ନୂଆଦିଲ୍ଲୀ,୨୦|୦୧ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ହାରିଛି ଭାରତ । କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଘରୋଇ ମାଟିରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଯାହାକୁ ନେଇ ସମସ୍ତେ କରୁଛନ୍ତି ସମାଲୋଚନା । ଗିଲଙ୍କୁ କପ୍ତାନୀ ଆସେନାହିଁ ବୋଲି ମତ ଦେଉଛନ୍ତି । ତେବେ ସିରିଜ୍ ହାରିବା ପରେ ଦଳରେ ବଡ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି ଅଧିନାୟକ ଗିଲ୍ ।

ମ୍ୟାଚ୍ ପରେ ଗିଲ୍ କହିଛନ୍ତି ଯେ, ଖେଳାଳିମାନେ ଯେପରି ଭାବେ ପ୍ରଦର୍ଶନ କରିଛନ୍ତି ତାହା ନୈରାଶ୍ୟଜନକ । ଅନେକ କିଛି ସୁଧାରିବାକୁ ପଡିବ । ବହୁତ କିଛି ଦିଗରେ ଦଳ ଫେଲ୍ ମାରୁଛି । ବିରାଟ କୋହଲି ସଦାବେଳେ ଭଲ ଖେଳି ଆସୁଛନ୍ତି । ହର୍ଷିତ ରାଣା ମଧ୍ୟନମ୍ବରରେ ଯେପରି ବ୍ୟାଟିଂ କଲେ ତାହା ସମସ୍ତଙ୍କୁ ଚକିତ କରିଛି ।

ରୋହିତ-ଜାଡେଜାଙ୍କୁ ବ୍ରେକ୍

ଭାରତ ସିରିଜ୍ ହାରିବାରେ ମୁଖ୍ୟ ଖଳନାୟକ ଥିଲେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା । ସିରିଜରେ ରୋହିତଙ୍କ ବ୍ୟାଟରୁ ରନ୍ ବାହାରି ନଥିଲା । କୌଣସି ମ୍ୟାଚରେ ସେ ବଡ ସ୍କୋର କରିପାରିନଥିଲେ । ତୃତୀୟ ଦିନିକିଆରେ ଭାରତ ବଡ ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା । କିନ୍ତୁ ରୋହିତ ଓପନିଂରେ ଆସି ଜଲଦି ଆଉଟ୍ ହୋଇଥିଲେ । ଯାହାର ଚାପ ଅନ୍ୟ ବ୍ୟାଟରଙ୍କ ଉପରେ ପଡିଥିଲା । ତେଣୁ ରୋହିତଙ୍କୁ ବ୍ରେକ୍ ଦେବାକୁ ଗିଲ୍ ଚିନ୍ତା କରିଥାଇପାରନ୍ତି ।

ସିରିଜରେ ଜାଜେଡା ସେତେଟା ପ୍ରଭାବି ହୋଇନଥିଲେ । ବ୍ୟାଟିଂ କିମ୍ବା ବୋଲିଂରେ ତାଙ୍କ ମ୍ୟାଜିକ୍ କାମ କରିନଥିଲା । ଶେଷ ଦିନିକିଆରେ ସେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ରନ୍ ଗତି କମାଇ ପାରିନଥିଲେ । ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଥିଲେ । ଏପରିକି ତାଙ୍କ ଫିଲ୍ଡିଂ ମଧ୍ୟ ଆଗ ଭଳି ନାହିଁ । ତେଣୁ ତାଙ୍କୁ ମଧ୍ୟ ଆଗାମୀ ଦିନରେ ବ୍ରେକ୍ ଦେଇପାରନ୍ତି ଗିଲ୍ ।

ବିଶ୍ୱକପ୍ ପାଇଁ ଏବେଠୁ ପ୍ଲାନ୍

୨୦୨୭ରେ ଭାରତ ବିଶ୍ୱକପ୍ ଖେଳିବ । ତେଣୁ ଏବେଠୁ ଏକ ଶକ୍ତିଶାଳୀ ଦଳ ଗଠନ କରିବା ପାଇଁ ଗିଲ୍ ଚିନ୍ତା କରୁଛନ୍ତି । ତେଣୁ ସେ ନୀତିଶ କୁମାର ରେଡ୍ଡିଙ୍କୁ ଅଧିକ ସୁଯୋଗ ଦେବେ ବୋଲି କୁହାଯାଉଛି । ନିଜେ ମଧ୍ୟ ସେ ଏନେଇ କହିସାରିଛନ୍ତି । ସେହିପରି ରୋହିତଙ୍କ ଜାଗାରେ ଜୟଶ୍ୱାଲ କିମ୍ବାତୁରାଜ ଗାଏକଓ୍ୱାଡଙ୍କୁ ସୁଯୋଗ ମିଳିପାରେ । ସେହିପରି ବୋଲିଂ ଏବଂ ଫିଲ୍ଡିଂରେ ଦଳ କିପରି ଭଲ ହେବ ସେନେଇ ମଧ୍ୟ ମ୍ୟାନେଜେମେଣ୍ଟ୍ ଧ୍ୟାନ ଦେବେ । ଏସବୁକୁ ଶୀଘ୍ର ସୁଧାରି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଭାରତୀୟ ଟିମ୍ ଲକ୍ଷ୍ୟ ରଖିଛି ।