ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏନ୍‌ସିଇଆର୍‌ଟିର ଅଷ୍ଟମ ଶ୍ରେଣୀର ବିବାଦୀୟ ନ୍ୟାୟପାଳିକା ଅଧ୍ୟାୟ ସହ ଜଡ଼ିତ ତିନି ଶିକ୍ଷାବିତ୍‌ଙ୍କ ବିରୁଦ୍ଧରେ ଦେଇଥିବା ନିଜ ପୁରୁଣା ଆଦେଶକୁ ଫେରାଇ ଦେଇଛନ୍ତି । କୋର୍ଟ ଏହି ଶିକ୍ଷାବିତ୍‌ଙ୍କୁ ସରକାରୀ ଏବଂ ସାର୍ବଜାନୀନ ଶିକ୍ଷା ସଂସ୍ଥାର ଏକାଡେମିକ୍ ପରିଯୋଜନାରୁ ଦୂରେଇ ରଖିବା ନେଇ ନିଜ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ବିପୁଲ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଫେସର ମିଶେଲ ଡେନିନୋ, ସୁପର୍ଣ୍ଣା ଦିବାକର ଓ ଆଲୋକ ପ୍ରସନ୍ନା କୁମାର ଆବେଦନ ଉପରେ ଶୁଣାଣି ପରେ ଏହି ରାୟ ଦିଆଯାଇଛି । ଏହି ତିନି ଶିକ୍ଷାବିତ୍ ସୁପ୍ରିମକୋର୍ଟଙ୍କୁ ମାର୍ଚ୍ଚ ୧୧ରେ ଦେଇଥିବା ନିଜ ରାୟକୁ ଫେରାଇ ନେବା ପାଇଁ ନିବେଦନ କରିଥିଲେ ।

ସୁପ୍ରିମକୋର୍ଟ ନିଜର ପୁରୁଣା ରାୟରେ କହିଥିଲେ, 'ଏହି ଶିକ୍ଷାବିତ୍ ଜାଣିଶୁଣି ତଥ୍ୟକୁ ଭୁଲ ଭାବରେ ଉପସ୍ଥାପନା କରିଥିଲେ ଏବଂ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସାମନାରେ ଭାରତୀୟ ନ୍ୟାୟପାଳିକାର ନକାରାତ୍ମକ ଛବି ଦେଖାଇବାକୁ ପ୍ରୟାସ କରିଛନ୍ତି ।' ସର୍ବୋଚ୍ଚ ଅଦାଲତ ଏବେ ନିଜର ଏହି ଟିପ୍ପଣୀକୁ ହଟାଇ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ ସ୍ୱୀକାର କରିଛନ୍ତି ଯେ ଅଧ୍ୟାୟ ପ୍ରସ୍ତୁତ କରିବା ସମୟରେ କୌଣସି ଖରାପ ଭବନା ନଥିଲା ଏବଂ ସାମୁହିକ ନିଷ୍ପତ୍ତି ପରେ ପ୍ରକାଶ ପାଇଥିଲା । ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଶିକ୍ଷାବିତ୍‌ଙ୍କୁ କୌଣସି ଏକାଡେମୀ କାମରେ ଯୋଡ଼ିବା ଉପରେ ନିଜ ନିଷ୍ପତ୍ତି ନେଇପାରିବେ ।

ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ କୋର୍ଟରେ କହିଥିଲେ, ଶିକ୍ଷାବିତ୍‌ଙ୍କ ପକ୍ଷ ନ ଶୁଣି ମାର୍ଚ୍ଚରେ ରାୟ ଦିଆଯାଇଥିଲା । ସେ କହିଥିଲେ ଯେ ଏହା କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ସାମଗ୍ରୀ ନ ଥିଲା, ବରଂ ସାମୁହିକ ଭାବେ ପ୍ରସ୍ତୁତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ କହିଥିଲେ, ନ୍ୟାୟପାଳିକା ଉପରେ ଏହି ଅଧ୍ୟାୟ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ପାଠକୁ ଆଗକୁ ବଢାଇବା ପାଇଁ ଥିଲା । ସେ ଯୁକ୍ତି ଦେଇଥିଲେ ଯେ ଯେତେବେଳେ ମିଡିଆରେ ନ୍ୟାୟପାଳିକା ସହ ଜଡ଼ିତ ପ୍ରସଙ୍ଗ ଉପରେ ମୁକ୍ତ ଆଲୋଚନା ହୁଏ, ସେତେବେଳେ ଛାତ୍ରଛାତ୍ରୀ ମଧ୍ୟ ବ୍ୟବସ୍ଥାର ସଠିକ୍ ଚିତ୍ର ବୁଝିବା ଦରକାର ।

ଏହା ଉପରେ ଜଷ୍ଟିସ ବାଗଚୀ କହିଥିଲେ, ବହିରେ କେବଳ ଦୁର୍ନୀତିକୁ ନ୍ୟାୟପାଳିକାର ବିଶେଷ ସମସ୍ୟା ରୂପେ ଦର୍ଶାଯାଇଥିଲା । ସେ କହିଥିଲେ ବିହରେ ଆଇନଗତ ସହାୟତା ଓ ନ୍ୟାୟପାଳିକାର ସକାରାତ୍ମକ ଭୂମିକା କଥା ଉଲ୍ଲେଖ କରାଯାଇ ନ ଥିଲା । ସୁପ୍ରିମକୋର୍ଟ ପୁନଃ କହିଥିଲେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଥିବା ସାମଗ୍ରୀ ଅନୁଚିତ ଓ ଅନାବଶ୍ୟକ ଥିଲା ।