ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ । ଜଣେ ରୋଗୀ ଯେତେବେଳେ ହସ୍ପିଟାଲକୁ ଯାଏ, ଆଶା ଥାଏ ମଣିଷ ରୂପରେ ଭଗଭାନ ତାଙ୍କୁ ନୂଆ ଜୀବନ ଦେଇପାରିବେ । କିନ୍ତୁ ଯଦି ଜଣେ ଡାକ୍ତର ହିଁ, ରୋଗୀର ମରଣ ପାଇଁ ଦାୟୀ ହୁଏ, ତେବେ ଦୋଷ କାହାକୁ ଦେବେ ? ଟିକିଏ ଭୁଲ ପାଇଁ ଜଣେ ରୋଗୀର ଯଦି ଜୀବନ ଚାଲିଯାଏ ତେବେ ଦାୟୀ କିଏ ? ବେଳେ ବେଳେ ଜୀବନ ବଞ୍ଚିଗଲେ ବି ଜଣେ ରୋଗୀ ମରି ମରି ବଞ୍ଚିବାକୁ ବାଧ୍ୟ ହୁଏ । ସେମିତି ଏକ ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଜଣେ ରୋଗୀଙ୍କ ବାମ କିଡନୀରେ ସମସ୍ୟା ଥିଲା କିନ୍ତୁ ସର୍ଜନ ତାଙ୍କର ଡାହାଣ ଏବଂ ସୁସ୍ଥ କିଡନୀକୁ ବାହାର କରିଦେଇଥିଲେ । ଫଳରେ କଷ୍ଟ ପାଇ ପାଇ ରୋଗୀଙ୍କ ଜୀବନ ଚାଲିଯାଇ ।

ଏହି ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣାଟି ଡାକ୍ତରଙ୍କ ଚରମ ଅବହେଳାକୁ ଦର୍ଶାଉଛି । ଜଣେ ସର୍ଜନ ଭୁଲବଶତଃ ରୋଗୀଙ୍କର ସୁସ୍ଥ କିଡନୀ ବାହାର କରିଦେଇଥିଲେ। ଜାତୀୟ ଗ୍ରାହକ ବିବାଦ ସମାଧାନ ଆୟୋଗ (NCDRC) ଏହି ମାମଲାରେ ମେ’୧୮ରେ ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତି ଦେବୀ ନାମକ ଜଣେ ୫୬ ବର୍ଷୀୟା ମହିଳାଙ୍କ ସହ ଏହି ଘଟଣା ଘଟିଛି। ଏପ୍ରିଲ ୨୦୧୨ ରେ, ତାଙ୍କର ଡାହାଣ କିଡନୀରେ 'ହାଇଡ୍ରୋନେଫ୍ରୋସିସ୍'  ରୋଗ ଚିହ୍ନଟ ହୋଇଥିଲା। ଅପରେସନ୍ ପୂର୍ବରୁ ହୋଇଥିବା ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ଇମେଜିଙ୍ଗ୍ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଥିଲା ଯେ, ତାଙ୍କର ଡାହାଣ କିଡନୀଟି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା ଏବଂ ବାମ କିଡନୀଟି ସମ୍ପୂର୍ଣ୍ଣ ସୁସ୍ଥ ଥିଲା।

ଯୋଜନା ଅନୁଯାୟୀ ଡାହାଣ କିଡନୀ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଜୁନ୍ ୨୦୧୨ ରେ (ଅପରେସନ୍ ପରେ) କରାଯାଇଥିବା ସିଟି ସ୍କାନରୁ ଜଣାପଡ଼ିଲା ଯେ, ତାଙ୍କର ସେହି ଖରାପ ଡାହାଣ କିଡନୀଟି ଶରୀର ଭିତରେ ଏବେ ମଧ୍ୟ ରହିଛି, କିନ୍ତୁ ସୁସ୍ଥ ଥିବା ବାମ କିଡନୀଟିକୁ ଡାକ୍ତର ବାହାର କରିଦେଇଛନ୍ତି।ଏହା ପରେ ରୋଗୀଙ୍କ ଶରୀରରେ କେବଳ ଅଚଳ ହୋଇପଡ଼ିଥିବା ଡାହାଣ କିଡନୀଟି ରହିଯାଇଥିଲା। ଫଳରେ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି କଷ୍ଟଦାୟକ ଡାୟାଲିସିସ୍ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥିଲା ଏବଂ ଶେଷରେ ୨୦ ଫେବୃଆରୀ ୨୦୧୪ ରେ ତାଙ୍କର ମୃତ୍ୟୁ ହୋଇଥିଲା।

NCDRC ର ସଭାପତି ଜଷ୍ଟିସ ଏପି ସାହୀ ଏବଂ ସଦସ୍ୟ ଭରତକୁମାର ପାଣ୍ଡ୍ୟାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ଡାକ୍ତରଙ୍କୁ ଚରମ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। କମିଶନ ଏହି ଭୁଲକୁ ଅତି କଠୋର ଭାଷାରେ ନିନ୍ଦା କରି ଏହାକୁ ଏକ "ମେଡିକାଲ ଡିଜାଷ୍ଟର" (ଚିକିତ୍ସା ବିପର୍ଯ୍ୟୟ) ଏବଂ ସର୍ବୋଚ୍ଚ ସ୍ତରର ଅବହେଳା ବୋଲି ଅଭିହିତ କରିଛନ୍ତି। କମିଶନ ସ୍ପଷ୍ଟ କରିଛନ୍ତି ଯେ, ଯଦି ସୁସ୍ଥ ବାମ କିଡନୀଟି ଶରୀରରେ ସୁରକ୍ଷିତ ରହିଥାନ୍ତା, ତେବେ ରୋଗୀ ଜଣକ ଅଧିକ ଦିନ ବଞ୍ଚିପାରିଥାନ୍ତେ। କିନ୍ତୁ ସୁସ୍ଥ କିଡନୀ ବାହାରିଯିବା ଏବଂ ଅନ୍ୟ କିଡନୀଟି ଅଚଳ ଥିବା ଯୋଗୁଁ ରୋଗୀଙ୍କ ବଞ୍ଚିବାର କୌଣସି ଆଶା ନଥିଲା।

ପରିବାର ପକ୍ଷରୁ କ୍ଷତିର କୌଣସି ସଠିକ୍ ହିସାବ ଦିଆଯାଇ ନଥିଲା, ତଥାପି ରୋଗୀଙ୍କ ବୟସ (୫୬ ବର୍ଷ), ସେ ସହିଥିବା ଅସହ୍ୟ ଯନ୍ତ୍ରଣା, ପରିବାରର କ୍ଷତି ଏବଂ ଡାକ୍ତରଙ୍କ ଚରମ ଅବହେଳାକୁ ଦୃଷ୍ଟିରେ ରଖି ୨ କୋଟି ଟଙ୍କାର ବଡ଼ କ୍ଷତିପୂରଣ ରାଶି ଧାର୍ଯ୍ୟ କରାଯାଇଛି। ସେପଟେ ଅଭିଯୁକ୍ତ ସର୍ଜନ କୋର୍ଟରେ ଏକ ଅଜବ ଯୁକ୍ତି ବାଢ଼ିଥିଲେ । ସେ କହିଥିଲେ, ଶରୀରର ଡାହାଣ ପଟୁ କଟାଯାଇ ବାମ ପଟେ ଥିବା କିଡନୀକୁ ବାହାର କରିବା ଶାରୀରିକ ଗଠନ ବିଜ୍ଞାନ ଅନୁସାରେ ସମ୍ପୂର୍ଣ୍ଣ ଅସମ୍ଭବ। ତେଣୁ ସେ ଏପରି କରିଛନ୍ତି ବୋଲି ଭାବିବା ମଧ୍ୟ ଭୁଲ।

ଅସ୍ତ୍ରୋପଚାରର ସମସ୍ତ କାଗଜପତ୍ରରେ "ଡାହାଣ ପାର୍ଶ୍ୱ ନେଫ୍ରେକ୍ଟୋମି" ଅର୍ଥାତ୍ ଡାହାଣ କିଡନୀ ବାହାର କରାଯିବା କଥା ଉଲ୍ଲେଖ ଥିଲା ଏବଂ ଡାକ୍ତର ନିଜେ ଏହା ଲେଖିଥିଲେ। ବାମ କିଡନୀ ଗାୟବ ହେବା ପଛରେ ଅନ୍ୟ କୌଣସି ଚିକିତ୍ସା କିମ୍ବା ଅଲଗା ଅପରେସନର ପ୍ରମାଣ ମିଳିନଥିଲା।ଏହା ବ୍ୟତୀତ, ଉତ୍ତର ପ୍ରଦେଶ ମେଡିକାଲ କାଉନସିଲ୍ ପୂର୍ବରୁ ହିଁ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ମେଡିକାଲ ଲାଇସେନ୍ସକୁ ୨ ବର୍ଷ ପାଇଁ ବାତିଲ କରିଥିଲା। ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିବା ସହ ଡାକ୍ତର ଜଣକ କୋର୍ଟରେ ନକଲି ବା ଜାଲ୍ କେସ୍ ସିଟ୍ ଦାଖଲ କରିଥିବା ପ୍ରମାଣିତ କରିଥିଲା।