ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାରେ ଥିବା ହାଇ-ପ୍ରୋଫାଇଲ୍ ‘ତ୍ବିଶା ଶର୍ମା ମୃତ୍ୟୁ ମାମଲା’ରେ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ମେ’ ୨୫ (ସୋମବାର) ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସମେତ ଏହି ଖଣ୍ଡପୀଠରେ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ ବିପୁଲ ଏମ୍. ପାଞ୍ଚୋଲି ସାମିଲ ଅଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାକୁ ‘ବିବାହିତ ମହିଳାଙ୍କ ଶାଶୁଘରେ ହୋଇଥିବା ଅସ୍ୱାଭାବିକ ମୃତ୍ୟୁରେ ସାଂସ୍ଥାଗତ ପକ୍ଷପାତିତା ଏବଂ ପ୍ରକ୍ରିୟାଗତ ଅନିୟମିତତାର ଅଭିଯୋଗ’ (Institutional bias and procedural anomalies in the unnatural death of a young woman in her matrimonial home) ନାମରେ ପଞ୍ଜିକୃତ କରିଛନ୍ତି।

ମଧ୍ୟପ୍ରଦେଶର ଏହି ହାଇ-ପ୍ରୋଫାଇଲ୍ ତ୍ବିଶା ଶର୍ମା ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ କ୍ରମାଗତ ଭାବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ମାମଲାରେ ଏଭଳି ସଂଗୀନ ଅଭିଯୋଗ ଆସିଛି ଯେ, ନ୍ୟାୟପାଳିକାର କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ପୋଲିସ ତଦନ୍ତ ସଠିକ୍ ଏବଂ ନିରପେକ୍ଷ ଭାବେ ଚାଲୁନାହିଁ। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଅନୁଭବ କରିଛନ୍ତି ଯେ, ଏଭଳି ଅଭିଯୋଗ କାରଣରୁ ସାଧାରଣ ଜନତାଙ୍କ ମଧ୍ୟରେ ନ୍ୟାୟପାଳିକାର ସ୍ୱଚ୍ଛତା ଓ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି।

ସିଜେଆଇଙ୍କ ମତରେ, ଏହି ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଏବଂ ଲୋକଙ୍କ ଆସ୍ଥା ବଜାୟ ରଖିବା ପାଇଁ କୌଣସି ଏକ ସ୍ୱାଧୀନ ଏବଂ ନିରପେକ୍ଷ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଏହାର ତଦନ୍ତ କରାଯିବା ଜରୁରୀ। ଏହାଦ୍ୱାରା କୌଣସି ପକ୍ଷପାତିତା ନକରି ମାମଲାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ରେଜିଷ୍ଟ୍ରିକୁ ଆସନ୍ତା ସୋମବାର ଦିନ ଖଣ୍ଡପୀଠଙ୍କ ସମ୍ମୁଖରେ ଶୁଣାଣି ପାଇଁ ତାଲିକାଭୁକ୍ତ (List) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ହେବାକୁ ଥିବା ଶୁଣାଣି ଉପରେ ଏବେ ସାରା ଦେଶର ନଜର ରହିଛି, ଯେଉଁଠାରେ ସୁପ୍ରିମକୋର୍ଟ ତଦନ୍ତର ଦାୟିତ୍ୱ କୌଣସି ସ୍ୱାଧୀନ ଏଜେନ୍ସିକୁ ହସ୍ତାନ୍ତର କରିବା ନେଇ ବଡ଼ ନିଷ୍ପତ୍ତି ଶୁଣାଇ ପାରନ୍ତି।