• ମୋକଦଦ୍ଦମାରେ ବିଳମ୍ବ ୟୁଏପିଏ ଅନୁସାରେ ଜାମିନ ଲାଗି ବୈଧ କାରଣ କି ନୁହେଁ ଏ କଥାକୁ ନେଇ ମତପାର୍ଥକ୍ୟ ରହିଛି
  • ଚଳିତ ସପ୍ତାହରେ ସୁପ୍ରିମକୋର୍ଟର ଦୁଇଜଣିଆ ଜଜ୍ ଙ୍କ ଅନ୍ୟ ଏକ ପୀଠ ମୋକଦ୍ଦମାରେ ବିଳମ୍ବ କାରଣରୁ ଜଣେ ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିଛନ୍ତି
  • ଆଇନର ବିତର୍କ କେନ୍ଦ୍ରରେ ୟୁଏପିଏର ଧାରା ୪୩ ଡି(୫) ରହିଛି, ଯାହା ଜାମିନ ମଞ୍ଜୁର କରିବାରେ କଡ଼ା ସର୍ତ୍ତ ଲଗାଉଛି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ଉମର ଖାଲିଦ ଓ ସରଜିଲ ଇମାମଙ୍କ ଜାମିନକୁ ଅସ୍ୱୀକାର କରୁଥିବା ନିଜ ପୂର୍ବ ଆଦେଶର ବୈଧତା ସମୀକ୍ଷା କରିବାକୁ ଯାଉଛନ୍ତି। ଏହି ଘଟଣାକ୍ରମ ଦୁଇ ବିଚାରପତିଙ୍କ ପୀଠ ଦ୍ୱାରା ସୁପାରିଶ କରାଯିବା ପରେ ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟଙ୍କ ଦୁଇ ପରସ୍ପର ବିରୋଧୀ ନିଷ୍ପତ୍ତିରେ ଉଠାଯାଇଥିବା ପ୍ରଶ୍ନର ଜବାବ ଏକ ବଡ଼ ପୀଠ ଦ୍ୱାରା ଦିଆଯାଉ ବୋଲି ଏଥିରେ ଦାବି କରାଯାଇଛି। ଏହି ନିଷ୍ପତ୍ତି ବେଆଇନ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ (ୟୁଏପିଏ) ଅନୁସାରେ ଜାମିନ ପ୍ରସଙ୍ଗରେ ଆଧାରିତ।

ଉଭୟ ନିଷ୍ପତ୍ତିରେ ମୋକଦଦ୍ଦମାରେ ବିଳମ୍ବ ୟୁଏପିଏ ଅନୁସାରେ ଜାମିନ ଲାଗି ବୈଧ କାରଣ କି ନୁହେଁ ଏ କଥାକୁ ନେଇ ମତପାର୍ଥକ୍ୟ ରହିଛି। ଚଳିତବର୍ଷ ଜାନୁୟାରୀ ମାସରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଜଜ୍ ଙ୍କ ବେଞ୍ଚ ଉମର ଖାଲିଦ ଓ ସରଜିଲ ଇମାମଙ୍କ ଜାମିନ ନିବେଦନକୁ ଖାରଜ କରିଦେଇଥିଲେ, କାରଣ ସେମାନଙ୍କ ବିରୋଧରେ ଅଭିଯୋଗ ଆପାତତଃ ପ୍ରମାଣ ଯୋଗ୍ୟ (ପ୍ରାଇମାଫେସି) ଓ ଏହି କାରଣରୁ ମୋକଦ୍ଦମାରେ ବିଳମ୍ବକୁ ନେଇ ସେମାନଙ୍କ ତର୍କ ପର୍ଯ୍ୟାପ୍ତ ରୂପେ ମାନ୍ୟ ହୋଇ ନଥିଲା।

ତେବେ ଚଳିତ ସପ୍ତାହରେ ସୁପ୍ରିମକୋର୍ଟର ଦୁଇଜଣିଆ ଜଜ୍ ଙ୍କ ଅନ୍ୟ ଏକ ପୀଠ ମୋକଦ୍ଦମାରେ ବିଳମ୍ବ କାରଣରୁ ଜଣେ ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିଛନ୍ତି। ଏହି ଜାମିନ ନିବେଦନ ଶୁଣାଣିରେ ବେଞ୍ଚ ଜାନୁୟାରୀରେ ଉମର ଖାଲିଦ ଓ ସରଜିଲ ଇମାମଙ୍କ ଜାମିନକୁ ଅଗ୍ରାହ୍ୟ କରାଯିବା ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି। ଏହି ଦୁଇ ନିଷ୍ପତ୍ତି ମଧ୍ୟରେ ବିରୋଧାଭାସ ତୃତୀୟ ପୀଠକୁ ଏହି ସୁପାରିଶ କରିବାକୁ ପ୍ରେରିତ କରିଛି ଯେ ଏହି ଆଇନଗତ ପ୍ରଶ୍ନର ସମାଧାନ ଏକ ବଡ଼ ପୀଠ ଦ୍ୱାରା ହେଉ।

ଏହି ପ୍ରସଙ୍ଗ ସେତେବେଳେ ଉଠିଲା ଯେତେବେଳେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ପୀଠ ଯେଉଁଥିରେ ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ୍ ଉଜ୍ୱଳ ଭୂୟାଁ ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଜାମିନ ଦେବାକୁ ମନା କରିବା ଓ ୟୁଏପିଏ ମାମଲାରେ ନାର୍କୋ ଆତଙ୍କବାଦ ଅଭିଯୁକ୍ତ ସୈୟଦ ଇଫ୍ତଖାର ଆନ୍ଦ୍ରାବୀକୁ ଜାମିନ ଦେବା ନିଷ୍ପତ୍ତିର ବୈଧତା ଉପରେ ପ୍ରଶ୍ନ ଉଠାଇଛି। ୧୯ ମେରେ ହୋଇଥିବା ଶୁଣାଣିରେ ଜଷ୍ଟିସ୍ ନାଗରତ୍ନାଙ୍କ ପୀଠ ଏହି ରାୟ ଦେଇଛନ୍ତି ଯେ ୟୁଏପିଏ ମାମଲାରେ ମଧ୍ୟ ଜାମିନ ନିୟମ ରହିବା ଉଚିତ।

ପୀଠ ଏହା ବି ଟିପ୍ପଣୀ କରିଛନ୍ତି ଯେ ଉମର ଖାଲିଦକୁ ଜାମିନ ଅସ୍ୱୀକାର କରିବାର ଆଦେଶ ୟୁନିୟନ ଅଫ ଇଣ୍ଡିଆ ବନାମ କେ.ଏ.ନଜିବ ମାମଲାରେ ନିର୍ଦ୍ଧାରିତ ସିଦ୍ଧାନ୍ତ ସହ ଅସଙ୍ଗତ ପ୍ରତୀତ ହେଉଛି। ଯେଉଁଥିରେ ଏହା ସ୍ୱୀକାର କରାଯାଇଥିଲା ଯେ ଆଇନର କଠୋର ଜାମିନ ସର୍ତ୍ତ ସତ୍ତ୍ୱେ ମୋକଦ୍ଦମାରେ ଦୀର୍ଘ ବିଳମ୍ବ ୟୁପିଏ ମାମଲାରେ ଜାମିନ ଦେବାକୁ ଉଚିତ ମନେ କରେ। ଏଥି ମଧ୍ୟରେ ଅତିରିକ୍ତ ସୋଲିସିଟର ଜେନେରାଲ ଏସ.ଭି. ରାଜୁ କୋର୍ଟଙ୍କୁ ଏହି ମାମଲାକୁ କୋର୍ଟର ଏକ ବଡ଼ ବେଞ୍ଚକୁ ପଠାଇବାକୁ ଆଗ୍ରହ କରି ତର୍କ ଦେଇଛନ୍ତି ଯେ ୟୁପିଏର କଠୋର ଜାମିନ ମାନକ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ବ୍ୟକ୍ତି ସ୍ୱାଧୀନତାର ଅଧିକାରକୁ ଉଲ୍ଲଂଘନ କରେ ନାହିଁ। ସେ ତର୍କ ଦେଇଛନ୍ତି ଯେ ‘ଜାମିନ, ଜେଲ ନୁହେଁ’ ସିଦ୍ଧାନ୍ତ ଆତଙ୍କବାଦ ବିରୋଧୀ ଆଇନ ଅନୁସାରେ ରୁଜୁ ମାମଲା ସବୁ ଅଭିଯୁକ୍ତଙ୍କ ଲାଗି ସମାନ ଲାଗୁ ହୁଏ ନାହିଁ।

ଆଇନର ବିତର୍କ କେନ୍ଦ୍ରରେ ୟୁଏପିଏର ଧାରା ୪୩ ଡି(୫) ରହିଛି, ଯାହା ଜାମିନ ମଞ୍ଜୁର କରିବାରେ କଡ଼ା ସର୍ତ୍ତ ଲଗାଉଛି। ଚଳିତବର୍ଷ ଜାନୁୟାରୀ ୫ ତାରିଖରେ ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଏନ.ଭି ଅଞ୍ଜାରୀଙ୍କ ସୁପ୍ରିମକୋର୍ଟ ବେଞ୍ଚ ପୁଣି ଥରେ ତାଙ୍କୁ ନିୟମିତ ଜାମିନ ଦେବାକୁ ମନା କରିଦେଇଥିଲେ। ତେବେ ଏହି ବେଞ୍ଚ ଗୁଲଫିସା ଫାତିମାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଜାମିନ ଦେଇଥିବା ବେଳେ ଖାଲିଦଙ୍କୁ ବର୍ଷକ ପରେ ପୁଣି ଥରେ ଜାମିନ ନିବେଦନ ଉପସ୍ଥାପନ କରିବାକୁ ଅନୁମତି ଦେଇଥିଲେ। ଏହି ଘଟଣାକ୍ରମ ସେହିଦିନ ସାମ୍ନାକୁ ଆସିଛି ଯେଉଁଦିନ ଦିଲ୍ଲୀ ହାଇକୋର୍ଟ ଉମର ଖାଲିଦକୁ ୩ ଦିନିଆ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ଖାଲିଦ ତାଙ୍କ ଅସୁସ୍ଥ ମାଙ୍କୁ ଭେଟି ପାରିବେ, ଯାହାଙ୍କର ହସ୍ପିଟାଲରେ ସର୍ଜରୀ ହେବାକୁ ଯାଉଛି।