ମୁମ୍ୱାଇ: ଟି-୨୦ ମୁମ୍ବାଇ ୨୦୨୬ର ଫାଇନାଲ୍ ମ୍ୟାଚ୍ ବେଶ୍ ରୋମାଞ୍ଚକର ରହିଥିଲା । ମ୍ୟାଚ୍‌ର ଶେଷ ମୁହୂର୍ତ୍ତରେ ଆର୍କ୍ସ ଅନ୍ଧେରୀ ଏବଂ ମରାଠା ରୟାଲ୍ସର ଖେଳାଳିମାନଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଅମ୍ପାୟାର ଏବଂ ଅନ୍ୟ ଖେଳାଳିମାନଙ୍କୁ ଆସି ସମାଧାନ କରିବାକୁ ପଡ଼ିଥିଲା ।

ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଉଥିଲା । ଦ୍ୱିତୀୟ ଇନିଂସର ୧୯ତମ ଓଭରରେ ଅନ୍ଧେରୀ ଦଳର ବ୍ୟାଟର ଗୌରବ ଜଠାର ଏବଂ ରୟାଲ୍ସ ଦଳର ଖେଳାଳି ରୋହନ ରାଜେଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା, ଯାହାଫଳରେ ପଡ଼ିଆ ଭିତରେ ବେଶ୍ ଡ୍ରାମା ଦେଖିବାକୁ ମିଳିଥିଲା ।

୧୯ତମ ଓଭରର ଦ୍ୱିତୀୟ ବଲ୍‌ରେ ଗୌରବ ଜଠାର ଏକ ଛକା ମାରିଥିଲେ । ପରବର୍ତ୍ତୀ ବଲ୍‌ରେ ଇରଫାନ୍ ଉମୈର ତାଙ୍କୁ ଆଉଟ୍ କରିଥିଲେ । ଗୌରବ ପ୍ୟାଭିଲିୟନ୍ ଫେରିବା ବେଳେ ଡଗ୍‌ଆଉଟ୍ ବାହାରେ ଫିଲ୍ଡିଂ କରୁଥିବା ରୋହନ ରାଜେଙ୍କ ସହ ତାଙ୍କର କଥା କଟାକଟି ଆରମ୍ଭ ହୋଇଯାଇଥିଲା । ପ୍ରଥମେ ଚତୁର୍ଥ ଅମ୍ପାୟାର ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ତଥାପି, ସେମାନେ ପରସ୍ପର ପାଖକୁ ଆସି ଯୁକ୍ତି କରିବାକୁ ଲାଗିଥିଲେ । ଏହାପରେ ଆର୍କ୍ସ ଅନ୍ଧେରୀର ପୂରା ଦଳ ପଡ଼ିଆକୁ ଆସି ଦୁହିଁଙ୍କୁ ଅଲଗା କରିଥିଲେ । ଅନ୍ୟପଟେ ମରାଠା ରୟାଲ୍ସର ଖେଳାଳିମାନେ ମଧ୍ୟ ଆସି ରୋହନ ରାଜେଙ୍କୁ ସେଠାରୁ ଦୂରେଇ ନେଇଥିଲେ ।

ଶେଷ ଓଭରରେ ଜିତିଲା ମରାଠା ରୟାଲ୍ସ

ସିଦ୍ଧେଶ ଲାଡ୍‌ଙ୍କ କ୍ୟାପ୍ଟେନ୍ସିରେ ମରାଠା ରୟାଲ୍ସ ଏହି ଟାଇଟଲ୍ ନିଜ ନାମରେ କରିଛି । ଦଳ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ୍ ହରାଇ ୧୫୪ ରନ୍ କରିଥିଲା । ଦଳ ପକ୍ଷରୁ ଚିନ୍ମୟ ରାଜେଶ ସୁତାର ସର୍ବାଧିକ ୬୧ ରନର ପାଳି ଖେଳିଥିଲେ । ଜବାବରେ ଅନ୍ଧେରୀ ଦଳ ୮ ଉଇକେଟ୍ ହରାଇ ମାତ୍ର ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଷ ୨ ଓଭରରେ ଆର୍କ୍ସ ଅନ୍ଧେରୀକୁ ଜିତିବା ପାଇଁ ୨୪ ରନ୍ ଆବଶ୍ୟକ ଥିଲା । ୧୯ତମ ଓଭରରେ ୧୧ ରନ୍ ହୋଇଥିବା ବେଳେ ଶେଷ ଓଭରରେ ରୋହନ ରାଜେ ବୋଲିଂ କରିବାକୁ ଆସିଥିଲେ । ସେ ଏହି ଓଭରରେ ମାତ୍ର ୫ ରନ୍ ଦେଇଥିଲେ । ଏହାପରେ ମରାଠା ରୟାଲ୍ସ ୮ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା ।