ଶ୍ରୀନଗର: ଜମ୍ମୁକାଶ୍ମୀରର ସରକାରୀ ସ୍କୁଲ ଲାଇବ୍ରେରୀ (ପାଠାଗାର) ପାଇଁ ଅନୁମୋଦିତ ଏକ ବହିକୁ ନେଇ ବର୍ତ୍ତମାନ ସାରା ଦେଶରେ ତୀବ୍ର ଅସନ୍ତୋଷ ଓ ବିବାଦ ଦେଖାଦେଇଛି। ଏହି ବହିରେ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ ନେତାମାନଙ୍କର ପ୍ରଶଂସା କରାଯିବା ସହ ଜମ୍ମୁ-କାଶ୍ମୀରକୁ ‘ଭାରତ ଅଧିକୃତ କାଶ୍ମୀର’ ଭାବରେ ଦର୍ଶାଯାଇଛି। ଏହି ପୁସ୍ତକରେ 'ସମଗ୍ର ଶିକ୍ଷା, ଜେ-ଏଣ୍ଡ-କେ'  ଲୋଗୋ ମଧ୍ୟ ରହିଛି, ଯାହାକୁ ନେଇ ରାଜନୀତି ଜୋର ଧରିଛି ।  ଭାରତୀୟ ଜନତା ପାର୍ଟି ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିବାଦର ଘେରକୁ ଆସିଥିବା ଏହି ବହିର ନାମ ହେଉଛି 'Personalities and Legends of J&K' (ଜାମ୍ମୁ-କାଶ୍ମୀରର ବ୍ୟକ୍ତିତ୍ୱ ଏବଂ କିମ୍ବଦନ୍ତୀ)। ଏଥିରେ ଥିବା ଆପତ୍ତିଜନକ ତଥ୍ୟକୁ ନେଇ ବର୍ତ୍ତମାନ ତଦନ୍ତ ଦାବି ହେଉଛି। ଏହି ପୁସ୍ତକରେ ଜେକେଏଲଏଫ୍ ଆତଙ୍କବାଦୀ ମକବୁଲ୍ ଭଟ୍ଟକୁ ‘ଶହୀଦ’ ଭାବରେ ବର୍ଣ୍ଣନା କରାଯାଇଛି। କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲ୍ଲୀ ଶାହ ଗିଲାନୀ, ମସରତ ଆଲମ୍ ଏବଂ ମିରୱାଇଜ୍ ଉମର ଫାରୁକର ଜୀବନୀକୁ  ସକରାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଇଛି।

ବିଜେପିର ଅଭିଯୋଗ ଅନୁଯାୟୀ, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦର ମଧ୍ୟ ଏହି ବହିରେ ପ୍ରଶଂସା କରାଯାଇଛି।  ସବୁଠାରୁ ଆପତ୍ତିଜନକ କଥା ହେଉଛି, ବହିରେ କେତେକ ସ୍ଥାନରେ ଜମ୍ମୁକାଶ୍ମୀର ପାଇଁ ‘ଭାରତ ଅଧିକୃତ କାଶ୍ମୀର’ ଭଳି ଦେଶବିରୋଧୀ ଶବ୍ଦାବଳୀ ବ୍ୟବହାର କରାଯାଇଛି। ଏହି ପୁସ୍ତକରେ ସରକାରୀ ଶିକ୍ଷା ବିଭାଗର 'ସମଗ୍ର ଶିକ୍ଷା' ଲୋଗୋ ଥିବାରୁ ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଆତଙ୍କବାଦୀ ଏବଂ ଦେଶଦ୍ରୋହୀଙ୍କୁ ପ୍ରଶଂସା କରୁଥିବା ବହି କିଭଳି ସରକାରୀ ସ୍ତରରେ ଅନୁମୋଦନ ପାଇଲା ଏବଂ ସ୍କୁଲ ଲାଇବ୍ରେରୀଗୁଡ଼ିକୁ ବଣ୍ଟନ କରାଗଲା, ତାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ଜମ୍ମୁକାଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରଶାସିତ ଅଞ୍ଚଳର ଅନେକ ସରକାରୀ ସ୍କୁଲ ଲାଇବ୍ରେରୀକୁ ଏହି ପୁସ୍ତକ ଯୋଗାଇ ଦିଆଯାଇ ସାରିଛି। ବିଜେପି ଏହି ମାମଲାରେ ସମ୍ପୃକ୍ତ ଥିବା ଅଧିକାରୀ ଓ ଦାୟିତ୍ୱବାନ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି କରିଛି।