ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଶିବସେନା (ଉଦ୍ଧବ ଠାକରେ) ଦଳରେ ପୁଣି ଥରେ ବଡ଼ ବିଭାଜନ ହେବାର ସ୍ପଷ୍ଟ ସଙ୍କେତ ମିଳିଛି । ଦଳର ୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ସାଂସଦ ଉଦ୍ଧବ ଠାକରେଙ୍କ ହାତ ଛାଡ଼ି ସଂସଦରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ସାଂସଦମାନେ ଖୁବଶୀଘ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ଏ ସମ୍ପର୍କିତ ପତ୍ର ଦେଇପାରନ୍ତି।

ନୂଆ ସଂସଦୀୟ ଗୋଷ୍ଠୀ ଗଠନ ରେସରେ ୬ ସାଂସଦ

ସୂତ୍ର ଅନୁଯାୟୀ, ଶିବସେନା ଠାକରେ ଗୋଷ୍ଠୀର ୬ ଜଣ ଅସନ୍ତୁଷ୍ଟ ସାଂସଦ ଆଗାମୀ ଦିନରେ ନିଜର ଏକ ଅଲଗା ଗୋଷ୍ଠୀ ପଞ୍ଜିକୃତ କରିବାକୁ ଯାଉଛନ୍ତି। ପରଭଣୀର ସାଂସଦ ସଞ୍ଜୟ ଯାଦବଙ୍କୁ ଏହି ନୂତନ ସଂସଦୀୟ ଗୋଷ୍ଠୀର ନେତା କରାଯାଇପାରେ । ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ଏହି ସମସ୍ତ ବିଦ୍ରୋହୀ ସାଂସଦଙ୍କ ସହ ଫୋନରେ ସମ୍ପର୍କରେ ଅଛନ୍ତି । ସାଂସଦମାନଙ୍କ କହିବା ଅନୁସାରେ, ସେମାନେ ଗତ ଏକ ବର୍ଷ ହେବ ଉଦ୍ଧବ ଠାକରେଙ୍କ କାର୍ଯ୍ୟକଳାପ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଆସୁଥିଲେ ମଧ୍ୟ ଦଳ ମଧ୍ୟରେ ସେମାନଙ୍କ କଥାକୁ ଶୁଣୁ ନଥିଲା।

ସଂସଦୀୟ ଦଳ ବୈଠକରୁ ଦୂରେଇ ରହିଲେ ସାଂସଦ

ନିକଟରେ ଦିଲ୍ଲୀରେ ଆୟୋଜିତ ଶିବସେନା (UBT)ର ସଂସଦୀୟ ଦଳ ବୈଠକରେ ଏହି ୬ ସାଂସଦ ଅନୁପସ୍ଥିତ ରହି ଦଳୀୟ ଅସନ୍ତୋଷକୁ ସ୍ପଷ୍ଟ କରିଛନ୍ତି । କେବଳ ଅରବିନ୍ଦ ସାୱନ୍ତ, ଅନିଲ ଦେଶାଇ, ରାଜାଭାଉ ୱାଜେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହି ବୈଠକରେ ଉପସ୍ଥିତ ଥିଲେ। ନାଗେଶ ଆଷ୍ଟିକର, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ସଞ୍ଜୟ ଦୀନା ପାଟିଲ, ଓମପ୍ରକାଶ ରାଜେ ନିମ୍ବାଲକର ଏବଂ ଭାଉସାହେବ ୱାକଚୌରେ ବୈଠକରୁ ଦୂରେଇ ରହିଥିଲେ।

ବୈଠକରେ ସାଂସଦମାନଙ୍କ ଅନୁପସ୍ଥିତିକୁ ନେଇ ଦଳର ଲୋକସଭା ନେତା ଅରବିନ୍ଦ ସାୱନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦଳ ପକ୍ଷରୁ ହୁଇପ୍ (Whip) ଜାରି କରାଯାଇଥିଲେ ମଧ୍ୟ ବୈଠକକୁ କାହିଁକି ଆସିଲେ ନାହିଁ, ସେ ନେଇ ଏହି ୬ ସାଂସଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ସାଂସଦମାନେ ଯଦି ୭ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନଦିଅନ୍ତି, ତେବେ ସେମାନଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପତ୍ର ଲେଖାଯିବ ବୋଲି ସାୱନ୍ତ ସୂଚନା ଦେଇଛନ୍ତି।

ଏହି ରାଜନୈତିକ ହଲଚଲ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୬ ଜଣ ବିଦ୍ରୋହୀ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କୁହାଯାଉଛି ଯେ, ଗତ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସାଂସଦମାନଙ୍କ ବିରୋଧରେ କିଛି ଆପତ୍ତିଜନକ ଟିପ୍ପଣୀ ଏବଂ ଅପଶବ୍ଦ ପ୍ରୟୋଗ କରାଯାଇଥିଲା, ଯାହା ସେମାନଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି ଏବଂ ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି ବିବାଦକୁ ନେଇ ସମ୍ପୃକ୍ତ ୬ ସାଂସଦଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।