ନୂଆଦିଲ୍ଲୀ ୨୩।୩: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ (ଆରକମ) ସମ୍ପର୍କିତ ବ୍ୟାଙ୍କ ଠକେଇ ମାମଲାରେ ସୁପ୍ରିମକୋର୍ଟ ସୋମବାର ତଦନ୍ତକାରୀ ସଂସ୍ଥାଙ୍କୁ ଚେତାବନୀ ଦେଇଛନ୍ତି। କୋର୍ଟ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ମାମଲାରେ ମିଳିତ କାମ କରିବାକୁ କହିବା ସହିତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ ପୁରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେହେତୁ କୋର୍ଟ କହି ପାରିବେନି କାହାକୁ ଗିରଫ କରାଯିବ, ମାମଲାର ଯାଞ୍ଚରେ ତତ୍ପରତା ଅଭାବ କିନ୍ତୁ ଗ୍ରହଣୀୟ ନୁହେଁ ଏହା ‘ଅସ୍ୱୀକାର୍ଯ୍ୟ’।

କୋର୍ଟ କହିଛନ୍ତି ଯେ ଯାଞ୍ଚରେ ନା କେବଳ ଆମର ଜନତାଙ୍କର ମଧ୍ୟ ଭରସା ରହିବା ଦରକାର। ହେଲେ ଏଜେନ୍ସୀ ଯେପରି ଅନିଚ୍ଛା ପ୍ରକାଶ କରୁଛନ୍ତି ତାହା ଅସ୍ୱୀକାର୍ଯ୍ୟ। ଏଥିରେ ସୁପ୍ରିମକୋର୍ଟ ଇଡିଙ୍କୁ ଯଦି କୌଣସି ରାଜ୍ୟ ପ୍ରାଧିକରଣ ଅଥବା ସଂସ୍ଥା ତଦନ୍ତରେ ସହଯୋଗ କରୁନଥାନ୍ତି ତେବେ ତାହା ସୂଚିତ କର ବୋଲି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ଆଦେଶରେ ଉଭୟ ତଦନ୍ତକାରୀ ସଂସ୍ଥାଙ୍କ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛନ୍ତି। ପୀଠ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାଙ୍କୁ ଅଧିକାରୀଙ୍କ ସହିତ ସମନ୍ୱୟ ରଖିବାକୁ ପଡିବ ଓ ମାମଲାର ମୂଳ ପର୍ଯ୍ୟନ୍ତ ଯିବାକୁ ପଡିବ। ଏଣୁ ତଦନ୍ତ ନିରପେକ୍ଷ ଓ ସ୍ୱତନ୍ତ୍ର ଭାବେ ହେବା ଆବଶ୍ୟକ।

ଏଣୁ କୋର୍ଟ ସବୁ ସମ୍ପର୍କିତ ଆର୍ଥିକ ସଂସ୍ଥାଙ୍କୁ ଇଡିଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୌଣସି ପ୍ରକାରର ଅନିଚ୍ଛା ଅଥବା ଅସହଯୋଗ ସ୍ଥିତିରେ ଏଜେନ୍ସୀଙ୍କୁ ରିପୋର୍ଟ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏଥିରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଇଡି ଅଧିକାରୀଙ୍କ ଏକ ବିଶେଷ ଯାଞ୍ଚ ଟିମ୍ (ଏସଆଇଟି) ଗଠନ ହୋଇଛି। ଏହି ଏସଆଇଟି ଦ୍ୱାରା ଏପର୍ଯ୍ୟନ୍ତ ୪ଟି ଗିରଫଦାରୀ ମଧ୍ୟ ହେଲାଣି। ଏସଜି ମେହେଟ୍ଟା କହିଛନ୍ତି ଯେ ଆମେ କାହାରିକୁ ମନଇଛା ଗିରଫ କରିପାରିବା ନାହିଁ ଓ ଏ ପର୍ଯ୍ୟନ୍ତ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ ହେଲାଣି। ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ ଅଧିକାରୀ କଡ଼ା ପଦକ୍ଷେପ ଗ୍ରହଣ କରିବେ ଓ ସତ କଣ ଜାଣିବା ପାଇଁ ସାମାନ୍ୟତମ ଅବହେଳା କରିବେ ନାହିଁ।

ତେବେ ଆବେଦନକାରୀଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ତର୍କ ଦେଇଛନ୍ତି ଯେ ଗୁରୁତର ଯାଞ୍ଚ ସତ୍ୱେ ଏ ପର୍ଯ୍ୟନ୍ତ କେବଳ କିଛି ଅଧସ୍ଥନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପୂର୍ବରୁ ଏକ ରିପୋର୍ଟରେ ଧନ ହେରାଫେରିର ସଂକେତ ଦେଇଥିଲେ। ଏହା ସତ୍ତ୍ୱେ ଯେପରି ଆଶା କରାଯାଉଥିଲା ସେପରି କୌଣସି ବଡ଼ ଗିରଫଦାରୀ ହୋଇ ନାହିଁ। ତର୍କ ଉପରେ ଧ୍ୟାନ ଦେଇ ସୁପ୍ରିମକୋର୍ଟ ଇଡିଙ୍କୁ ଆର୍ଥିକ ସଂସ୍ଥାଙ୍କଠାରୁ ସୂଚନା ସଂଗ୍ରହ ଓ ଆବଶ୍ୟକତା ପଡିଲେ ଅପଡେଟ୍ ପ୍ରସ୍ତୁତ କରିବାକୁ କହିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ।