ନୂଆଦିଲ୍ଲୀ: ଚିନି ପରେ ପିଆଜର ବଢ଼ୁଥିବା ଦର ଉପରେ ରୋକ ଲଗାଇବା ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଏବେ ରିହାତି ଦରରେ ସାଧାରଣ ଲୋକଙ୍କୁ କେଜି ପିଛା ୩୫ ଟଙ୍କା ଦରରେ ପିଆଜ ଯୋଗାଇ ଦେବେ ।

ହଠାତ୍ ପିଆଜ ଦର ବୃଦ୍ଧି ଯୋଗୁଁ ଦେଶର କିଛି ଭାଗରେ ଏହାର ଦାମ କିଲୋପ୍ରତି ୬୦ରୁ ୭୦ ଟଙ୍କାରେ ପହଞ୍ଚିଯାଇଛି । କିନ୍ତୁ ଏବେ ସରକାର ପ୍ରାୟ ଅଧା ଦାମରେ, ଅର୍ଥାତ୍ କିଲୋ ପିଛା ୩୫ ଟଙ୍କାରେ ପିଆଜ ବିକ୍ରି କରିବାକୁ ଘୋଷଣା କରିଛନ୍ତି ।

ଦେଶର ଯେଉଁ ଅଞ୍ଚଳଗୁଡ଼ିକରେ ପିଆଜର ଖୁଚୁରା ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି, ସେଠାରେ ଶସ୍ତା ଦରରେ ପିଆଜ ପହଞ୍ଚାଇବା ପାଇଁ ସରକାର ରେଳବାଇର ସାହାଯ୍ୟ ନେଇଛନ୍ତି । ମହାରାଷ୍ଟ୍ରର ନାସିକ (ସରକାରୀ ବଫର ଷ୍ଟକ୍)ରୁ ସ୍ପେଶାଲ ମାଲଗାଡ଼ି ଅର୍ଥାତ୍ 'କାନ୍ଦା ଏକ୍ସପ୍ରେସ' ଜରିଆରେ ବିପୁଳ ପରିମାଣର ପିଆଜ ବିଭିନ୍ନ ରାଜ୍ୟକୁ ପଠାଯାଉଛି ।

ଦରଦାମ ଉପରେ ନିୟନ୍ତ୍ରଣ ଆଣିବା ପାଇଁ କାନ୍ଦା ଏକ୍ସପ୍ରେସର ପ୍ରଥମ ଟ୍ରିପ୍ ଦେଶର ପ୍ରମୁଖ ସହର ଚେନ୍ନାଇ, ମାଦୁରାଇ, କୋଚି ଏବଂ ଗୌହାଟୀକୁ ପଠାଯାଉଛି । ତା'ପରେ କାନ୍ଦା ଏକ୍ସପ୍ରେସର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୮୦୦ ମେଟ୍ରିକ ଟନ୍ ପିଆଜ ନେଇ ଖୁବଶୀଘ୍ର ଦିଲ୍ଲୀ ଏବଂ ଉତ୍ତର ଭାରତର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ପହଞ୍ଚିବ ।

କେଉଁଠି ଏବଂ କିପରି ମିଳିବ ୩୫ ଟଙ୍କା କିଲୋରେ ପିଆଜ ?

ଖାଉଟିଙ୍କ ପର୍ଯ୍ୟନ୍ତ, ଅର୍ଥାତ୍ ସାଧାରଣ ଲୋକଙ୍କ ପାଖରେ ଶସ୍ତା ଦରରେ ପିଆଜ ପହଞ୍ଚାଇବାର ଦାୟିତ୍ୱ ପ୍ରମୁଖ ସରକାରୀ ଓ ସମବାୟ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ସାଧାରଣ ଲୋକ ସହରର ସରକାରୀ ଆଉଟଲେଟ୍ ଏବଂ ଭ୍ୟାନଗୁଡ଼ିକରୁ ୩୫ ଟଙ୍କା କିଲୋ ଦରରେ ପିଆଜ କିଣିପାରିବେ ।

ସାଧାରଣ ଲୋକ ନିଜ ଆଖପାଖରେ ଥିବା ନେସନାଲ ଆଗ୍ରିକଲଚରାଲ କୋ-ଅପରେଟିଭ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (NAFED), ନ୍ୟସନାଲ୍ କୋ-ଅପରେଟିଭ୍ କଞ୍ଜ୍ୟୁମର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (NCCF) ଏବଂ କେନ୍ଦ୍ରୀୟ ଭଣ୍ଡାରରୁ କିଣିପାରିବେ । NCCF ଏବଂ NAFED ଦ୍ୱାରା ପରିଚାଳିତ ମୋବାଇଲ ଭ୍ୟାନ୍ ଏବଂ 'ଭାରତ ବ୍ରାଣ୍ଡ'ର ଆଉଟଲେଟ୍ଗୁଡ଼ିକରେ ରିହାତି ଦରରେ ପିଆଜ ବିକ୍ରି କରାଯିବ ।

ସରକାରଙ୍କ ଲକ୍ଷ୍ୟ କ'ଣ ?

ପାର୍ବଣ ଋତୁ ଏବଂ ପାଣିପାଗ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଦେଶର ଅନେକ ସହରରେ ପିଆଜ ଦର କିଲୋପ୍ରତି ୬୦ରୁ ୭୦ ଟଙ୍କାରେ ପହଞ୍ଚିଯାଇଛି । ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ବଫର ଷ୍ଟକ୍ ଉପଲବ୍ଧ ଅଛି । ପାଇକାରୀ ମଣ୍ଡି ଏବଂ ଖୁଚୁରା ବଜାରରେ ରିହାତି ଦରରେ ପିଆଜର ନିରନ୍ତର ଯୋଗାଣ ଦ୍ୱାରା କଳାବଜାରୀ ଉପରେ ରୋକ ଲାଗିବ ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ ।