ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଖର୍ଚ୍ଚ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ପେଣ୍ଟାଗନ ଅଧିକାରୀମାନେ କହିଛନ୍ତି ଯେ, ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। କିନ୍ତୁ ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ ଏହି ତଥ୍ୟକୁ ଭୁଲ ବୋଲି କହି ପ୍ରଶ୍ନ ଉଠାଇଛନ୍ତି।

ପ୍ରକୃତରେ କେତେ ହୋଇଛି ଖର୍ଚ୍ଚ ?

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ପେଣ୍ଟାଗନର ୨୫ ବିଲିୟନ ଡଲାରର ମୂଲ୍ୟ ପ୍ରକୃତ ଖର୍ଚ୍ଚଠାରୁ ଯଥେଷ୍ଟ କମ୍ ହୋଇପାରେ। ଏଜେନ୍ସିର ବିଶ୍ଳେଷଣ ଅନୁଯାୟୀ, ଅସ୍ତ୍ରଶସ୍ତ୍ର, କ୍ଷତିଗ୍ରସ୍ତ ଉପକରଣ ଏବଂ ପରିଚାଳନା ଖର୍ଚ୍ଚ ବାବଦକୁ ମୋଟ ୧୪ ବିଲିୟନ ଡଲାର ଖର୍ଚ୍ଚ ହୋଇଥାଇପାରେ ।

ଖର୍ଚ୍ଚର ବିବରଣୀ

ରିପୋର୍ଟ ଅନୁଯାୟୀ, ଏହି ୧୪ ବିଲିୟନ ଡଲାର ମଧ୍ୟରୁ ପ୍ରାୟ ୮ ବିଲିୟନ ଡଲାର ଯୁଦ୍ଧାସ୍ତ୍ର ପାଇଁ, ୫ ବିଲିୟନ ଡଲାର କ୍ଷତିଗ୍ରସ୍ତ ବିମାନ ଏବଂ ଉପକରଣ ମରାମତି ପାଇଁ ଏବଂ ପ୍ରାୟ ୧ ବିଲିୟନ ଡଲାର ଏକ ବିମାନ ବାହକ ଏବଂ ୧୬ଟି ବିଧ୍ୱଂସକ ପରିଚାଳନା ପାଇଁ ଖର୍ଚ୍ଚ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ସଂଖ୍ୟାରେ ପଶ୍ଚିମ ଏସିଆରେ ଆମେରିକୀୟ ଘାଟିର ମରାମତି, ଚାଲିଥିବା ନୌସେନା ଅବରୋଧ ସମେତ ଅନେକ ପ୍ରମୁଖ ଖର୍ଚ୍ଚକୁ ବାଦ ଦିଆଯାଇଛି। କାର୍ଯ୍ୟକାରୀ ପେଣ୍ଟାଗନ ନିୟନ୍ତ୍ରକ ଜୁଲ୍ସ ହର୍ଷ୍ଟ କହିଛନ୍ତି ଯେ, ଉପସ୍ଥାପିତ ସଂଖ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ପରିଚାଳନା ଖର୍ଚ୍ଚ ଅନ୍ତର୍ଭୁକ୍ତ । କିନ୍ତୁ ସେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିନାହାଁନ୍ତି।

କଣ କହିଲେ ବିଶେଷଜ୍ଞ ?

ଷ୍ଟିମସନ୍ ସେଣ୍ଟରର ଜଣେ ବରିଷ୍ଠ ଫେଲୋ କେଲି ଗ୍ରେକୋ କହିଛନ୍ତି ଯେ, ୨୫ ବିଲିୟନ ଡଲାର ଯୁଦ୍ଧର ପ୍ରକୃତ ମୂଲ୍ୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ କରେ ନାହିଁ। ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ଆକଳନ କରିଛି ଯେ, କେବଳ ଅସ୍ତ୍ରଶସ୍ତ୍ରର ମୂଲ୍ୟ ୨୫ ବିଲିୟନ ଡଲାର ହୋଇପାରେ। ସିନେଟର ରିଚାର୍ଡ ବ୍ଲୁମେନ୍ଥଲ୍ ପୂର୍ବରୁ ଦାବି କରିଥିଲେ ଯେ, ଯୁଦ୍ଧ ପାଇଁ ପ୍ରତିଦିନ ୨ ବିଲିୟନ ଡଲାର ଖର୍ଚ୍ଚ ହୋଇପାରେ ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ଶୁଣାଣି

୨୯ ଏପ୍ରିଲରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ପ୍ରଥମ ଥର ପାଇଁ କଂଗ୍ରେସ ସମ୍ମୁଖରେ ହାଜର ହୋଇଥିଲେ। ପ୍ରାୟ ଛଅ ଘଣ୍ଟାର ଶୁଣାଣିରେ ୧.୫ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ଉପରେ ଆଲୋଚନା ହୋଇଥିଲା। ଶୁଣାଣି ସମୟରେ, ସେ ଯୁଦ୍ଧର ଖର୍ଚ୍ଚ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଏହାର ପ୍ରଭାବକୁ ନେଇ ଡେମୋକ୍ରାଟ ଏବଂ ରିପବ୍ଲିକାନ ଉଭୟଙ୍କ ସହିତ ବିତର୍କ କରିଥିଲେ। ହେଗସେଥ୍ ଯୁଦ୍ଧ କେତେ ଦିନ ଚାଲିବ କିମ୍ବା ଆହୁରି କେତେ ଖର୍ଚ୍ଚ ବୃଦ୍ଧି ପାଇପାରେ ତାହା ସ୍ପଷ୍ଟ କରିନଥିଲେ ।