ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଆଜି ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂରେ ସବୁ ରେକର୍ଡ ଭାଙ୍ଗିଯାଇଛି। ଅଭିଷେକ ଶର୍ମା ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଛକା-ଚୌକା ବର୍ଷା କରିଥିଲେ। ମାତ୍ର ୩୦ ବଲ୍‌ରେ ଶତକ ପୂରା କରିବା ସହ ସେ 'ହିଟ୍‌ମ୍ୟାନ୍' ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥିସହିତ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ରୁତତମ ଶତକ ହାସଲକାରୀ ଭାରତୀୟ ବ୍ୟାଟର ହୋଇଛନ୍ତି ଅଭିଷେକ।

ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ କ୍ୟାପ୍ଟେନ୍ ଇବ୍ରାହିମ୍ ଜାଦ୍ରନ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ନିମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ ହରାଇ ୨୨୧ ରନ୍ କରିଛି।

ଓପନିଂ କରିବାକୁ ଆସିଥିବା ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ଛକା ଚୌକା ବର୍ଷା କରି ଆଫଗାନିସ୍ତାନ ବୋଲରଙ୍କ ଲାଇନ ଲେନ୍ଥ ସବୁ ବିଗାଡ଼ି ଦେଇଥିଲେ। ଏହି ଯୋଡ଼ି ୯.୫ ଓଭର ପର୍ଯ୍ୟନ୍ତ ବିସ୍ଫୋରକ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆର ସ୍କୋର ୧୪୫ ପର୍ଯ୍ୟନ୍ତ ନେଇଯାଇଥିଲେ। ଉଭୟଙ୍କ ମଧ୍ୟରେ ୫୯ ବଲ୍‌ରେ ୧୪୨ ରନ୍‌ର ପାର୍ଟନର୍ସିପ୍ ହୋଇଥିଲା। 

ଅଭିଷେକ ୩୪ ବଲ୍‌ରେ ୧୦୮ ରନର ଏକ ଧମାକାଦାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏଥିରେ ସେ ୯ଟି ଚୌକା ଏବଂ ୧୧ଟି ଛକା ମାରିଥିଲେ। ରସିଦ ଖାନଙ୍କ ବଲରେ ଆଉଟ୍ ହୋଇ ସେ ପାଭିଲିଅନ ଫେରିଥିଲେ। ସେହିପରି ସଞ୍ଜୁ ସାସମନ ୩୫ ବଲରେ ଦୁଇଟି ଚୌକା ଏବଂ ଚାରିଟି ଛକା ମାରି ତାଙ୍କର ଅର୍ଦ୍ଧଶତ ପୂରଣ କରିଥିଲେ। ହେଲେ ଅର୍ଦ୍ଧଶତକ ହାସଲ କରିବାର ପରେ ପରେ ଆଜମତୁଲ୍ଲା ଓମାରଜାଇ ସଞ୍ଜୁଙ୍କୁ ଆଉଟ୍ କରିଥିଲେ। 

ଓପନରମାନଙ୍କ ଆଉଟ୍ ହେବା ପରେ, ଭାରତୀୟ ମଧ୍ୟକ୍ରମ କିଛିଟା ଦୁର୍ବଳ ପ୍ରଦର୍ଶନ କରିଥିଲା। ତିଲକ ବର୍ମା ଦୁର୍ଭାଗ୍ୟବଶତଃ ମାତ୍ର ୨ ରନ କରିବା ପରେ ରନ ଆଉଟ ହୋଇଥିଲେ। ଇଶାନ କିଶାନ (ପଞ୍ଚମ ୱିକେଟ) ଏବଂ ନୀତିଶ ରେଡ୍ଡୀ (ଷଷ୍ଠ ୱିକେଟ) ଶୀଘ୍ର ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଲଗାତାର ୱିକେଟ ପତନ ସତ୍ତ୍ୱେ, ଓପନରମାନଙ୍କ ଦୃଢ଼ ଆରମ୍ଭ ଯୋଗୁ ଟିମ୍ ଇଣ୍ଡିଆ ୨୨୧ ରନର ଏକ ବିଶାଳ ସ୍କୋର କରିବାରେ ସଫଳ ହୋଇଛି। ସିରିଜ ପୂର୍ବ ଦୁଇଟି ମ୍ୟାଚରେ ପରାଜିତ ହୋଇଥିବା ଆଫଗାନିସ୍ତାନ ଗୁରୁବାର ଦିଆଯାଇଥିବା ବିଶାଳ ରନ ଟାର୍ଗେଟ୍‌କୁ କିଭଳି ପୂରା କରିବା ତାହା ଦେଖିବା ବାକି ରହିଲା।