ନୟାଗଡ, ୦୭/୦୯ : ପାହାଡ ଉପରକୁ ବୁଲିବାକୁ ଯାଇଥିଲେ । କିନ୍ତୁ ବର୍ଷା ଏବଂ ସନ୍ଧ୍ଯା ହୋଇଯିବା ଯୋଗୁ ପାହାଡ ଉପରେ ହିଁ ରହିଗଲେ । ଜଙ୍ଗଲ ଜନ୍ତୁଙ୍କ ଗର୍ଜନ ଏବଂ ବିରାଟ ସାପ ଦେଖି ଭୟଭୀତ ହୋଇଯାଇଥିଲେ । ଶେଷରେ ଉଦ୍ଧାର ପାଇଁ ଭାଇକୁ ଫୋନ୍ କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ, ବନବିଭାଗ ଏବଂ ପୋଲିସର ମିଳିତ ଅପରେସନରେ ୫ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ଛାତ୍ର । ଏପରି ଘଟିଛି ନୟାଗଡ ସହରରେ ଥିବା ରୁଖି ପାହାଡରେ ।

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଆଦିତ୍ଯ ରବିବାର ଅପରାହ୍ନରେ ସହର ନିକଟରେ ଥିବା ରୁଖି ପାହାଡକୁ ବୁଲିବାକୁ ଯାଇଥିଲେ । କିନ୍ତୁ ପାହାଡ ଉପରେ ସେ ଫସି ରହିଥିଲେ। ସନ୍ଧ୍ୟା ୫ଟାରେ ବୁଲିବାକୁ ଯାଇ ପାହାଡରୁ ଫେରି ପାରିନଥିଲେ। ରାତି ପ୍ରାୟ ୭ଟା ସମୟରେ ଆଦିତ୍ଯ ତାଙ୍କ ଭାଇଙ୍କୁ ଏ ସମ୍ପର୍କରେ ଫୋନରେ ଜଣାଇଥିଲେ । ପରେ ଆଦିତ୍ଯଙ୍କ ବାପା ନୟାଗଡ଼ ଟାଉନ ଥାନାରେ ଜଣାଇବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ଯ।

Also Read :- ଲୋପ ପାଇଯିବେ ମଣିଷ ! ଆଉ ମାତ୍ର ଏତିକି ବର୍ଷ...ମିଶିଯିବେ ସବୁ ମହାଦେଶ, ଶୁଖିଯିବ ପ୍ରଶାନ୍ତ-ଆଟଲାଣ୍ଟିକ୍ ମହାସାଗର

ରାତିରେ ଜଙ୍ଗଲ ଏବଂ ବିଭିନ୍ନ ହିଂସ୍ର ଜନ୍ତୁ ରହିଥିବା ପାହାଡ ଚଢି ଛାତ୍ରଙ୍କୁ ଉଦ୍ଧାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଅନେକ ଚାଲେଞ୍ଜ୍ ଆଣିଥିଲା । ପାହାଡ ଚଢିବା ସମୟରେ ବଡବଡ ସାପ ମଧ୍ଯ ଦେଖିଥିବା ଉଦ୍ଧାରକାରୀ ଦଳ କହିଛନ୍ତି । ପାହାଡ ଉପରେ ରହିଥିବା ଆଦିତ୍ଯଙ୍କ ମୋବାଇଲ୍ ଲାଇଟ୍ ଏବଂ ଲୋକେସନକୁ ଦେଖି ଉଦ୍ଧାରକାରୀ ଦଳ ପ୍ରାୟ ୧୧ଟା ସମୟରେ ତାଙ୍କ ପାଖରେ ପହଞ୍ଚିଥିଲେ ।

ଆଦିତ୍ଯଙ୍କୁ ଧରି ୧୨ଟା ସମୟରେ ସମସ୍ତେ ତଳେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ସାହାସ ଏବଂ ଉଦ୍ଯମ ପାଇଁ ଛାତ୍ରଜଣକ ଉଦ୍ଧାର ହୋଇପାରିଥିବାରୁ ସମସ୍ତେ ସେମାନଙ୍କୁ ଧନ୍ଯବାଦ ଦେଇଛନ୍ତି । ଛାତ୍ରଜଣକ ପୂର୍ବରୁ ଦୁଇଥର ସାଙ୍ଗମାନଙ୍କ ସହ ପାହାଡ ଚଢିଥିଲେ ହେଲେ ରବିବାର ଥିବାରୁ ଏକୁଟିଆ ପଳାଇଥିବା କହିଛନ୍ତି ।