ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ବାସଭବନ 'ମନ୍ନତ'ରୁ ଏକ ୮ ଫୁଟ୍ ଲମ୍ବର ସାପ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ବଗିଚାର ଏକ ସେଡ୍ ତଳେ ଦୁଇଟି ସାପ ଛନ୍ଦାଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସାପ ଧରାଳୀ ଭିକି ଦୁବେ ବାନ୍ଦ୍ରା ସ୍ଥିତ 'ମନ୍ନତ'ରେ ପହଞ୍ଚି ଗୋଟିଏ ୮ ଫୁଟ୍ ଲମ୍ବର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସାପଟି ଏକ 'ଢ଼ମଣା' (Indian Rat Snake) ବୋଲି ଜଣାପଡ଼ିଛି । ଏହି ସାବ ବିଷହୀନ ଏବଂ ମଣିଷ ପାଇଁ ବିପଦ ନୁହେଁ ।

ଲୋକଙ୍କ ଗହଳି ହେତୁ ଅନ୍ୟ ସାପଟି ସେଠାରୁ ପଳାଇଥିଲା। ଦ୍ୱିତୀୟ ସାପଟି ନଜରରୁ ଗାୟବ ହୋଇଯିବାରୁ ସୁରକ୍ଷାକର୍ମୀ ଏବଂ ବନ ବିଭାଗ ଅଧିକାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଙ୍ଗଳାରେ ତଲାସୀ ଅଭିଯାନ ଚଳାଇଥିଲେ, ମାତ୍ର ସାପକୁ ଧରିପାରି ନଥିଲେ ।

ବନ ବିଭାଗର ନିୟମାନୁସାରେ, ଉଦ୍ଧାର କରାଯାଇଥିବା ଢମଣାଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡ଼ି ଦିଆଯାଇଛି। ସାପଟି ବିଷହୀନ ହୋଇଥିବାରୁ ଭୟଭୀତ ନହେବାକୁ ଉଦ୍ଧାରକାରୀ ଟିମ୍ ସୁରକ୍ଷାକର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଢମଣା ସମ୍ପୂର୍ଣ୍ଣ ବିଷହୀନ (Non-venomous)। ଏହି ସାପ ମଣିଷଙ୍କୁ କୌଣସି ପ୍ରକାରର ବିପଦ ପହଞ୍ଚାନ୍ତି ନାହିଁ। ଏହି ସାପ ମୁଖ୍ୟତଃ ମୂଷା, ବେଙ୍ଗ, ଝିଟିପିଟି ଏବଂ ଛୋଟ ପକ୍ଷୀଙ୍କୁ ଖାଇଥାନ୍ତି। ମୂଷା ଦାଉରୁ ଫସଲ ରକ୍ଷା କରୁଥିବାରୁ ଏଗୁଡ଼ିକୁ "ଚାଷୀଙ୍କ ବନ୍ଧୁ" ବୋଲି କୁହାଯାଏ। ଏଗୁଡ଼ିକର ଶରୀର ଲମ୍ବା, ପତଳା ଏବଂ ଶକ୍ତ। ଏଗୁଡ଼ିକ ସାଧାରଣତଃ ୬ ରୁ ୮ ଫୁଟ୍ ପର୍ଯ୍ୟନ୍ତ ଲମ୍ବ ହୋଇଥାନ୍ତି। ଏହାର ରଙ୍ଗ ହଳଦିଆ କିମ୍ବା ବାଦାମୀ ହୋଇଥାଏ।