ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି । ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ । ଏଥି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ ।

ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି । ଏଥି ସହ ଚଳିତ ଖରିଫ ବିପଣନ ଋତୁରେ ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତ୍ୟେକ ପଞ୍ଜିକୃତ ଜମିର ତିନି ପର୍ଯ୍ୟାୟରେ ସର୍ଭେ କରାଯାଇ ଏହାର ବୈଧତା ଯାଞ୍ଚ କରାଯାଉଛି । ଏଥି ନିମନ୍ତେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋର ସହାୟତା ନିଆଯାଉଛି।ଉପଗ୍ରହ ଭଳି ବୈଷୟିକ ବିଦ୍ୟାର ଉପଯୋଗ କରାଯାଇ ଧାନକିଣାରେ ସ୍ୱଚ୍ଛତା ଅଣାଯିବା ସହ ପ୍ରକୃତ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ପାରୁଛି ।