ନୂଆଦିଲ୍ଲୀ ୨୯।୦୯; ବିଜ୍ଞାନ ଜଗତରୁ ଆସିଛି ଏକ ବଡ ବଡ଼ ଖବର। ଜର୍ମାନୀ ଏବେ ଧରାପୃଷ୍ଠରେ ସୂର୍ଯ୍ୟ ଭଳି ଶକ୍ତି ଉତ୍ପାଦନ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି। ଏଥିପାଇଁ ବୈଜ୍ଞାନିକ ଓ ଘରୋଇ କମ୍ପାନୀଗୁଡ଼ିକ ମିଳିତ ଭାବେ 'ନ୍ୟୁକ୍ଲିୟର ଫ୍ୟୁଜନ୍' ଉପରେ ଜୋରଦାର ଗବେଷଣା ଚଳାଇଛନ୍ତି।

ଫ୍ୟୁଜନ୍ ହେଉଛି ସେହି ପ୍ରକ୍ରିୟା, ଯାହା ପ୍ରକୃତିରେ ସୂର୍ଯ୍ୟ ଭିତରେ ଘଟିଥାଏ ଏବଂ ଏଥିରେ ହାଲୁକା ପରମାଣୁ ପରସ୍ପର ସହ ମିଶି ବିପୁଳ ପରିମାଣର ଶକ୍ତି ମୁକ୍ତ କରିଥାନ୍ତି। ଜର୍ମାନୀର 'ପ୍ରକ୍ସିମା ଫ୍ୟୁଜନ୍' ଏବଂ 'ମ୍ୟାକ୍ସ ପ୍ଲାଙ୍କ ଇନ୍ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ଫିଜିକ୍ସ' ମିଳିତ ଭାବେ 'ଷ୍ଟେଲାରେଟର' ପ୍ରଯୁକ୍ତି ଉପରେ କାମ କରୁଛନ୍ତି। ଯୋଜନା ମୁତାବକ, ପ୍ରଥମେ 'ଆଲ୍ଫା' ନାମକ ଏକ ସ୍ୱତନ୍ତ୍ର ମେସିନ୍ ଏବଂ ପରେ 'ଷ୍ଟେଲାରିସ୍' ନାମରେ ଏକ ଫ୍ୟୁଜନ୍ ପାୱାର ପ୍ଲାଣ୍ଟ ନିର୍ମାଣ କରାଯିବ।

ତେବେ ଏହି ପ୍ରକ୍ରିୟାର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା ପ୍ଲାଜ୍ମାକୁ କୋଟି କୋଟି ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଗରମ କରି ଏହାକୁ ନିୟନ୍ତ୍ରଣ କରିବା। ଏହି ଷ୍ଟେଲାରେଟର ମେସିନରେ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରାଯାଇ ପ୍ଲାଜ୍ମାକୁ ମେସିନ୍ କାନ୍ଥଠାରୁ ଦୂରରେ ରଖାଯାଏ। ଜର୍ମାନୀର 'ୱେଣ୍ଡେଲଷ୍ଟାଇନ୍ ୭-ଏକ୍ସ' ମେସିନ୍ ମଧ୍ୟ ଏହି ପ୍ରଯୁକ୍ତିରେ ସଫଳତା ପାଇଛି। ଯେଉଁଠାରେ ୨୦୨୫ ମସିହାରେ ପ୍ଲାଜ୍ମାର ତାପମାତ୍ରା ପ୍ରାୟ ୩ କୋଟି ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଥିଲା ଏବଂ ଏହାକୁ ୪୩ ସେକେଣ୍ଡ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଥିଲା।

ପ୍ରକ୍ସିମା ଫ୍ୟୁଜନର 'ଆଲ୍ଫା' ପ୍ରକଳ୍ପ ମ୍ୟୁନିଖ୍ ନିକଟ ଗାର୍ଚିଙ୍ଗ୍ରେ ନିର୍ମାଣ ହେବାକୁ ଥିବାବେଳେ ଏଥିରେ ପ୍ରାୟ ୨ ବିଲିୟନ୍ ୟୁରୋ ଖର୍ଚ୍ଚ ହେବାର ଆକଳନ କରାଯାଇଛି। ଏହାପରେ ବାଭାରିଆର ଗୁଣ୍ଡ୍ରେମିଙ୍ଗେନ୍ରେ 'ଷ୍ଟେଲାରିସ୍' ପ୍ଲାଣ୍ଟ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରି ଗ୍ରିଡ୍କୁ ଯୋଗାଇବା କମ୍ପାନୀର ଲକ୍ଷ୍ୟ ରହିଛି। କେବଳ ସେତିକି ନୁହେଁ, ଜର୍ମାନ ସରକାର ମଧ୍ୟ ଏହି କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇ ପ୍ରାୟ ୨.୪ ବିଲିୟନ୍ ୟୁରୋ ନିବେଶ କରିବାକୁ ଯୋଜନା କରିଛନ୍ତି। ଯଦିଓ ଏଥିପାଇଁ ଏବେ ବି କିଛି ବୈଷୟିକ ଚ୍ୟାଲେଞ୍ଜ ରହିଛି, ତଥାପି ଏହା ଭବିଷ୍ୟତର ଶକ୍ତି ସଙ୍କଟ ଦୂର କରିବାରେ ଏକ ବଡ଼ ମାଇଖୁଣ୍ଟ ସାବ୍ୟସ୍ତ ହେବ।