ଜହନାବାଦ: ବିହାରର ବ୍ୟସ୍ତତମ ଗୟା-ପାଟନା ରେଳ ଖଣ୍ଡରେ ଗୁରୁବାର ଭୋର ୩ଟାରୁ ୩ ଘଣ୍ଟା ପର୍ଯ୍ୟନ୍ତ ରେଳ ସେବା ବ୍ୟହତ ହୋଇଥିଲା। କଥିତ ରୂପେ ଚୋରମାନେ ତେହତା ଓ ଜହାନାବାଦ ଷ୍ଟେସନ ମଧ୍ୟରେ ୨୫,୦୦୦ ଭୋଲ୍ଟର ପାଖାପାଖି ୧୦୦ ମିଟର ଓଭର ହେଡ ବିଦ୍ୟୁ (ଓଏଚଇ) ତାର କାଟି ଦେବା ଯୋଗୁ ଏପରି ପରିସ୍ଥିତି ଉପୁଜିଥିଲା ବୋଲି ଇଷ୍ଟ ସେଣ୍ଟ୍ରାଲ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆରଓ) ସରସ୍ୱତୀ ଚନ୍ଦ୍ର କହିଛନ୍ତି। ଚୋରମାନେ ସମ୍ଭବତଃ ଭୋର ୩ଟା ୫ ମିନିଟ୍ ରେ ଏହି କାଣ୍ଡ କରିଛନ୍ତି। ଫଳରେ ଏହି ରୁଟରେ ଟ୍ରେନ ସଞ୍ଚାଳନ ଗୁରୁତର ପ୍ରଭାବିତ ହୋଇଛି।

ତେବେ ଓଏଚଇ ୱେର କାଟି ନିଆଯିବା ଯୋଗୁ ମରାମତି ଶେଷ ହେବା ପର୍ଯ୍ୟନ୍ତ ଡାଉନ ଟ୍ରେନ ଗୁଡିକୁ ସିଙ୍ଗଲଲାଇନ ୱାର୍କିଂରେ ଚଳା ଯାଇଥିଲା। ରେଳ କର୍ମଚାରୀମାନେ କ୍ଷତିଗ୍ରସ୍ତ ଓଭରହେଡ ଲାଇନର ମରାମତି କରି ଦେଇଛନ୍ତି। ସକାଳ ୬ଟା ୨୬ ମିନିଟ୍ ରେ ରେଳବାଇର ଏହି ଖଣ୍ଡକୁ ରେଳ ଚଳାଚଳା ପାଇଁ ଉପଯୁକ୍ତ ଘୋଷଣା କରିଥିଲେ। ତେବେ ଚୋର ତାର କାଟି ଦେଇଥିଲେ ବି ନେଇ ପାରି ନାହାନ୍ତି। ରେଳ ସୁରକ୍ଷା ବଳ (ଆରପିଏଫ) କଟା ତାର ଜବତ କରିଛନ୍ତି। ଏବେ ଏହି କାଣ୍ଡରେ ସମ୍ପୃକ୍ତ ଚିହ୍ନଟ ଓ ଗିରଫ ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ବିହାରରେ ଏଭଳି ରେଳବାଇ ସମ୍ପତ୍ତି ଚୋରି କିଛି ନୂଆ କଥା ନୁହେଁ କି ଏଥି ପାଇଁ ଟ୍ରେନ ଯାତ୍ରାରେ ଉପୁଜୁଥିବା ବାଧା ମଧ୍ୟ ନୂଆ କଥା ନୁହେଁ।

ନିକଟରେ ଦାନାପୁର ଷ୍ଟେସନରେ ସିଗ୍ନାଲ କେବୁଲ ଚୋରି ହୋଇଯାଇଥିଲା। ଫଳରେ ହମସଫର ଏକ୍ସପ୍ରେସ୍ ଓ ଶ୍ରମଜୀବୀ ଏକ୍ସପ୍ରେସ ସମେତ ୧୨ରୁ ଅଧିକ ଟ୍ରେନ ଚଳାଚଳରେ ବାଧା ଉପୁଜିଥିଲା। ସେତେବେଳେ ଓଭର ହେଡ଼ ବଦଳେ ସିଗ୍ନାଲ କେବୁଲ ଚୋରି ହୋଇଥିଲା। ଏଣୁ ଏହା ରେଳ ଚଳାଚଳକୁ ଏତେମାତ୍ରାରେ ପ୍ରଭାବିତ କରିନଥିଲା। ଏହା ପୂର୍ବରୁ ଜୁଲାଇ ୨୦୨୪ରେ ଚୋରମାନେ ପାଟନା-ଝାଝା ରେଳମାର୍ଗର ଫତୁହା ଷ୍ଟେସନ ନିକଟରେ ଏକ ବାଉଁଶରେ ଆରି ବାନ୍ଧି ୩୯ ମିଟ ବିଦ୍ୟୁତତାର କାଟି ଦେଇଥିଲେ। ଏହି ଚୋରି ଯୋଗୁ ଅପ ଓ ଡାଉନ ଉଭୟ ମାର୍ଗରେ ରାଳ ଯାତାୟାତ ପାଖାପାଖି ୨ ଘଣ୍ଟା ଅଟକି ରହିଥିଲା।