ନୂଆଦିଲ୍ଲୀ: ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରୁ ସାଉଦି ଆରବର ଜଣେ ୨୯ ବର୍ଷୀୟ ରାଜକୁମାରଙ୍କ ମୃତଦେହ ଉଦ୍ଧାର ମାମଲାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ମଦ୍ୟପାନ, ଡ୍ରଗ୍ସ ସେବନ ଏବଂ ବିଭିନ୍ନ ଔଷଧ ସେବନ ଯୋଗୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ରାଜକୁମାର ଅବଦୁଲ୍ଲା ବିନ୍ ଫହଦ୍ ବିନ୍ ଅବଦୁଲ୍ଲା ବିନ୍ ଅବଦୁଲଅଜିଜ୍ ବିନ୍ ଜଲୱି ଅଲ୍ ସାଉଦ୍ । ମିଡିଆ ରିପୋର୍ଟ ଅନୁଯାୟୀ, ଗତ ନଭେମ୍ବର ୨୫ ତାରିଖରେ କେନସିଂଟନସ୍ଥିତ 'ମ୍ୟାରିଅଟ୍ ହୋଟେଲ'ରୁ ତାଙ୍କ ମୃତଦେହ ମିଳିଥିଲା। ବହୁବିଧ ନିଶାଦ୍ରବ୍ୟ ଗ୍ରହଣ କରିବା ଯୋଗୁଁ ହୃଦ୍ଘାତ ଘଟି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଲଣ୍ଡନର ଏକ କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ହୋଟେଲ କୋଠରୀରୁ ମିଳିଥିଲା ମୃତଦେହଲଣ୍ଡନର 'ଇନର ୱେଷ୍ଟ' କୋରୋନର୍ସ କୋର୍ଟରେ ହୋଇଥିବା ଶୁଣାଣିରୁ ଜଣାପଡ଼ିଛି ଯେ, ରାଜକୁମାର ଅବଦୁଲ୍ଲା ନଭେମ୍ବର ୧୯ ତାରିଖରେ ଗୋଟିଏ ସପ୍ତାହ ରହିବା ପାଇଁ ଏହି ଦାମୀ ହୋଟେଲରେ ଚେକ୍-ଇନ୍ କରିଥିଲେ । ଏହି ହୋଟେଲରେ ଗୋଟିଏ ରାତିର ଭଡ଼ା ପାଖାପାଖି ୬୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ) । ମୃତ୍ୟୁର ପୂର୍ବ ସନ୍ଧ୍ୟାରେ ସେ ହୋଟେଲ ବାହାରକୁ ସିଗାରେଟ୍ ପିଇବାକୁ ଆସିଥିବା ସମୟରେ CCTV କ୍ୟାମେରାରେ ଶେଷଥର ପାଇଁ ଦେଖାଯାଇଥିଲେ।

ପରଦିନ ହୋଟେଲର ଜଣେ ସଫେଇ କର୍ମଚାରୀ ପଞ୍ଚମ ମହଲାରେ ଥିବା ତାଙ୍କ ରୁମ୍କୁ ସଫା କରିବାକୁ ଯାଇଥିବା ବେଳେ ବାଥରୁମରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାକୁ ଖବର ଦେଇଥିଲେ ହେଁ, ଘଟଣାସ୍ଥଳରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟ

ଶବ ବ୍ୟବଚ୍ଛେଦ ଓ ରକ୍ତ ପରୀକ୍ଷା (Toxicology Test) ରିପୋର୍ଟରୁ କେତେକ ଭୟାନକ ତଥ୍ୟ ସାମ୍ନାକୁ ଆସିଥିଲା । ତାଙ୍କ ରକ୍ତରେ ଆଲକହଲର ମାତ୍ରା ପ୍ରତି ୧୦୦ ମିଲିଲିଟରରେ ୨୨୨ ମିଲିଗ୍ରାମ୍ ଥିଲା—ଯାହା ବ୍ରିଟେନରେ ଗାଡ଼ି ଚଳାଇବା ପାଇଁ ନିର୍ଦ୍ଧାରିତ ଆଇନଗତ ସୀମାଠାରୁ ପ୍ରାୟ ତିନିଗୁଣ ଅଧିକ। ବିଶେଷଜ୍ଞଙ୍କ ମତରେ କେବଳ ଏହି ପରିମାଣର ମଦ ସେବନ ଦ୍ୱାରା ଜଣେ ବ୍ୟକ୍ତି କୋମାକୁ ଚାଲିଯାଇପାରେ।

ତାଙ୍କ ଶରୀରରୁ GHB ନାମକ ଏକ ସାଂଘାତିକ ଡ୍ରଗ୍ସର ଅତ୍ୟଧିକ ମାତ୍ରା ମିଳିଥିଲା। ଏହା ସହିତ ଗଞ୍ଜେଇ , ଜାନାକ୍ସ ଏବଂ ଅବସାଦ ନିରୋଧୀ ଔଷଧର ନମୂନା ମଧ୍ୟ ମିଳିଥିଲା। ଏତେ ଗୁଡ଼ିଏ ବିପଜ୍ଜନକ ନିଶାଦ୍ରବ୍ୟ ଓ ଔଷଧର ଏକତ୍ର ପ୍ରଭାବ ତାଙ୍କ ହୃଦୟ ଉପରେ ଚାପ ପକାଇଥିଲା, ଫଳରେ ହୃଦ୍ଘାତ ଘଟି ତାଙ୍କର ମୃତ୍ୟୁ ହୋଇଥିଲା। ଅଦାଲତରେ କୁହାଯାଇଥିଲା ଯେ, ରାଜକୁମାର ଅବଦୁଲ୍ଲା ଦୀର୍ଘ ଦିନରୁ ମଦ୍ୟପାନ ଏବଂ ଡ୍ରଗ୍ସ ସେବନ କରୁଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ସେ ପୂର୍ବରୁ ଚିକିତ୍ସିତ ହେଉଥିଲେ । ମଦ୍ୟପାନ ଓ ଡ୍ରଗ୍ସର ଅଭ୍ୟାସରୁ ବାହାରିବା ପାଇଁ ଚେଷ୍ଟା କରୁଥିବା ସତ୍ତ୍ୱେ, ପୁନର୍ବାର ଅତ୍ୟଧିକ ନିଶା ସେବନ କରିବା ହିଁ ଏହି ସାଉଦି ରାଜକୁମାରଙ୍କ ପାଇଁ କାଳ ହୋଇଥିଲା।