ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ନେପାଳରେ ବିନାଶକାରୀ ବନ୍ୟା ପରେ ଭାରତର ତ୍ୱରିତ ସହାୟତାକୁ ସ୍ୱାଗତ କରିଛନ୍ତି। ତେବେ ସେ ଭାରତୀୟ ମିଡିଆକୁ ସଚେତନ କରି ୨୦୧୫ ଭୂମିକମ୍ପ କାଳରେ କଭରେଜରେ କରିଥିବା ଭୁଲର ଯେପରି ପୁନରାବୃତ୍ତି ନ କରେ ସେଥି ପାଇଁ ସତର୍କ କରିଛନ୍ତି। କାଠମାଣ୍ଡୁରେ ଅନୁଷ୍ଠିତ ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମ କାଳରେ ନେପାଳକୁ ଏକ ସାର୍ବଭୌମ ଓ ଏକ ସମାନ ଦେଶ ଭାବେ ସମ୍ମାନ ଦେବା ପାଇଁ ଓକିଲାତି କରିଛନ୍ତି।

ଥରୁର କହିଛନ୍ତି ଯେ ଗତ ଭୂମିକମ୍ପ କାଳରେ ଭାରତ ପ୍ରଶଂସନୀୟ ସହାୟତା କରିଥିଲା। ହେଲେ କିଛି ଭାରତୀୟ ଗଣମାଧ୍ୟମ ଏହାକୁ ଯେପରି ବଢେଇ ଚଢେଇ ଅତିରଞ୍ଜିତ କଭର କରିଥିଲେ ତାହା ଅତ୍ୟନ୍ତ କୁତ୍ସିତ ଥିଲା। ହେଲେ ଭାରତର ସହାୟତା ପ୍ରତ୍ୟକ୍ଷ ଥିଲା କିନ୍ତୁ ଏହାର କଭରେଜ ସମସ୍ୟାଗ୍ରସ୍ତ ଥିଲା। ଗଣମାଧ୍ୟମ ସରକାରଙ୍କ ଭଳି ଏହି ସମ୍ପର୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର ବୋଲି ଥରୁର କହିଛନ୍ତି। ୨୦୧୫ ମସିହାରେ ଯେବେ ନେପାଳରେ ଭୂମିକମ୍ପ ହୋଇଥିଲା ସେତେବେଳେ ଏକ ଭାରତୀୟ ଗଣମାଧ୍ୟମ ବର୍ଗ ଦ୍ୱାରା ରିଲିଫ କାର୍ଯ୍ୟର କଭରେଜକୁ ନେଇ ନେପାଳୀ ଜନତାଙ୍କ ମଧ୍ୟରେ ଭୀଷଣ ଆକ୍ରୋଶ ଓ ଅସନ୍ତୋଷ ବ୍ୟାପିଥିଲା।

ଗଣମାଧ୍ୟମ କଭରେଜକୁ ସମସ୍ୟା ଗ୍ରସ୍ତ କହିବା ସହିତ ଥରୁର କହିଛନ୍ତି ଯେ ସଂକଟରେ ଫଶିଥିବା ଓ ସହୟାତା ପ୍ରାପ୍ତ କରୁଥିବା ଲୋକଙ୍କୁ ଏହା ଜଣାଇବା ଆବଶ୍ୟକ ନୁହେଁ ଯେ ସେମାନଙ୍କୁ ସହାୟତା କିଏ କରୁଛି। ଗତ ଦିନରେ ନେପାଳରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ସରକାର କରିଥିବା ସହାୟତାକୁ ଥରୁର ଉଚ୍ଚ ପ୍ରଶଂସା କରିଛନ୍ତି। କହିଛନ୍ତି ପଡୋଶୀ ଏପରି ସହାୟତା କରନ୍ତି। ମୋର ବିଶ୍ୱାସ ଆହୁରି ସହାୟତା କରାଯିବ। ଯାହା ବି ଜରୁରି ଭାରତ ସରକାର କରିବେ। ଆମେ ନେପାଳର ନିକଟତମ ପଡ଼ୋଶୀ ଓ ନେପାଳ ସହ ଆମେ ଏକଜୁଟ ଭାବେ ଛିଡା ହୋଇଛେ। ଏହା ହିଁ ବଡ଼ କଥା ବୋଲି ଥରୁର କହିଛନ୍ତି।

ଥରୁର କହିଛନ୍ତି ଯେ ନେପାଳ ଲାଗି ଭାରତର ଦୃଷ୍ଟିକୋଣ ବଦଳିବା ଆବଶ୍ୟକ। ମୁଁ ୨୦୧୫ ଆର୍ଥିକ ନାକାବନ୍ଦୀର ଜଣେ ମୁଖର ସମାଲୋଚକ। ଭାରତର ଏହା ଏକ ହିମାଳୟୀ ଭୁଲ ଥିଲା। ତେବେ ଭାରତ ସରକାର କହିଥିଲେ ଯେ ଏହା ସହ ଆମର କୌଣସି ନେଣ ଦେଣ ନାହିଁ। ହେଲେ ସେତେବେଳେ ସରକାରଙ୍କ ମନବୃତ୍ତି ପରେ ଆମର ସମ୍ପର୍କକୁ ଖରାପ କରିଥିଲା। ଆମେ ନେପାଳକୁ ସେପରି ସମ୍ମାନ ଦେବା ଆବଶ୍ୟକ ଯେପରି ଏହା ଆମ ପରି ଏକ ସମାନ ଦେଶ। ଥରୁର କହିଛନ୍ତି ଯେ ‘ରୋଟି ବେଟି’ ସମ୍ପର୍କ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ, ହେଲେ ଏହି ସମ୍ପର୍କ ଆଗକୁ ବି ବଢିବା ଦରକାର।