ହଜାରୀବାଗ: ଝାଡଖଣ୍ଡରେ ନକ୍ସଲବାଦ ବିରୋଧରେ ଶୁକ୍ରବାର ସୁରକ୍ଷା ବଳଙ୍କୁ ଏକ ବଡ଼ ସଫଳତା ମିଳିଛି। ଚତରା ଓ ହଜାରୀବାଗ ଜିଲ୍ଲା ସୀମାରେ ୧୭ ଏପ୍ରିଲ ମଧ୍ୟାହ୍ନରେ କୋବରା ବଟାଲିୟନ ଓ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ୧୫ ଲକ୍ଷ ଟଙ୍କାର ଇନାମୀ ନକ୍ସଲ କମାଣ୍ଡର ସମେତ ୪ ଜଣ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ପୋଲିସ ବିପୁଳ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ସୂଚନା ଅନୁସାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କେରେଡାରୀ ଥାନା କୁଠାନ ଗ୍ରାମର କୁଖ୍ୟାତ ନକ୍ସଲ କମାଣ୍ଡର ସହଦେବ ଓରଫ ଶାହଦେବ ମହତୋ ଓ ତା ପତ୍ନୀ ନତାସା ମଧ୍ୟ ଅଛନ୍ତି।

ନତାସା ମୂଳତଃ ଛତିଶଗଡର ବାସିନ୍ଦା ଓ ସଙ୍ଗଠନରେ ଥାଇ ସେ ସହଦେବକୁ ବିବାହ କରିଥିଲା। ନିକଟରେ ନତାସା ଛତିଶଗଡରୁ ଝଡଖଣ୍ଡ ଆସି ମୃତ ପ୍ରାୟ ମାଓବାଦୀ ସଙ୍ଗଠନକୁ ପୁଣି ଜୀବନ୍ୟାସ ଦେବାକୁ ଷଡ଼ଯନ୍ତ୍ର ଚଳାଇଥିଲା। ନତାସା ଓ ସହଦେବ ଦୀର୍ଘ ସମୟରୁ ମାଓବାଦ ଗତିବିଦ୍ଧିରେ ଜଡିତ ଥିଲେ। ଚତରା-ହଜାରୀବାଗ ସୀମାରେ ନକ୍ସଲଙ୍କ ଏକ ଦଳ ଏକଜୁଟ ହୋଇଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଚତରା (ପିପରୱାର) ଓ ହଜାରୀବାଗ (କେରେଡାରୀ) ପୋଲିସ କୋବ୍ରା ବଟାଲିୟନ ସହ ମିଶି ବଟୁକା ଜଙ୍ଗଲକୁ ଘେରାଉ କରିଥିଲେ।

ନକ୍ସଲମାନେ ସୁରକ୍ଷାବଳ ସେମାନଙ୍କୁ ଘେରି ଯାଇଥିବା ଜାଣି ପାରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ୨ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନରେ ୪ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ୨ଟି ଏକେ-୪୭, ଗୋଟିଏ ଆମେରିକୀୟ ରାଇଫଲ, କେତେକ ଆଧୁନିକ ଓ ଦେଶୀ ଅସ୍ତ୍ରଶସ୍ତ୍ର ବିପୁଳ ପରିମାଣରେ କାର୍ତୁସ ଓ ମାଓ ସାହିତ୍ୟ ଜବତ ହୋଇଛି। ଚତରା ଏସପି ସୁମିତ କୁମାର ଅଗ୍ରୱାଲ ଏନକାଉଣ୍ଟର ସମ୍ପର୍କରେ ପୁଷ୍ଟି କରିଥିବା ବେଳେ ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରାଉ କରି ତଲାସ ଅଭିଯାନ ଚଳା ଯାଇଥିବା କହିଛନ୍ତି। ଏହି ସଂଘର୍ଷ ରେ କିଛି ନକ୍ସଲ ଆହତ ହୋଇଥିବାର ମଧ୍ୟ ସୂଚନା ଆସୁଛି। ମୃତ ନକ୍ସଲଙ୍କ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି।