ନୂଆଦିଲ୍ଲୀ: ଗ୍ଲୋବାଲ୍ ଟେରରିଜମ୍ ଇଣ୍ଡେକ୍ସ (GTI) ୨୦୨୬ ରିପୋର୍ଟ ଅନୁଯାୟୀ, ଆତଙ୍କବାଦ ପ୍ରଭାବିତ ଦେଶଗୁଡ଼ିକ ତାଲିକାରେ ପାକିସ୍ତାନ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ଇନଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ (IEP) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ପାକିସ୍ତାନକୁ ୮.୫୭୪ ସ୍କୋର ସହ ପ୍ରଥମ ସ୍ଥାନ ଦିଆଯାଇଛି । ଏହା ବୁର୍କିନା ଫାସୋକୁ ମଧ୍ୟ ପଛରେ ପକାଇ ଦେଇଛି। ରିପୋର୍ଟ ଅନୁସାରେ, ୨୦୨୫ ମସିହାରେ ପାକିସ୍ତାନରେ ୧,୦୪୫ଟି ଆତଙ୍କବାଦୀ ଆକ୍ରମଣ ଘଟିଥିବା ବେଳେ ୧,୧୩୯ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୩ ମସିହା ପରଠାରୁ ଏହା ପାକିସ୍ତାନରେ ଗୋଟିଏ ବର୍ଷରେ ସର୍ବାଧିକ ମୃତ୍ୟୁ। ଗୋଟିଏ ପଟେ ସାରା ବିଶ୍ୱରେ ଆତଙ୍କବାଦୀ ମୃତ୍ୟୁସଂଖ୍ୟା ୨୮ ପ୍ରତିଶତ ହ୍ରାସ ପାଇଥିବା ବେଳେ, ପାକିସ୍ତାନରେ କ୍ରମାଗତ ଷଷ୍ଠ ବର୍ଷ ପାଇଁ ଏହା ବୃଦ୍ଧି ପାଇଛି। ଏହାସହ ବନ୍ଧକ ବନାଇବା ଘଟଣା ୧୦୧ରୁ ବୃଦ୍ଧି ପାଇ ୬୫୫ରେ ପହଞ୍ଚିଛି।

ଏହି ସଙ୍କଟଜନକ ପରିସ୍ଥିତି ଉପରେ ପ୍ରତିକ୍ରିୟା ଦେଇ ଆମେରିକାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନୀ ନିଜ ଦେଶର ଅତୀତର ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ 'X'ରେ ଏକ ଗ୍ରାଫିକ୍ସ ସେୟାର କରି ସେ ଲେଖିଛନ୍ତି ଯେ, ନିଜ ଘର ପଛପଟେ ସାପ ପାଳିଲେ ଦିନେ ନା ଦିନେ ସେହି ସାପ ଘର ଲୋକଙ୍କୁ ହିଁ କାମୁଡ଼ିଥାଏ। ପାକିସ୍ତାନ ପାଖାପାଖି ୫୦ ବର୍ଷ ପୂର୍ବରୁ ଆତଙ୍କବାଦୀ ଓ ଜିହାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଥିଲା ଏବଂ ଆଜି ନିଜେ ସେହି ଆତଙ୍କବାଦର ସବୁଠାରୁ ବଡ଼ ଶିକାର ହୋଇଛି। ଏଥିରୁ କେହି ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳ ଯେପରିକି ବଲୁଚିସ୍ତାନ ଏବଂ ଖାଇବର ପଖ୍ତୁନଖ୍ୱାରେ ଏହି ହିଂସା ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ୨୦୨୫ରେ ଘଟିଥିବା ମୋଟ ଆକ୍ରମଣର ୭୪ ପ୍ରତିଶତରୁ ଅଧିକ ଏବଂ ମୃତ୍ୟୁସଂଖ୍ୟାର ୬୭ ପ୍ରତିଶତ ଏହି ଦୁଇଟି ପ୍ରଦେଶରେ ସଙ୍ଗଠିତ ହୋଇଛି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ବିଶେଷ କରି ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ଏବଂ ବଲୁଚିସ୍ତାନ ଲିବରେସନ୍ ଆର୍ମିର ସକ୍ରିୟତା ପାକିସ୍ତାନ ସୁରକ୍ଷା ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।

ତେହରିକ୍-ଏ-ତାଲିବାନ୍ ପାକିସ୍ତାନ କ୍ରମାଗତ ପଞ୍ଚମ ବର୍ଷ ପାଇଁ ପାକିସ୍ତାନର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ସାବ୍ୟସ୍ତ ହୋଇଛି। ୨୦୨୫ରେ ପାକିସ୍ତାନରେ ହୋଇଥିବା ମୋଟ ଆତଙ୍କବାଦୀ ମୃତ୍ୟୁର ୫୬ ପ୍ରତିଶତ ପାଇଁ TTP ଦାୟୀ ଥିଲା, ଯାହା ୫୯୫ଟି ଆକ୍ରମଣ ମାଧ୍ୟମରେ ୬୩୭ ଜଣଙ୍କ ଜୀବନ ନେଇଥିଲା। ବିଶ୍ୱସ୍ତରରେ ଆଇଏସ୍‌ ଏବଂ ଜେଏନ୍‌ଆଇଏମ୍‌ ପଛକୁ ଟିଟିପି ତୃତୀୟ ସବୁଠାରୁ ମାରାତ୍ମକ ଆତଙ୍କବାଦୀ ସଂଗଠନ ଭାବରେ ଚିହ୍ନଟ ହୋଇଛି। ଅପରପକ୍ଷରେ, BLA ଦ୍ୱାରା କ୍ୱେଟା ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌କୁ ବୋମାରେ ଉଡ଼ାଇ ୪୪୨ ଜଣଙ୍କୁ ବନ୍ଧକ ବନାଇବା ଏବଂ ଚୀନ୍‌-ପାକିସ୍ତାନ କରିଡର୍ ପ୍ରକଳ୍ପକୁ ନିଶାନା କରିବା ଘଟଣା ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି।

ଆଫଗାନିସ୍ତାନର ତାଲିବାନ ସରକାର ଟିଟିପିକୁ ଶରଣ ଓ ସହଯୋଗ ଦେଉଥିବା ନେଇ ପାକିସ୍ତାନ ଅଭିଯୋଗ କରୁଥିବା ବେଳେ, ତାଲିବାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏହାଫଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଛି। ସାରା ବିଶ୍ୱରେ ୨୦୨୫ ମସିହାରେ ଘଟିଥିବା ମୋଟ ଆତଙ୍କବାଦୀ ମୃତ୍ୟୁର ପ୍ରାୟ ୭୦ ପ୍ରତିଶତ କେବଳ ୫ଟି ଦେଶ (ପାକିସ୍ତାନ, ବୁର୍କିନା ଫାସୋ, ନାଇଜେରିଆ, ନାଇଜର, ଏବଂ କଙ୍ଗୋ)ରେ ସୀମିତ । ଏହି  ମୃତ୍ୟୁସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ଏକାକୀ ପାକିସ୍ତାନରେ ହିଁ ରେକର୍ଡ କରାଯାଇଛି । ଏହା ପାକିସ୍ତାନର ସେନା ଦ୍ୱାରା ଚାଲିଥିବା 'ଅପରେସନ୍ ଅଜ୍‌ମ୍-ଏ-ଇସ୍ତେହକାମ୍'ର ବିଫଳତାକୁ ଦର୍ଶାଉଛି।