ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବୁଧବାର ଗଣମାଧ୍ୟମ ସହ ଭର୍ଚୁଆଲ କଥା ହୋଇଛନ୍ତି। ସେ କହିଛନ୍ତି ଯେ ମୁଁ ସେହି ବ୍ୟକ୍ତି ଭାବେ କହୁଛି ଯିଏ ନିଜ ଜୀବନ ବାଂଲାଦେଶ ଲୋକଙ୍କ ସହ ବିତାଇଛି ଓ ମୋତେ ମୋ ଦେଶରୁ ଦୂରେଇ ଦିଆଯାଇଛି, ତେବେ ମୁଁ ମୋ ଲୋକଙ୍କଠୁ କେବେବି ଦୂରେଇ ଯାଇନି। ସେ ଦୁଇ ବର୍ଷ ପୂର୍ବେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନକୁ ନିନ୍ଦା କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ୨ ବର୍ଷ ହେଲା ବାଂଲାଦେଶକୁ ପୀଡ଼ିତ ହେଉଥିବା ଦେଖିଛି। ଏହା ସେହି ବାଂଲାଦେଶ ନୁହେଁ ଯାହାକୁ ମୁଁ ଗଢି ଥିଲି, ଏହା ସେହି ବାଂଲାଦେଶ ନୁହେଁ ଯାହାଲାଗି ୧୯୭୧ ମସିହାରେ ୩୦ଲକ୍ଷ ଲୋକ ନିଜ ଜୀବନ ବଳି ଚଢେଇ ଦେଇଥିଲେ।

ସେ କହିଛନ୍ତି ଯେ ମୁଁ ଜୁଲାଇ ଓ ଅଗଷ୍ଟ ୨୦୨୪ର ସତ୍ୟତା ଏଠାରେ ରଖୁଛି। ଏହା ଏକ ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ମୋ ସରକାର ଆରମ୍ଭରୁ କଥାବାର୍ତ୍ତା, ଆଇନଗତ ପ୍ରକ୍ରିୟା ଓ ଧୈର୍ଯ୍ୟ ମାଧ୍ୟମରେ ଏହି ପ୍ରସଙ୍ଗକୁ ଶାନ୍ତିପୂର୍ବକ ସମାଧାନ ଲାଗି ଉଦ୍ୟମ କରିଥିଲା। ହେଲେ ସଙ୍ଗଠିତ ସମୂହ ଛାତ୍ରଙ୍କ ଦାବିକୁ ହିଂସାତ୍ମକ ରାଜନୈତିକ ଅସ୍ତ୍ରରେ ବଦଳାଇବାକୁ କାମ କରୁଥିଲା। ନିଜେ ମହମ୍ମଦ ୟୁନୁସ ଏହାକୁ ବୁଝି ବିଚାରି ଛିଡା କରାଯାଇଥିବା ଏକ ଆନ୍ଦୋଳନ ବୋଲି କହିଥିଲେ, ଯାହାର ନେତୃତ୍ୱ ଜଣେ ମାଷ୍ଟର ମାଇଣ୍ଡ ନେଇଥିଲା। ସେମାନଙ୍କ ଶବ୍ଦ ହି ସତ୍ୟତାକୁ ଉଜାଗର କରୁଛି। ଏହା କୌଣସି ସାଧାରଣ ସ୍ୱତଃସ୍ପୁର୍ତ୍ତ ଛାତ୍ର ଆନ୍ଦୋଳନ ନଥିଲା।

ଏହି ଆନ୍ଦୋଳନର ସ୍ପଷ୍ଟ ଓ ଦାୟିତ୍ୱବାନ ନେତୃତ୍ୱ ନଥିଲା। ନିର୍ଦ୍ଦେଶ ଗୋପନରେ ଦିଆଯାଉଥିଲା ଏହାକୁ ସଙ୍ଗଠିତ ଓ ନିର୍ଦ୍ଦେଶିତ କରାଯାଇଥିଲା ଓ ଏହାକୁ ବାଲଟ ବାକ୍ସ ବାହାରେ କ୍ଷମତାକୁ ପହଞ୍ଚିବା ଲାଗି ବ୍ୟବହାର କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ ଫରେନ କରସପଣ୍ଡେନ୍ସ କ୍ଲବରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏଥିରେ ତାଙ୍କ ମୁହଁ ଦେଖା ଯାଇ ନାହିଁ। କେବଳ ତାଙ୍କ ଭାଷଣର ଲାଇଭ ବ୍ରଡକାଷ୍ଟ କରାଯାଇଛି। ଏଥିରେ ଶେଖ ହସିନା ଅଭିଯୋଗ କରିଛନ୍ତି ଯେ ୨୦୨୪ର ସେହି ବିଦ୍ରୋହ ଯାହା ତାଙ୍କ ସରକାରକୁ ଭାଙ୍ଗି ଦେଇଛି ତାହା ଅସଲରେ ଛାତ୍ର ଆନ୍ଦୋଳନ ଆଢୁଆଳରେ ରଚା ଯାଇଥିବା ଶାସନ ପରିବର୍ତ୍ତନର ଏକ ସୁନିୟୋଜିତ ଷଡ଼ଯନ୍ତ୍ର।

ଏଥିରେ ଅସଲି ଛାତ୍ରଙ୍କୁ ବ୍ୟବହାର କରାଯାଇଥିଲା ଓ ସେମାନଙ୍କୁ ଉସକା ଯାଇଥିଲା। ହେଲେ ଏପରି କାମ ସେମାନେ କରିଥିଲେ ଏଥିରେ ଯେଉଁମାନଙ୍କର ସ୍ୱାର୍ଥ ଥିଲା। ମାମଲା ସଂରକ୍ଷଣର ନଥିଲା ବରଂ ସରକାର ବଦଳାଇବା ଲାଗି ଲୋକଙ୍କୁ ଉସକାଇବାର ଯୋଜନା ଥିଲା।