ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗଏ ପାରମେଲିନ୍ ୫ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଏହି ସମୟରେ ଭାରତ ଓ ସ୍ୱିଜର ଲ୍ୟାଣ୍ଡ ମଧ୍ୟରେ ବାଣିଜ୍ୟ, ନିବେଶ, ଉର୍ଜା ଓ ପ୍ରଯୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ବୁଝାମଣା ହେବାର ସମ୍ଭାବନା ରହିଛି। ବିଦେଶ ମନ୍ତ୍ରାଳୟ ଗୁରୁବାର ଏହି ସୂଚନା ଦେଇଛି। ମନ୍ତ୍ରାଳୟ ଅନୁସାରେ ରାଷ୍ଟ୍ରପତିଙ୍କ ସହ ବରିଷ୍ଠ ଅଧିକାରୀ ଓ ଉଦ୍ୟୋଗପତିଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ରାଷ୍ଟ୍ରପତି ପାରମେଲିନଙ୍କ ଚଳିତବର୍ଷ ଏହା ଦ୍ୱିତୀୟବାର ଭାରତ ଗସ୍ତକାର୍ଯ୍ୟକ୍ରମ।

ଭାରତର ରାଷ୍ଟ୍ରପତି ୨୦୧୯ ମସିହାରେ ସ୍ୱିଜରଲ୍ୟାଣ୍ଡ ଯାତ୍ରା କରିଥିଲେ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୬ ଓ ୨୦୧୮ରେ ସ୍ୱିଜରଲ୍ୟାଣ୍ଡ ଯାତ୍ରା କରିଥିଲେ। ବିଦେଶ ମନ୍ତ୍ରାଳୟ ସୂଚନା ଅନୁସାରେ ଅକ୍ଟୋବର ୫ ତାରିଖରେ ପାରମେଲିନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ ସେମାନେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତି, ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷୀୟ ସହଯୋଗରେ ହୋଇଥିବା ପ୍ରଗତି ସମୀକ୍ଷା କରିବେ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପାରମେଲିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ। ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ରାଷ୍ଟ୍ରପତି ପାରମେଲିନଙ୍କୁ ଭେଟିବେ।

ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏଥି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଅକ୍ଟୋବର ୭ ତାରିଖରେ ଭାରତ-ଇଏଫଟିଏ ମୁକ୍ତ ବାଣିଜ୍ୟ ବୁଝାମଣା ଲାଗୁ ହେବାର ପ୍ରଥମ ବାର୍ଷିକ ପାଳନ କରିବ। ଇଏଫଟିଏ ରେ ସ୍ୱିଜରଲ୍ୟାଣ୍ଡ ସହିତ ନରୱେ, ଆଇସଲ୍ୟାଣ୍ଡ ଓ ଲିଞ୍ଚେଟେନ ଆଦି ଦେଶ ମଧ୍ୟ ସାମିଲ ଅଛନ୍ତି। ଏହି ଗସ୍ତକାଳରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଇଣ୍ଡିଆ-ଇଏଫଟିଏ ସମୃଦ୍ଧି ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଉଲ୍ଲେଖଯୋଗ୍ୟ ଯେ ଇଏଫଟିଏରେ ସ୍ୱିଜରଲ୍ୟାଣ୍ଡ ସବୁଠୁ ବଡ଼ ବାଣିଜ୍ୟିକ ଓ ନିବେଶ ଭାଗିଦାର ରହିଛି।