• ଫୁଟପାଥ୍ ଉପରେ ପାଦ ଚଲାଳୀଙ୍କ ହକ୍ ସଡ଼କରେ ମୋଟର ବାହନ ଯାତାୟାତଠାରୁ ଅନେକଗୁଣା ଅଧିକ ଗୁରୁତ୍ୱପୂର୍ଣ୍ଣ
  • ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି) ଓ ଅନୁଚ୍ଛେଦ ୨୧ ରେ ସମ୍ପୂର୍ଣ୍ଣ ସଂରକ୍ଷିତ
  • ଯଦି ସଡ଼କ ଅଛି ଏହା ସୁନିଶ୍ଚିତ କରିବା ଆବ ଯେ ପାଦଚଲା ପଥଚାରୀଙ୍କ ନିମନ୍ତେ ଏକ ଫୁଟପାଥ ମଧ୍ୟ ସୀମାଙ୍କିତ ହେବା ଦରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟରେ ଫୁଟପାଥରେ ଚାଲିବାର ଅଧିକାରକୁ ‘ମୌଳିକ ଅଧିକାର’ ଘୋଷଣା କରିଛନ୍ତି। କୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ୍.ନରସିମହା ଓ ଜଷ୍ଟିସ୍ ଏ.ଏସ୍. ଚନ୍ଦୁରକରଙ୍କ ପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ ଫୁଟପାଥ୍ ଉପରେ ପାଦ ଚଲାଳୀଙ୍କ ହକ୍ ସଡ଼କରେ ମୋଟର ବାହନ ଯାତାୟାତଠାରୁ ଅନେକଗୁଣା ଅଧିକ ଗୁରୁତ୍ୱପୂର୍ଣ୍ଣ। ସୁପ୍ରିମକୋର୍ଟଙ୍କ ଅନୁସାରେ ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି) (ଦେଶର କୌଣସି ସ୍ଥାନରେ ବି ଚାଲିକି ବୁଲିବାର ସ୍ୱାଧୀନତା) ଓ ଅନୁଚ୍ଛେଦ ୨୧ (ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର)ରେ ସମ୍ପୂର୍ଣ୍ଣ ସଂରକ୍ଷିତ।

ପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ସଡ଼କ ଅଛି ଏହା ସୁନିଶ୍ଚିତ କରିବା ଦରକାର ଯେ ପାଦଚଲା ପଥଚାରୀଙ୍କ ନିମନ୍ତେ ଏକ ଫୁଟପାଥ ମଧ୍ୟ ସୀମାଙ୍କିତ ହେବା ଦରକାର ଓ ଏହାର ରକ୍ଷଣାବେକ୍ଷଣ ହେବା ଆବଶ୍ୟକ। ଏହା ଏକ ଲାଗୁ କରିବା ଯୋଗ୍ୟ (ପ୍ରବର୍ତ୍ତନୀୟ) କର୍ତ୍ତବ୍ୟ ଅଟେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏକ ମୋଟର ଦୁର୍ଘଟଣା କ୍ଷତିପୂରଣ ସମ୍ପର୍କିତ ମାମଲା ସହ ସମ୍ପୃକ୍ତ, ଯେଉଁଥିରେ ଜଣେ ୫ ବର୍ଷ ବୟସ୍କ ପିଲାର ମୃତ୍ୟୁ ହୋଇଥିଲା। ପିଲାକୁ ତା ପିତା ପୂର୍ବାହ୍ନ ୯ଟା ବେଳେ ସ୍କୁଲ ନେଇ ଯାଉଥିଲେ, ସେତେବେଳେ ପଛପଟୁ ଏକ ଟ୍ୟାଙ୍କର ଲରି ସେମାନଙ୍କୁ ଧକ୍କା ଦେଇଥିଲା।

ଫଳରେ ପିଲାର ଅଣ୍ଟାରୁ ତଳକୁ ଗୁରୁତର ଆଘାତ ଲାଗିଥିଲା ଓ ଏଥି ପାଇଁ ପରେ ହସ୍ପିଟାଲରେ ପିଲାର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଯେଉଁ ସ୍ଥାନରେ ଘଟିଥିଲା ସେଠାରେ ଫୁଟପାଥ ଅଥବା ପଦଚଲା ଯାତ୍ରୀଙ୍କ କ୍ରସିଂ ନଥିଲା। ଏଣୁ ବାପାଙ୍କ ସହ ସଡ଼କ ପାର କରୁଥିବା ପିଲା ଉପରେ ଲରି ଚଢି ଯାଇଥିଲା। ସୁପ୍ରିମକୋର୍ଟ ପିଲାର ପିତାଙ୍କ କ୍ଷତିପୂରଣ ରାଶିକୁ ବଢାଇ ୧୧,୪୪,୬୨୮ ଟଙ୍କା ନିର୍ଦ୍ଧାରିତ କରିଛନ୍ତି ଓ ଏହି ରାଶି ଦୁଇ ମାସ ମଧ୍ୟରେ ପୈଠ ହେବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ଉଚ୍ଚନ୍ୟାୟାଳୟଙ୍କ ସେହି ଆଦେଶକୁ ରଦ୍ଦ କରିଦେଇଛନ୍ତି ଯେଉଁଥିରେ କ୍ଷତିପୂରଣ ବାବଦକୁ ଦିଆଯାଇଥିବା ମୂଳ ରାଶିକୁ ହ୍ରାସ କରି ଦିଆଯାଇଥିଲା।

କ୍ଷତିପୂରଣ ଲାଗି ଖୋଲିଲା ଆଇନର ଆଉ ଏକ ରାସ୍ତା
ପୀଠ କହିଛନ୍ତି ଯେ ସୀମାଙ୍କିତ ଫୁଟପାଥରେ ଚାଲିବାର ଅଧିକାର ଉଲ୍ଲଂଘନରେ ନାଗରିକଙ୍କୁ କ୍ଷତିପୂରଣ ଓ ରିଷ୍ଟୋରେସନ ପାଇବା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସାମ୍ବିଧାନିକ ଓ ଆଇନଗତ ଉପାୟର ଉପଯୋଗ କରିବାର ଅଧିକାର ରହିବ। ଏହି ଉପାୟ ମୋଟରଯାନ ଆଇନ ୧୯୮୮ ଅନୁସାରେ ଉପଲବ୍ଧ ଉପାୟଠାରୁ ସମ୍ପୂର୍ଣ୍ଣ ପୃଥକ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ନାଗରିକଙ୍କ ଏହି ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ସେମାନେ କ୍ଷତିପୂରଣ ପାଇଁ ଅଧିକାରୀଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେଇ ପାରିବେ ଓ ଏହି ରାସ୍ତା ମୋଟର ଯାନ ଅଧିନିୟମ ଅନୁସାରେ ଦାବି ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ବାହନ ଉପଯୋଗ ପୂର୍ବରୁ ଆସେ ପାଦରେ ଚାଲିବାର ଅଧିକାର
କୋର୍ଟ ଏହା ବି କହିଛନ୍ତି ଯେ ସୁରକ୍ଷିତ ଓ ଆରାମଦାୟକ ଫୁଟପାଥର ଅଭାବ ଓ ମୋଟର ବାହନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଦେଶରେ ଏକ ପୂରୁଣା ସମସ୍ୟା ହୋଇ ରହିଛି। ପୀଠ ଏହି କଥା ପ୍ରତି ଧ୍ୟାନଆକର୍ଷଣ କରିଛନ୍ତି ଯେ ଭାରତୀୟ ସହର ଓ ଉପନଗରୀୟ ଅଞ୍ଚଳର ପ୍ଲାନିଂ ପ୍ରାୟତଃ ବାହନଙ୍କ ଯାତାୟାତକୁ ଧ୍ୟାନରେ ରଖି କରାଯାଏ, ଯେଉଁଥିରେ ପାଦଚଲା ପଥିକଙ୍କ ସୁରକ୍ଷା ବିପଦରେ ପଡି ଯାଏ।

ସଡ଼କରେ ଫୁଟପାଥ ରହିବା ବାଧ୍ୟତାମୂଳକ
କୋର୍ଟ ସହର ବିକାଶ ଓ ମୋଟର ଚାଳିତ ପରିବହନ ପକ୍ଷକୁ ନଇଁବା ଉପରେ ଟିପ୍ପଣୀ କରି କହିଛନ୍ତି ଯେ ଚକ ଆବିଷ୍କାର ବହୁ ପୂର୍ବରୁ ମଣିଷ ପାଦରେ ଚାଲି ଆସୁଛି। ଅନୁଚ୍ଛେଦ ୧୯ (୧)(ଡି) ଅନୁସାରେ ଯାତାୟାତର ପ୍ରାଥମିକ ଅଧିକାର ପାଦଚଲା ପଥିକଙ୍କୁ ଦିଆଯିବା ଦରକାର। ଏହି ଅଧିକାର ବାହନ ଉପଯୋଗ ପୂର୍ବରୁ ଆସିଥାଏ। ଏଣୁ ଏଥିରେ ସୁରକ୍ଷିତ ତଥା ସୀମାଙ୍କିତ ଫୁଟପାଥକୁ ପହଞ୍ଚିବା ବାଧ୍ୟତାମୂଳକ ରୂପେ ସାମିଲ ହେବା ଆବଶ୍ୟକ।