ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୫ ହଜାର ୫୪୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୮୪୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଜିଲ୍ଲାରେ ଚିନ୍ତା ବଢ଼ିଛି।

ସ୍କ୍ରବ୍ ଟାଇଫସର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ତରରେ ସଚେତନତା ଅଭିଯାନ ଚାଲିଛି। ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ମେଡିକାଲ୍ ଟିମ୍ ଗାଁ ଗାଁ ବୁଲି ଲୋକଙ୍କୁ ରୋଗ ସମ୍ପର୍କରେ ସଚେତନ କରୁଛନ୍ତି। ବିଶେଷକରି ଜଙ୍ଗଲ କିମ୍ବା ବିଲକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀର ଢାଙ୍କି ରହିବା ଭଳି ପୋଷାକ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଥିସହ ଜ୍ୱର ହେଲେ ତାହାକୁ ଅଣଦେଖା ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟକର୍ମୀମାନେ କହୁଛନ୍ତି।

ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଥିବା ବେଳେ ରୋଗୀ ଚିହ୍ନଟ, ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଲୋକେ ସତର୍କ ରହିବା ସହ ଲକ୍ଷଣ ଦେଖାଦେଲେ ଶୀଘ୍ର ଚିକିତ୍ସା ନେବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି।