ମୁମ୍ବାଇ: ମୁମ୍ବାଇର ମହମ୍ମଦ ଅଲ୍ଲୀ ରୋଡରେ ଥିବା ପ୍ରସିଦ୍ଧ 'ସୁଲେମାନ ଉସମାନ ବେକେରୀ' (Suleman Usman Bakery) ଏବଂ ମିଠା ଦୋକାନର ମାଲିକ ଅବଦୁଲ୍ ସତ୍ତାର ସୁଲେମାନ ମିଠାଇୱାଲାଙ୍କର ପରଲୋକ ଘଟିଛି। ସୋମବାର ଭୋର ସମୟରେ ୭୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ବେକେରୀ କେବଳ ସ୍ୱାଦିଷ୍ଟ ମିଠା ପାଇଁ ନୁହେଁ, ବରଂ ୧୯୯୩ ବାବ୍ରି ମସଜିଦ୍ ଧ୍ୱଂସ ପରବର୍ତ୍ତୀ ଦଙ୍ଗା ସମୟରେ ପୋଲିସର ଏକ ବିବାଦୀୟ ଚଢ଼ାଉ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲା।

ସ୍ୱାଦିଷ୍ଟ ମିଠାର ଠିକଣା

ବର୍ଷ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ 'ସତ୍ତାର ଭାଇ' ନାମରେ ପରିଚିତ ଅବଦୁଲ ସତ୍ତାର ଦୋକାନ ପଛରେ ଥିବା ନିଜର ଏକ ଛୋଟ ଅଫିସରେ ବସୁଥିଲେ। ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କୁ ସେ ସ୍ୱତନ୍ତ୍ର ମିଠା ଖୁଆଇ ଆପ୍ୟାୟିତ କରୁଥିଲେ। ୧୯୩୬ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଦୋକାନ ସକାଳ ୭ଟାରୁ ରାତି ୧ଟା ଯାଏଁ ଖୋଲା ରହୁଥିଲା ଏବଂ ନାନଖଟାଇ (nankhatai) ଓ ଅଫଲାତୁନ୍ (aflatoon) ଭଳି ମିଠା ପାଇଁ ଏହା ଖୁବ୍ ପ୍ରସିଦ୍ଧ ଥିଲା। ରମଜାନ୍ ମାସରେ ମିନାରା ମସଜିଦ୍ ଅଞ୍ଚଳରେ ଥିବା ଏହି ଦୋକାନରେ ଲୋକଙ୍କର ପ୍ରବଳ ଭିଡ଼ ଜମୁଥିଲା।

Also Read: Iran War Impact on Agriculture: ଭାରତରେ ଦେଖାଦେଲା ୟୁରିଆ, ସାର ଓ କୀଟନାଶକ ସଙ୍କଟ, ଖରିଫ୍ ଋତୁରେ ଚାଷୀଙ୍କୁ ମିଳିବ ତ ସାର?

୧୯୯୩ର ସେହି କଳା ଦିନ ଏବଂ ବେକେରୀ ଉପରେ ଚଢ଼ାଉ

ବାବ୍ରି ମସଜିଦ୍ ଭଙ୍ଗାଯିବା ପରେ ମୁମ୍ବାଇରେ ଲାଗିଥିବା ଦଙ୍ଗା ସମୟରେ, ୧୯୯୩ ଜାନୁଆରୀ ୯ ତାରିଖରେ ପୋଲିସ୍ ଏହି ସୁଲେମାନ ଉସମାନ ବେକେରୀ ଉପରେ ଚଢ଼ାଉ କରିଥିଲା। ଏହି ଘଟଣାରେ ୮ ଜଣ ନିରସ୍ତ୍ର ମୁସଲମାନ ନିହତ ହୋଇଥିଲେ। ଏହାକୁ ନେଇ ୧୮ ଜଣ ପୋଲିସ୍ କର୍ମଚାରୀଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଯୁଗ୍ମ ପୋଲିସ୍ କମିଶନର ତଥା ମୁଖ୍ୟ ଅଭିଯୁକ୍ତ ରାମଦେବ ତ୍ୟାଗୀ ଏବଂ ଅନ୍ୟ ୯ ଜଣଙ୍କୁ ୨୦୦୩ରେ ଦୋଷମୁକ୍ତ କରାଯାଇଥିଲା। ବାକି ୬ ଜଣଙ୍କ (୨ ଜଣଙ୍କର ମୃତ୍ୟୁ ହୋଇସାରିଛି) ବିଚାର ବର୍ତ୍ତମାନ ବି କୋର୍ଟରେ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସତ୍ତାର ଭାଇଙ୍କୁ କବର ଦିଆଯିବାର ଠିକ୍ ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ଏହି ୩୩ ବର୍ଷ ପୁରୁଣା ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

Also Read: Operation Epic Fury: ଧରାପଡିଗଲା ଟ୍ରମ୍ପଙ୍କ ମିଛ, 'ଅପରେସନ୍ ଏପିକ୍ ଫ୍ୟୁରୀ'କୁ ନେଇ ପେଣ୍ଟାଗନ୍ କଲା ବଡ ଖୁଲାସା..

କୋର୍ଟରେ ବଦଳିଯାଇଥିଲା ବୟାନ

ଏହି ମାମଲାରେ ସତ୍ତାର ଭାଇ ମଧ୍ୟ ସାକ୍ଷ୍ୟ ଦେଇଥିଲେ। ୭୫ ବର୍ଷ ବୟସରେ ହ୍ୱିଲ୍ ଚେୟାରରେ ବସି ସେ ଏକ ନାଟକୀୟ ଢଙ୍ଗରେ କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସାକ୍ଷୀଙ୍କ ବୟାନ ଶେଷରେ ପ୍ରତିକୂଳ (hostile) ସାବ୍ୟସ୍ତ ହୋଇଥିଲା। ସେ କୋର୍ଟରେ ଚଢ଼ାଉ କଥା ସ୍ୱୀକାର କରିବା ସହ ଶବାଗାରରୁ ନିଜ କର୍ମଚାରୀଙ୍କ ମୃତଦେହ ଆଣିଥିବା କଥା ମାନିଥିଲେ। କିନ୍ତୁ ପୋଲିସ୍ ବିରୋଧରେ ହୋଇଥିବା ମାମଲା ସମେତ ଅନ୍ୟ ସମସ୍ତ ଘଟଣାକୁ ବୟସାଧିକ୍ୟ କାରଣରୁ ମନେ ନାହିଁ ବୋଲି କହିଦେଇଥିଲେ।

ତେବେ ଘଟଣା ସମୟରେ ସେ ବେକେରୀରେ ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ତାଙ୍କୁ ଫୋନ୍ କରି ପୋଲିସ୍ ଦୋକାନ କବାଟ ଭାଙ୍ଗି ଗୁଳିଚାଳନା କରୁଥିବା ନେଇ ଜଣାଇଥିଲେ। ପରେ ସେ ରକ୍ତଭିଜା କାନ୍ଥ ଏବଂ କର୍ମଚାରୀଙ୍କ ଶରୀରରେ ଗୁଳି ବାଜିଥିବା ଦେଖିଥିଲେ ବୋଲି ପୋଲିସକୁ ପ୍ରାଥମିକ ବୟାନ ଦେଇଥିଲେ। ଏପରିକି ୨୦୦୧ରେ ଶ୍ରୀକ୍ରିଷ୍ଣା କମିଶନ୍ ସୁପାରିଶକ୍ରମେ ଗଠିତ ଏସଟିଏଫ୍ (STF) ତଦନ୍ତ ସମୟରେ ସେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ସାମ୍ବାଦିକଙ୍କୁ ବେକେରୀ ଭିତରର ଏକ ଭିଡିଓ ମଧ୍ୟ ହସ୍ତାନ୍ତର କରିଥିଲେ।

Also Read: Operation Epic Fury: ଧରାପଡିଗଲା ଟ୍ରମ୍ପଙ୍କ ମିଛ, 'ଅପରେସନ୍ ଏପିକ୍ ଫ୍ୟୁରୀ'କୁ ନେଇ ପେଣ୍ଟାଗନ୍ କଲା ବଡ ଖୁଲାସା..

"ନ୍ୟାୟର ଆଶା ନଥିଲା"

ଆର.ଡି. ତ୍ୟାଗୀଙ୍କୁ ଦଣ୍ଡ ଦେବା ପାଇଁ ହୋଇଥିବା ଲମ୍ବା ଲଢ଼େଇରୁ ସତ୍ତାର ଭାଇ ନିଜକୁ ଦୂରେଇ ରଖିଥିଲେ। ଥରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ପ୍ରଥମେ ଏହି ଚଢ଼ାଉ ପରେ ପୋଲିସ୍ ତାଙ୍କୁ ଏବଂ ତାଙ୍କ କର୍ମଚାରୀଙ୍କୁ "ଆତଙ୍କବାଦୀ" ବୋଲି କହିଲା ଏବଂ ପରେ ପୋଲିସ୍ ବିରୋଧରେ କେସ୍ ହେବାରୁ ସେମାନେ ଏଥିପାଇଁ ମୋତେ ଦାୟୀ କଲେ। ଜଣେ ମୁସଲମାନ ବ୍ୟବସାୟୀଙ୍କ ପାଇଁ ପୋଲିସର ଏହି ଶତ୍ରୁତା ବହୁତ ମହଙ୍ଗା ପଡ଼ିଥିଲା।

ନିଜ କର୍ମଚାରୀଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସେ ସ୍ୱୀକାର କରୁଥିଲେ, କିନ୍ତୁ ଘଟଣାର ୨୬ ବର୍ଷ ପରେ ଅଭିଯୁକ୍ତ ପୋଲିସଙ୍କ ବିରୋଧରେ ଆରମ୍ଭ ହୋଇଥିବା ବିଚାରକୁ ନେଇ ସେ ବେଶ୍ ନିରାଶ ଥିଲେ। ସେ କହିଥିଲେ, "ଯେଉଁମାନେ ଆଇନର ରକ୍ଷକ, ସେମାନେ ଯେତେବେଳେ ଅଭିଯୁକ୍ତ ହୁଅନ୍ତି ଏବଂ କ୍ଷମତାରେ ଥିବା ଲୋକେ ନ୍ୟାୟ ଦେବା ପାଇଁ କିଛି କରନ୍ତି ନାହିଁ, ସେତେବେଳେ ଜଣେ କିପରି ନ୍ୟାୟ ମିଳିବାର ଆଶା କରିପାରିବ?"