ଲକ୍ଷ୍ନୌ, ୩୦/୦୪ : ବରଯାତ୍ରୀ ଧରି ଯାଉଥିଲା ବର । ରୋସଣୀ ସହ ବାଜୁଥିଲା ଡିଜେ । ଡିଜେ ଶବ୍ଦରେ ନାଚ କରୁଥିଲେ ବରଯାତ୍ରୀ । କିନ୍ତୁ ଗୀତ ଏବଂ ନାଚର ଶବ୍ଦ ଏବେ ବିପଦକୁ ଟାଣି ଆଣିଛି । ଡିଜେ ଶବ୍ଦରେ ଏକ କୁକୁଡା ଫାର୍ମରେ ଶହଶହ କୁକୁଡା ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ସୁଲତାନପୁରରେ ଏହି ଘଟଣା ଘଟିଛି । ଗତ ଏପ୍ରିଲ ୨୫ ତାରିଖରେ ସୁଲତାନପୁରର ବଲଦିରାୟ ଥାନା ଅଞ୍ଚଳରେ ରହୁଥିବା ବିଶ୍ୱକର୍ମାଙ୍କ ଝିଅଙ୍କ ବିବାହ ଉତ୍ସବ ଥିଲା । ବିବାହ କରିବାକୁ ପାଖରେ ଥିବା କୁଡବାର ଗାଁରୁ ବର ଏବଂ ବରଯାତ୍ରୀ ଆସିଥିଲେ । ବର ସହ ବରଯାତ୍ରୀମାନେ ପ୍ରେସସନରେ ଡିଜେ ଲଗାଇ ନାଚଗୀତ କରିଥିଲେ । ତେବେ ପ୍ରସେସନ ସବିର ଅଲ୍ଲୀଙ୍କ କୁକୁଡା ଫାର୍ମ୍ ଦେଇ ଗଲାବେଳେ ଅଘଟଣ ଘଟିଥିଲା ।

Also Read :- Exit Poll : ତାମିଲନାଡୁରେ ଜିତିଯିବ କି ବିଜୟଙ୍କ ପାର୍ଟି ? ଆକ୍ସିସ୍ ମାଇ ଇଣ୍ଡିଆ ସର୍ଭେରେ ଟିଭିକେକୁ ୧୨୦ ସିଟ୍ !

କୁହାଯାଉଛି ଯେ, ଡିଜେ ଶବ୍ଦ ଶୁଣିବା ପରେ କୁକୁଡାମାନେ ଭୟଭୀତ ହୋଇଯାଇଥିଲେ । ବିଚଳିତ ହୋଇ ୧୪୦ଟି କୁକୁଡା ପ୍ରାଣ ହରାଇଥିଲେ । ଘଟଣା ପରେ ସବିଲ ଅଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ମାମଲାକୁ ଗୁରୁତର ସହ ନେଇ ଥାନା ଅଧିକାରୀ ଭରତ ସିଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ ଡିଜେ ମାଲିକ କବି ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି ।

ପୋଲିସର କହିବାନୁସାରେ, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିଜେ ବଜାଉଥିବା ବ୍ୟକ୍ତିଙ୍କ ଭୂମିକା ଉପରେ ତଦନ୍ତ ହେଉଥିବା ସେ କହିଛନ୍ତି ।