ନୂଆଦିଲ୍ଲୀ: ଏଥର ଦୀପାବଳିରେ ବାଣ ଫୁଟାଯାଇ ପାରିବ କି ନାହିଁ ?  ଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଥିଲା। ଆଲୋକର ପର୍ବ ଦୀପାବଳିରେ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ଆଶ୍ଵସ୍ତିକର ଖବର।ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ଦୀପାବଳିରେ ସବୁଜ ବାଣ ଫୁଟାଇବାକୁ ଅସ୍ଥାୟୀ ଅନୁମତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ସାଧାରଣ ଲୋକ ନଭେମ୍ବର ୭ ଏବଂ ୮ ତାରିଖ ଦିନ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ। ହେଲେ ହସ୍ପିଟାଲ, ନର୍ସିଂହୋମ, ସ୍କୁଲ, ବୃଦ୍ଧାଶ୍ରମ ଓ ସାଇଲେନ୍ସ ଜୋନର ୩୦୦ ମିଟର ପରିଧି ଭିତରେ ବାଣ ଫୁଟା ଉପରେ ସଂପୂର୍ଣ୍ଣ କଟକଣା ଲରାଯାଇଛି।

କେବଳ CSIR-NEERI ଏବଂ PESO ଦ୍ଵାରା ପ୍ରମାଣିତ ବାଣ ପ୍ରସ୍ତୁତକାରୀ ନିର୍ମାତା ହିଁ ନଭେମ୍ବର ୨ରୁ ୬ ତାରିଖ ପର୍ଯ୍ୟନ୍ତ ସବୁଜ ବାଣ ତିଆରି କରି ପାରିବେ। ପ୍ରତିଟି ପ୍ୟାକେଟ୍ ଉପରେ ଉତ୍ପାଦ ଓ ବ୍ୟାଚର QR କୋଡ୍ ବାଧ୍ୟତାମୂଳକ ରହିବ। ବାଣର ଅନଲାଇନ ବିକ୍ରି ଓ ବେରିୟମ ବିଶିଷ୍ଟ ବାଣ ଉପରେ ରୋକ ଜାରି ରହିବ। ବାଣ ବିକ୍ରି କେବଳ ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ ସ୍ଥାନରେ ହୋଇ ପାରିବ। ବେଆଇନ ବାଣ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: ରାମ ମନ୍ଦିର ଦାନ ଚୋରି ଯାଚିକାର ସମାଧାନ କଲେ SC, ଜାଣନ୍ତୁ ଆଗକୁ କ’ଣ ହେବ ଆକ୍ସନ ?

ଆଦେଶରେ କୁହାଯାଇଛି ଯେ, ସବୁଜ ବାଣ ନଭେମ୍ବର ୨ରୁ ନଭେମ୍ବର ୬ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ପାରିବ। ବେଆଇନ ବାଣ ଫୁଟାଇବା ଏବେଂ ତାର ବିକ୍ରି ରୋକିବା ପାଇଁ ପ୍ରଶାସନଙ୍କୁ ଆଦେଶ ଦିଆଯାଇଛି। ଏହି ସମୟରେ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରାଯିବ। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କେତେ ତାର ତଥ୍ୟ ମଧ୍ୟ ସଂଗ୍ରହ କରାଯାଇ ଡିସେମ୍ବର ୧୪ ସୁଦ୍ଧା କୋର୍ଟରେ ରିପୋର୍ଟ ଦାଖଲ କରିବେ।

ସଂପୂର୍ଣ୍ଣ କଟକଣାରେ ମିଳିବନି ସମାଧାନ

ଏହା ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ସରକାର ଏବଂ କମିଶନ ଫର ଏାର କ୍ଵାଲିଟି ମ୍ୟାନେଜମେଣ୍ଟକୁ କଡ଼ା ଶବ୍ଦରେ ଭର୍ତ୍ସାନ କରିଛନ୍ତି। କାରଣ ବାଣ ବିକ୍ରି ଏବଂ ଏହାର ବ୍ୟବହାର ଉପରେ କଟକଣାକୁ ଠିକ୍ ଭାବେ ଲାଗୁ କରାଯାଇ ନ ଥିଲା। ପାର୍ବଣ ସମୟରେ ପ୍ରଦୂଷନକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ବାଣଫୁଟା ଉପରେ କଟକଣା ଲଗାଇବା ଉଚିତ୍ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।