ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଶୁକ୍ରବାର ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ଏବଂ ନିଫ୍ଟି ପ୍ରାୟ ୩୬୦ ପଏଣ୍ଟ ଖସି ବନ୍ଦ ହୋଇଛି । ଏହାରି ଭିତରେ ବିଏସଇରେ ତାଲିକ୍ତାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ୫.୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି । ତଗାତାର ତୃତୀୟ କାରବାର ଦିନରେ ବଜାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଆମେରିକା-ଇରାନ ଚୁକ୍ତିକୁ ନେଇ ଅନିଶ୍ଚିତତା, ଏଫଆଇଆଇର ବିକ୍ରି ଯୋଗୁଁ ବଜାର ଚାପରେ ରହିଛି ।

ଶୁକ୍ରବାର ସକାଳେ ସେନସେକ୍ସ ସବୁଜ ରଙ୍ଗରେ ଖୋଲିଥିଲା । ୩୫୨ ପଏଣ୍ଟ ବୃଦ୍ଧି ପାଇ ୭୬,୨୨୦.୦୨ ପଏଣ୍ଟରେ ଦିନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ସେହିପରି, ନିଫ୍ଟି ମଧ୍ୟ ଖୋଲିବା ପରେ ତୁରନ୍ତ ୯୫ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୨୪,୦୦୨.୮୦ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଭୂରାଜନୈତିକ ଚିନ୍ତା ହ୍ରାସ ପାଇବାର ଆଶା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ବିଶ୍ୱ ବଜାରରେ ବୃଦ୍ଧି ଏବଂ ଟଙ୍କାର ସୁଦୃଢ଼ତା ଭଳି କାରଣଗୁଡ଼ିକ ଦ୍ୱାରା ବଜାରକୁ ସମର୍ଥନ ମିଳିଥିଲା ।

କିନ୍ତୁ ଅପରାହ୍ନରେ ବଜାର ହ୍ରାସ ପାଇବା ଆରମ୍ଭ କଲା । ଶେଷ ବ୍ୟବସାୟ ଘଣ୍ଟାରେ ବିକ୍ରି ଚାପ ଦେଖାଗଲା । ସେନସେକ୍ସ ଏହାର ପୂର୍ବ ବନ୍ଦ ତୁଳନାରେ ପ୍ରାୟ ୧,୨୭୯ ପଏଣ୍ଟ ହ୍ରାସ ପାଇ ୭୪,୫୮୯.୧୧ ପଏଣ୍ଟ ସର୍ବନିମ୍ନ ସ୍ତରରେ ପହଞ୍ଚିଲା । ସେହିପରି, ନିଫ୍ଟି ମଧ୍ୟ ୪୨୨ ପଏଣ୍ଟ ହ୍ରାସ ପାଇ ୨୩,୪୮୪.୭୫ ପଏଣ୍ଟ ସର୍ବନିମ୍ନ ସ୍ତରରେ ପହଞ୍ଚିଲା । ପରେ ସେନସେକ୍ସ ୧,୦୯୨.୦୬ ପଏଣ୍ଟ ହ୍ରାସ ପାଇ ୭୪,୭୭୫.୭୪ ଏବଂ ନିଫ୍ଟି ୩୫୯.୪୦ ପଏଣ୍ଟ ହ୍ରାସ ପାଇ ୨୩,୫୪୭.୭୫ ପଏଣ୍ଟରେ ସ୍ଥିର ହେଲା ।

ଗୁରୁବାର ବକ୍ରିଦ ପାଇଁ ଷ୍ଟକ୍ ବଜାର ବନ୍ଦ ଥିଲା । ବୁଧବାର ବନ୍ଦ ହେବା ବେଳକୁ ବିଏସଇ-ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ୪୭୦.୧୫ ଲକ୍ଷ କୋଟି ଥିଲା । ଶୁକ୍ରବାର ବନ୍ଦ ହେବା ବେଳକୁ ଏହା ୪୬୪.୯୭ ଲକ୍ଷ କୋଟିକୁ ହ୍ରାସ ପାଇଛି । ଆଜିର ହ୍ରାସ ସହ ନିବେଶକଙ୍କୁ ୫.୧୭ ଲକ୍ଷ କୋଟି ହ୍ରାସ କ୍ଷତି ହୋଇଛି ।