ପୁଣେ ୧।୧: ପୁଣେ ମ୍ୟୁନିସିପାଲ କର୍ପୋରେସନ (ପିଏମସି)ର ଧନକାୱଡୀ-ସହକାର ନଗର ୱାର୍ଡରେ ଜନୈକ ଶିବସେନା ପ୍ରାର୍ଥୀଙ୍କ ବିରୋଧରେ ୱାର୍ଡ କାର୍ଯ୍ୟାଳୟରେ ନିଜ ପାର୍ଟିର ଅନ୍ୟ ଜଣେ ପ୍ରାର୍ଥୀଙ୍କ ‘ଏ’ ଓ ‘ବି’ ଫର୍ମ ଚୋବାଇ ଗିଳିଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଘଟଣା ସମ୍ପର୍କରେ ଆସିଷ୍ଟାଣ୍ଟ ଇଲେକ୍ସନ ଅଫିସର ତଥା ନାୟବ ତହସିଲଦାର ମନିଷ ଭୁଟକର ଭାରତୀ ବିଦ୍ୟାପୀଠ ପୋଲିସରେ ଏ ନେଇ ଅଭିଯୋଗ କରିଛନ୍ତି।

ପ୍ରାର୍ଥୀଙ୍କ ବିରୋଧରେ ଭାରତୀୟ ଦଣ୍ଡିବିଧି ଆଇନ ଧାରାରେ ମୋକଦ୍ଦମା ରୁଜୁ ହୋଇଛି। ସିନିୟର ଇନିସପେକ୍ଟର ରାହୁଲ ଖିଲାର କହିଛନ୍ତି ଯେ ପାର୍ଟି ପ୍ରଥମେ ନିଜ କାର୍ଯ୍ୟକର୍ତ୍ତା ମଚିନ୍ଦ୍ରା ଧୱାଲେଙ୍କୁ ଫର୍ମ ଜାରି କରିଥିଲା, ଯିଏ ୱାର୍ଡ ୩୬-ଏ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପରେ ପାର୍ଟିରୁ ଅଭିଯୁକ୍ତକୁ ଆଉ ଏକ ‘ଏ’ ଓ ‘ବି’ ଫର୍ମ ଜାରି ହୋଇଥିଲା, ଯିଏ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଥିଲେ। ଖିଲୋର କହିଛନ୍ତି ଯେ ଅଭିଯୁକ୍ତ ଏହି ଫର୍ମ ଜାରି ହେବା ପରେ ବୁଧବାର ୱାର୍ଡ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀଙ୍କ ସୂଚୀ ଓ ଫର୍ମ ଥିବା ଫାଇଲ ମାଗିଥିଲା।

କାର୍ଯ୍ୟାଳୟରେ ତାଙ୍କୁ ଫାଇଲ ଦିଆଯିବା ପରେ ସେ ଧୱାଲେଙ୍କ ଫର୍ମ ବାହାର କରି ଏହାକୁ ଚିରି ଟିକଟିକ୍ କରିଦେବାକୁ ଚେଷ୍ଟା କରିଥିଲେ। ତେବେ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାରୁ ସେ ୱାସରୁମ ଆଡକୁ ଦୌଡି ପଳାଇଥିଲେ ଓ ଫର୍ମକୁ ଚୋବାଇ ଗିଳି ଦେଇଥିଲେ। ଏଣୁ ତାଙ୍କଠାରୁ ଫର୍ମ ଜବତ ହୋଇ ପାରିନଥିଲା। ମାମଲାରେ ଆସିଷ୍ଟାଣ୍ଟ ଇଲେକ୍ସନ ଅଫିସର ତଥା ନାୟବ ତହସିଲଦାର ଭାରତୀ ବିଦ୍ୟାପୀଠ ପୋଲିସରେ ଏ ନେଇ ଏତଲା ରୁଜୁ କରିଥିବା ବେଳେ ଭାରତୀୟ ଦଣ୍ଡ ବିଧି ଆଇନ (ବିଏନଏସ) ଧାରା ୧୩୨ ( ଲୋକସେବକଙ୍କ ଉପରେ ଆକ୍ରମଣ ଅଥବା ଅପରାଧିକ ବଳ ପ୍ରୟୋଗ) ଓ ୩୨୪ (ଅଭଦ୍ରତା ଆଚରଣ) ପୋଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।