ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରର ଐତିହାସିକ ଲାଲଚୌକ ଏଥର ସ୍ୱାଧୀନତା ଦିବସରେ ସମ୍ପୂର୍ଣ୍ଣ ଅଲଗା ରଙ୍ଗରେ ଦେଖାଯାଇଛି। ଶନିବାର ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚି ଘଣ୍ଟାଘର ସାମ୍ନାରେ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ପୁରା ଅଞ୍ଚଳକୁ ସେମାନେ ଜାତୀୟ ପତାକାରେ ସଜେଇ ଦେଇଥିଲେ ଓ ଦେଶଭକ୍ତିର ସ୍ଲୋଗାନରେ ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହୋଇଛି। କେବେ ବିଛିନ୍ନତାବାଦ ଗତିବିଦ୍ଧି ଓ ଉତ୍ତେଜନା କାରଣରୁ ଚର୍ଚ୍ଚାରେ ରହୁଥିବା ଲାଲଚୌକ ଏବେ ପର୍ଯ୍ୟଟକଙ୍କ ଗହଳଚହଳରେ ଭରି ଯାଇଛି। ପ୍ରାଶାନ ପକ୍ଷରୁ ମଧ୍ୟ ଲୋକଙ୍କ ପାଇଁ ଖାସ ବ୍ୟବସ୍ଥା କରାଯାଇଥିଲା। ଏଠାରେ ସେଲଫି ପଏଣ୍ଟ ତିଆରି କରାଯାଇଥିଲା, ଲୋକେ ସେଲଫି ନେଉଥିବାର ଦେଖାଯାଇଛନ୍ତି।

ମୁମ୍ବାଇରୁ କାଶ୍ମୀର ବୁଲିବାକୁ ଯାଇଥିବା ନେତ୍ରା ଗୁଜ୍ଜରଙ୍କ ଲାଗି ଶନିବାର ଲାଲଚୌକ ଯାତ୍ରା ଖାସ ଥିଲା। ସେ ପ୍ରଥମଥର କାଶ୍ମୀର ଆସିଥିବା କହିଛନ୍ତି। ଗତ ୩ ଦିନ ହେଲା ଉପତ୍ୟାକା ବୁଲିବା ପରେ ସ୍ୱାଧୀନତା ଦିବସ ଲାଲଚୌକରେ ପାଳନ କରିବା ତାଙ୍କ ପାରିବାର ପାଇଁ ସ୍ମରଣୀୟ ବୋଲି କହିଛନ୍ତି। ନେତ୍ରା କହିଛନ୍ତି ଯେ ତାଙ୍କ ପରିବାର ଏଠାକାର ପରିବେଶକୁ ନିକଟରୁ ଦେଖିବାକୁ ଆଗ୍ରହୀ ଥିଲା, ସେମାନେ ନିରାଶ ହୋଇ ନାହାନ୍ତି। ସେ କହିଛନ୍ତି ଯେ କାଶ୍ମୀର ଆସିବା ପୂର୍ବରୁ ତାଙ୍କ ମନରେ ସୁରକ୍ଷାକୁ ନେଇ ଭୟ ଥିଲା। ହେଲେ ଏଠାରେ ପହଞ୍ଚିବା ପରେ ତାଙ୍କ ଭୟ ସମ୍ପୂର୍ଣ୍ଣ ଦୂର ହୋଇଯାଇଛି।

କାଶ୍ମୀର ଏବେ ପୂର୍ବାପେକ୍ଷା ଅନେକ ବଦଳି ଯାଇଛି। ପୁଣେରୁ ଆସିଥିବା ଅନ୍ୟ ଜଣେ ପର୍ଯ୍ୟଟକ ଆୟଶା ଶେଖ ମଧ୍ୟ ଲାଲ ଚୌକ ପହଞ୍ଚି ତାଙ୍କୁ ସ୍ୱପ୍ନ ଭଳି ଲାଗୁଥିବା କହିଛନ୍ତି। ସେ କହିଛନ୍ତି ଯେ କାଶ୍ମୀର ଆସୁଥିବା ଲୋକଙ୍କ ଲାଗି ଲାଲଚୌକ ଦେଖିବା ବାସ୍ତବିକ୍ ଖାସ ଅନୁଭବ। ଆୟେଶା କହିଛନ୍ତି ଯେ କାଶ୍ମୀରକୁ ନେଇ ମିଡିଆରେ ଅନେକ ଖବର ପ୍ରସାରିତ ହେଉଛି ସୁରକ୍ଷାକୁ ନେଇ ଅନେକ ପ୍ରକାର କଥା ଶୁଣିବାକୁ ମିଳୁଥିଲା, ହେଲେ ଏଠାରେ ସେପରି କିଛି ସେ ଦେଖିବାକୁ ପାଉନଥିବା ଓ ପରିବେଶ ଅତ୍ୟନ୍ତ ସୁରକ୍ଷିତ ଥିବା କହିଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ଲାଲ ଚୌକରେ ଦେଶଭକ୍ତିର ପରିବେଶ ଦେଖିବାକୁ ମିଳିଛି। ପର୍ଯ୍ୟଟକ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଉଥିବା ଦେଖା ଯାଇଛନ୍ତି। ଏହି କ୍ଷଣ ମନରେ ଗର୍ବ ଭରି ଦେଇଥିବା ଆୟେଶା ଶେଖ କହିଛନ୍ତି। ସେ ନିଜକୁ ଭାରତୀୟ ବୋଲି କହି ନିଜ ଦେଶ ପାଇଁ ତାଙ୍କ ମନରେ ଅନେକ ଗର୍ବ ବୋଲି କହିଛନ୍ତି। ଗୁଜରାଟର ଅହମଦାବାଦରୁ ପହଞ୍ଚିଥିବା ପର୍ଯ୍ୟଟକ ସୂରଜ ଭଟ୍ଟ ଲାଲ ଚୌକର ପରିବର୍ତ୍ତିତ ପରିବେଶକୁ ଦେଖି ବେଶ୍ ଖୁସି ଅନୁଭବ କରିଛନ୍ତି। ଏହାକୁ ମିଶାଇ ସେ ଚତୁର୍ଥ ଥର କାଶ୍ମୀର ବୁଲିବାକୁ ଆସିଛନ୍ତି। ସେ କହିଛନ୍ତି ଯେ ଏଥର ଲାଲଚୌକରେ ବେଶ ଭୀଡ ରହିଛି ଓ ସମଗ୍ର ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳୁଥିବା କହିଛନ୍ତି।