ଭୁବନେଶ୍ୱର ୦୨।୦୬ : ଆସନ୍ତା ୫ଦିନରେ ତାତି ୪ ଡିଗ୍ରୀ ଯାଏ ବଢ଼ିପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ। ରାଜ୍ୟରେ ଦିନକୁ ଦିନ ତାତି ବଢୁଥିବାରୁ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢୁଛି । ଏହି ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ । ସଚେତନ ରହିବା ଓ ପରିସ୍ଥିତିର ମୁକାବିଲା କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଶୋଷ ନ ଲାଗିଲେ ବି ପ୍ରତି ଅଧଘଣ୍ଟାରେ ପାଣି ପିଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଅତି ଜରୁରୀ କାମ ନଥିଲେ ଖରା ସମୟରେ ବାହାରକୁ ନ ଯିବାକୁ ଅପିଲ୍ କରିଛନ୍ତି । ବାହାରକୁ ଯାଉଥିଲେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଟୋପି ବା ଛତା ନିଅନ୍ତୁ । ଶିଶୁ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକ ଏହି ସମୟରେ ସୁରକ୍ଷିତ ଭାବେ ଘରେ ରୁହନ୍ତୁ । ଅତ୍ୟଧିକ ଦେହ ଦରଜ ହେବା, ଚମଡ଼ା ଶୁଖିଯିବା, ପରିସ୍ରା କମିବା, ମୁଣ୍ଡ ଝିମଝିମ ହେବା ଭଳି ଲକ୍ଷଣ ଦେଖା ଦେଲେ ଅପେକ୍ଷା ନକରି ତୁରନ୍ତ ପାଖ ସ୍ୱାସ୍ଥ୍ୟ କେନ୍ଦ୍ର ବା ଆମ୍ବୁଲାନ୍ସର ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଚଣ୍ଡ ତାତିରେ କାମ କରୁଥିବା ଶ୍ରମିକଙ୍କ ପ୍ରତି ସହାନୁଭୂତି ଦେଖାଇ ଏ ସମୟରେ କାମ ନ କରାଇବାକୁ ଆହ୍ୱାନ କରିଛନ୍ତି । ମାନବିକତା ଓ ଜୀବୋଦୟା ଆମ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ପରିଚୟ । ପଥଚାରୀଙ୍କ ପାଇଁ ଜଳ ସେବା କରିବା, ନିଜ ଘର ବାହାରେ ବା ଗଛ ଛାଇରେ ମାଟି ପାତ୍ରରେ ପାଣି ରଖି ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ମଙ୍ଗଳବାର କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି ।

ବୁଧବାର ଓ ଗୁରୁବାର ମଧ୍ୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ଆଶଙ୍କା ଅଛି । ସୋମବାର ଖୋର୍ଦ୍ଧାରେ ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଥିଲା । ବୌଦ୍ଧରେ ୪୦.୭, ତାଳଚେରରେ ୪୦.୫, ନୟାଗଡ଼ରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଥିଲା