ପୁରୀ ୨୭।୦୯ : ମହାପ୍ରଭୁଙ୍କ ସୁନାବେଶ ପାଇଁ ଆଉ ଏକ ନୂତନ ସ୍ବର୍ଣ୍ଣ ଅଳଙ୍କାର ସେଟ୍ ତିଆରି କରାଯିବ। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ଵ ଅର୍ଥରେ ମହାପ୍ରଭୁଙ୍କ ସୁନାବେଶର ଏହି ଦ୍ବିତୀୟ ସୁବର୍ଣ୍ଣ ଅଳଙ୍କାର ସେଟ୍ ତିଆରି କରିବେ। ଯେଉଁ ଭକ୍ତମାନେ ଦାନ ଦେବା ପାଇଁ ଚାହିଁବେ ସେମାନେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ଦାନ ଦେଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେପଟେ ମହାପ୍ରଭୁଙ୍କର ସୁନାବେଶ ପାଇଁ ଦ୍ବିତୀୟ ଅଳଙ୍କାର ସେଟ୍ ତିଆରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ବାରମ୍ବାର ଦାବି ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବାରୁ ବରିଷ୍ଠ ସେବାୟତ ଓ ଜଗନ୍ନାଥ ପ୍ରେମୀ ଏହାକୁ ସ୍ବାଗତ କରିଛନ୍ତି।

ସୁନାବେଶରେ ମହାପ୍ରଭୁ ପରିଧାନ କରୁଥିବା କିରୀଟର ଅନେକ ଅଂଶ ଭାଙ୍ଗି ଯାଇଥିବା ବେଳେ ଏହା ଅସୁନ୍ଦର ଲାଗୁଥିବା ଅନେକ ଥର ସେବକ ଓ ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି। ଅମାପ ଧନ ସମ୍ପତ୍ତିର ମାଲିକ ମହାପ୍ରଭୁ ସୁନାବେଶରେ ଭଙ୍ଗା ସୁବର୍ଣ୍ଣ ଅଳଙ୍କାର ପିନ୍ଧିବାକୁ ନେଇ ଦୀର୍ଘ ବର୍ଷ ହେବ ଉଦବେଗ ପ୍ରକାଶ କରି ଆସୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ଜଗନ୍ନାଥ ପ୍ରେମୀ। ମହାପ୍ରଭୁଙ୍କ ସୁନାବେଶ ପାଇଁ ଆଉ ଏକ ନୂତନ ସୁନା ଅଳଙ୍କାର ସେଟ୍ ତିଆରି ପାଇଁ ଗତକିଛି ବର୍ଷ ହେବ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଦାବି ହେଉଛି। ଏଣୁ ସେବାୟତ ଓ ଭକ୍ତଙ୍କ ଉଦବେଗକୁ ଲକ୍ଷ୍ୟରେ ରଖି ମହାପ୍ରଭୁଙ୍କ ସୁନାବେଶ ପାଇଁ ଆଉ ଏକ ନୂତନ ସୁବର୍ଣ୍ଣ ଅଳଙ୍କାର ସେଟ୍ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Also Read:-R&B ଡିଭିଜନ-୧ ଟଙ୍କା ହେରଫେର ମାମଲାରେ ଏପର୍ଯ୍ୟନ୍ତ ୬ ଗିରଫ, ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ

ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତି ଭାବରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ଆଉ ଏକ ନୂତନ ସୁନା ଅଳଙ୍କାର ସେଟ୍ ତିଆରି ପାଇଁ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ନୂତନ ଅଳଙ୍କାର ସେଟ୍ ତିଆରି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ଏବଂ କେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସେନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Watch Video:-