ନୂଆଦିଲ୍ଲୀ ୨୦।୩: ବିବାହ ସମ୍ପର୍କିତ ଏକ ବିବାଦ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ୱାମୀଙ୍କୁ କଡା ଭର୍ତ୍ସନା କରିଛନ୍ତି। କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଆପଣ ବିବାହ କରିଥିବା ମହିଳା ଆପଣଙ୍କ ଚାକରାଣୀ ନୁହନ୍ତି। ଆପଣ କୌଣସି ଚାକରାଣୀଙ୍କୁ ବିବାହ କରୁ ନାହାନ୍ତି ବରଂ ଜଣେ ଜୀବନ ସାଥୀ ବାଛୁଛନ୍ତି। ଘର କାମରେ ଆପଣଙ୍କୁ ମଧ୍ୟ ହାତ ଦେବାକୁ ପଡିବ। କୋର୍ଟ କହିଛନ୍ତି ଯେ ଖାଦ୍ୟ ପ୍ରସ୍ତୁତ କରିବା, ବାସନ ମାଜିବା ଓ ଲୁଗା ସଫା କରିବା କାମରେ ପତ୍ନୀଙ୍କୁ ସହାୟତା କରିବାକୁ ପଡିବ। ଆଜିର ଦୁନିଆ ବଦଳି ଗଲାଣି। ପତ୍ନୀ ପତିଙ୍କ ଅର୍ଦ୍ଧାଙ୍ଗିନୀ ନୁହନ୍ତି ଜୀବନ ସାଥୀ।

ଲାଇଭ ଲ ଅନୁସାରେ କ୍ରୁରତା ଆଧାରରେ ପତ୍ନୀଙ୍କ ଠାରୁ ଛାଡପତ୍ର ଦାବି କରୁଥିଲେ ପତି। ଏଥିରେ କୋର୍ଟ କହିଛନ୍ତି ଯେ ପତ୍ନୀ ଯଦି ଘରର କାମ ଠିକରେ କରୁ ନାହାନ୍ତି ଏହା କ୍ରୁରତା କ୍ୟାଟଗରୀରେ ଆସୁ ନାହିଁ। ଏବେ ସମୟ ବଦଳି ଯାଇଛି,ପତିଙ୍କୁ ମଧ୍ୟ ପତ୍ନୀଙ୍କ କାମରେ ସହଯୋଗ କରିବାକୁ ପଡିବ। କୋର୍ଟ ପ୍ରଥମେ ଦୁଇଜଣଙ୍କୁ ମଧ୍ୟସ୍ଥତା ମାଧ୍ୟମରେ ଆପୋସ ସମାଧାନ କରିବାକୁ କହିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇ ପାରିନାହିଁ । ଏହାପରେ କୋର୍ଟ ଶୁକ୍ରବାର ସେମାନଙ୍କୁ ଆଗାମୀ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦମ୍ପତ୍ତିଙ୍କ ବିବାହ ୨୦୧୭ ମସିହାରେ ହୋଇଥିଲା। ସେମାନଙ୍କର ଗୋଟିଏ ୮ ବର୍ଷର ପୁଅଟିଏ ବି ଅଛି। ଏହି ମାମଲାରେ ପତି ଆବେଦନକାରୀ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିବାହର ମାତ୍ର ସପ୍ତାହକ ପରେ ପତ୍ନୀ ବଦଳି ଯାଇଥିଲେ ଓ ତାଙ୍କ ସହ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ମହିଳା ତାଙ୍କ ସ୍ୱାମୀଙ୍କ ମାତାପିତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଥିଲେ। ଏହାଛଡା ଯେବେ ତାଙ୍କୁ ରୋଷେଇ କରିବାକୁ କୁହାଯାଉଥିଲା ସେ ସଫାସଫା ମନା କରିଦେଉଥିଲେ।

ଶୁକ୍ରବାର ଏକ ଅନ୍ୟ ମାମଲାରେ ସୁପ୍ରିମକୋର୍ଟ ଏକ ଫେରାର ପ୍ରେମୀଯୁଗଳଙ୍କ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧକୁ ଦିଲ୍ଲୀ ହାଇକୋର୍ଟକୁ ପଠାଇ ଦେଇଛନ୍ତି। ଏହି ପ୍ରେମୀଯୁଗଳ ଓକିଲଙ୍କୁ ସୁପ୍ରିମକୋର୍ଟ ପାର୍କିଂରେ ଭେଟିଥିଲେ। ସେମାନେ ସୋସିଆଲ ମିଡିଆ ରିଲସ୍ ରେ ପ୍ରଭାବିତ ହୋଇ ସୁପ୍ରିମକୋର୍ଟକୁ ବିବାହ କରିବାକୁ ଆସିଥିଲେ। ସେମାନେ ଭାବିଥିଲେ ନ୍ୟାୟାଳୟ ପରିସରରେ ବିବାହ କଲେ ସେମାନଙ୍କୁ ସାମାଜିକ ସୁରକ୍ଷା ମିଳିଯିବ। ଭାରତର ପ୍ରଧାନ ନ୍ୟାୟାଧୀଶ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିଦେବେ। ତେବେ ଏହା ସେମାନଙ୍କ ଭ୍ରମ ବୋଲିକୋର୍ଟ କହିଛନ୍ତି ଓ ବିଚାର ପ୍ରକ୍ରିୟା ଅନୁସାରେ ଆସିବାକୁ କହିଛନ୍ତି।