଷ୍ଟ ୨ରୁ ୮ ତାରିଖ ମଧ୍ୟରେ ଏହି ସଂଖ୍ୟା ୨୪,୬୪୫ରେ ପହଞ୍ଚିଛି, ଯାହା ପୂର୍ବ ସପ୍ତାହ ତୁଳନାରେ ୨୭.୬% ଅଧିକ । ସାମ୍ପ୍ରତିକ ସଂକ୍ରମଣ ଅଗଷ୍ଟ ମଧ୍ୟଭାଗରୁ ଶେଷ ଭାଗ ମଧ୍ୟରେ ନିଜର ପିକ୍ ଛୁଇଁବ ବୋଲି ଅନୁମାନ କରାଯାଉଛି ।

ବୟସ୍କ ବ୍ୟକ୍ତିମାନେ ଏବେ ବି ସଂକ୍ରମଣର ଅଧିକ ଶିକାର ହେବାର ଆଶଙ୍କାରେ ଅଛନ୍ତି । ଗତ ଅକ୍ଟୋବରରୁ ରେକର୍ଡ କରାଯାଇଥିବା ଗୁରୁତର ମାମଲାଗୁଡ଼ିକ ମଧ୍ୟରୁ ୭୩.୯% ହେଉଛନ୍ତି ୬୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତି । ୮୪% ବ୍ୟକ୍ତିଙ୍କର ପୂର୍ବରୁ କୌଣସି ଦୀର୍ଘକାଳୀନ ରୋଗ ଥିଲା ଏବଂ ପ୍ରାୟ ୯୦% ବ୍ୟକ୍ତି କୋଭିଡ-୧୯ ଟିକା ନେଇ ନଥିଲେ ।

ରିପୋର୍ଟ ଅନୁଯାୟୀ, ବିଶ୍ୱସ୍ତରରେ ୟୁରୋପ ଏବଂ ଆଫ୍ରିକାର କିଛି ଭାଗରେ କୋଭିଡ-୧୯ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଚୀନ୍, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନରେ ସଂକ୍ରମଣ ବୃଦ୍ଧି ପାଇଛି ।