ନୂଆଦିଲ୍ଲୀ: ହୁତି ବିଦ୍ରୋହୀଙ୍କ ମିସାଇଲ୍ ଆକ୍ରମଣ ଆଶଙ୍କା ମଧ୍ୟରେ ସାଉଦି ଆରବରେ ହାଇ ଆଲର୍ଟ। ମଙ୍ଗଳବାର ପବିତ୍ର ସହର ମକ୍କା, ଜେଦ୍ଦା ଓ ତାଇଫ୍‌ରେ ‘ସମ୍ଭାବ୍ୟ ବିପଦ’ ନେଇ ଜରୁରୀକାଳୀନ ଚେତାବନୀ ଜାରି କରାଯାଇଥିଲା। ଇରାନ ସମର୍ଥିତ ୟେମେନର ହୁତି ମିଲିସିଆ ସାଉଦିର ପଶ୍ଚିମ ଉପକୂଳ ଆଡ଼କୁ ବାଲିଷ୍ଟିକ୍ ମିସାଇଲ୍ ଛାଡ଼ିଥିବା ରିପୋର୍ଟ ମଧ୍ୟରେ ଏହି ଆଲର୍ଟ ଜାରି ହୋଇଛି।

ସାଉଦି ଆରବର ଜେନେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ସିଭିଲ୍ ଡିଫେନ୍ସ ପକ୍ଷରୁ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟା ୪୮ରେ ଆଲର୍ଟ ଜାରି କରାଯାଇଥିଲା। ଲୋକଙ୍କୁ ତୁରନ୍ତ ଆଶ୍ରୟ ନେବା ସହ ସରକାରୀ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

ମକ୍କା ପାଇଁ ପ୍ରଥମଥର ଏଭଳି ଆଲର୍ଟ!

ନିକଟ ଇତିହାସରେ ପ୍ରଥମଥର ପାଇଁ ମକ୍କା ସହର ପାଇଁ ଏଭଳି ଆକାଶପଥରୁ ଶତ୍ରୁ ଆକ୍ରମଣ ସମ୍ଭାବନା ସମ୍ପର୍କିତ ଏମାର୍ଜେନ୍ସି ଆଲର୍ଟ ଜାରି କରାଯାଇଥିବା କୁହାଯାଉଛି। ମକ୍କା ହେଉଛି ଇସଲାମ ଧର୍ମର ଦୁଇ ପବିତ୍ରତମ ସ୍ଥାନ ମଧ୍ୟରୁ ଗୋଟିଏ। ପୂର୍ବରୁ କେବେ ଏହି ସହରରେ ଏଭଲି ସାଇରନ କିମ୍ବା ସତର୍କ ସୂଚନା ଜାରି କରାଯାଇ ନଥିଲା। ଦୁବାଇକୁ ଲୋକେ ସୁରକ୍ଷିତର ସହ ଓ ସାଉଦି ଆରବକୁ ସୁରକ୍ଷିତର ଦେଶ ବୋଲି କହନ୍ତି। ହେଲେ ଏଠାରେ ଏବ ଯୁଦ୍ଧ ଆଶଙ୍କା ଦେଖା ଦେଇଛି।

ତେବେ ଏଇ ଆଲର୍ଟ ଜାରି କରିବାର ପ୍ରାୟ ୩ ଘଣ୍ଟା ପରେ ସାଉଦି ସିଭିଲ୍ ଡିଫେନ୍ସ ପକ୍ଷରୁ ମକ୍କାରେ ବିପଦ ଟଳିଯାଇଥିବା ଘୋଷଣା କରାଯାଇଥିଲା। ତଥାପି ଲୋକଙ୍କୁ ଭିଡ଼ ନକରିବା ଏବଂ ଘଟଣାସ୍ଥଳର ଭିଡିଓ କିମ୍ବା ଫଟୋ ନଉଠାଇବାକୁ ପରାମର୍ଶ ଦିଆଯାଇଥିଲା।

ହୁଥିଙ୍କ ମିସାଇଲ୍ ବର୍ଷା

ଇସ୍ରାଏଲୀ ଖବରକାଗଜ ‘ହାୟୋମ୍’ ଅନୁସାରେ, ହୁଥିମାନେ ସାଉଦି ଆରବର ପଶ୍ଚିମ ଉପକୂଳ ଦିଗରେ ଏକାଧିକ ମିସାଇଲ୍ ମାଡ଼ କରିଥିଲେ। ଏହାପରେ ମକ୍କା ସମେତ ଅନେକ ସ୍ଥାନରେ ଆଲର୍ଟ ଜାରି ହୋଇଥିଲା। ମକ୍କା ରେଡ୍ ସି ଉପକୂଳଠାରୁ ପ୍ରାୟ ୭୦ କିଲୋମିଟର ଭିତରେ ଅବସ୍ଥିତ। ରିପୋର୍ଟ ଅନୁସାରେ, ଏହାର ଜବାବରେ ସାଉଦି ଏୟାରଫୋର୍ସ ୟେମେନର ତାଇଜ୍ ନିକଟରେ ହୁଥି ଠିକଣାକୁ ଟାର୍ଗେଟ୍ କରିଥିଲା।

ସୋମବାର ହୁଥିମାନେ ସାଉଦି ଆରବର ସାମରିକ ଘାଟି ଓ ସହରଗୁଡ଼ିକୁ ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସାଉଦିର ଦକ୍ଷିଣ ଅଞ୍ଚଳରେ ୧୩ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି।

୬ଟି ସହରରେ ଆଲର୍ଟ

‘ଦ ଟାଇମ୍ସ ଅଫ୍ ଇସ୍ରାଏଲ୍’ ଅନୁସାରେ, ମଙ୍ଗଳବାର ସକାଳେ ସାଉଦିର ଅତି କମ୍ରେ ୬ଟି ସହରକୁ ସିଭିଲ୍ ଡିଫେନ୍ସ ପକ୍ଷରୁ ଆଲର୍ଟ ପଠାଯାଇଥିଲା। ଏଥିରେ ଜେଦ୍ଦା, ଅଭା, ଜାଜାନ୍, ଅଲ୍ଉଲା ଓ ତାଇଫ୍ ସମେତ ରେଡ୍ ସି ଉପକୂଳର ପ୍ରମୁଖ ତୈଳ ରପ୍ତାନି ଟର୍ମିନାଲ୍ ୟାନ୍ବୁ ମଧ୍ୟ ଆଲର୍ଟ କରାଯାଇଥିଲା। ଲୋକଙ୍କୁ ଖୋଲା ଓ ଭିଡ଼ଭାଡ଼ ଅଞ୍ଚଳଠାରୁ ଦୂରେଇ ରହିବା ସହ ତୁରନ୍ତ ଘର ଭିତରେ ଆଶ୍ରୟ ନେବାକୁ କୁହାଯାଇଥିଲା।

ୟେମେନର ଦ୍ୱୀପ ଦଖଲ କରୁଛନ୍ତି ହୁଥି

ହୁଥିମାନେ ଗତ ସପ୍ତାହରେ ୟେମେନର ପଶ୍ଚିମ ଉପକୂଳ ଦଖଲ କରି ବାବ୍-ଏଲ୍-ମାଣ୍ଡେବ୍ ଷ୍ଟ୍ରେଟ୍ ଉପରେ ନିୟନ୍ତ୍ରଣ ବଢ଼ାଇଥିବା ଦାବି କରିଥିଲେ। ଏହା ସହିତ ଷ୍ଟ୍ରେଟ୍ ମଧ୍ୟଭାଗରେ ଥିବା ମାୟୁନ୍ ଦ୍ୱୀପ ମଧ୍ୟ ହୁଥିଙ୍କ ନିୟନ୍ତ୍ରଣକୁ ଯାଇଥିବା ରିପୋର୍ଟ ହୋଇଛି।

ସୋମବାର ହୁଥିମାନେ ଗ୍ରେଟର ହାନିଶ୍ ଓ ଲେସର ହାନିଶ୍ ଦ୍ୱୀପ ଦଖଲ କରିଥିବା ଘୋଷଣା କରିଥିଲେ। ଏହା ଫଳରେ ବିଶ୍ୱର ଏକ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ପଥ ବାବ୍-ଏଲ୍-ମାଣ୍ଡେବ୍ରେ ହୁଥିଙ୍କ ପ୍ରଭାବ ଆହୁରି ବଢ଼ିଛି।

ଏପଟେ ସାଉଦି ସମର୍ଥିତ ୟେମେନୀ ସେନା ହୁଥିଙ୍କ ହାତରୁ ହାରାଇଥିବା ଅଞ୍ଚଳ ପୁଣି ଦଖଲ କରିବାକୁ ଉଦ୍ୟମ କରୁଛି। ହର୍ମୁଜ୍ ଷ୍ଟ୍ରେଟ୍ର ବିକଳ୍ପ ଭାବେ ବାବ୍-ଏଲ୍-ମାଣ୍ଡେବ୍ର ଗୁରୁତ୍ୱ ଥିବାରୁ ଏହି ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ବିଶ୍ୱ ବାଣିଜ୍ୟ ଓ ତେଲ ପରିବହନ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି।

ଧୋକା ଦେଲା ପାକିସ୍ତାନ, ଇସ୍ରାଏଲ୍ର ସହଯୋଗ ଲୋଡ଼ୁଛି ସାଉଦି

ନିକଟରେ ତୁର୍କୀ-ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ସାମରିକ ସହଯୋଗ ଚୁକ୍ତି ଫେଲ୍ ମାରିଛି। ଆକ୍ରମଣ ବେଳେ ଜିଗ୍ରୀ ଦୋସ୍ତ ପାକିସ୍ତାନ ଛୁ ମାରିଛି। ପାକିସ୍ତାନ ଠାରୁ ଠାରୁ ଧୋକା ଖାଇବା ପରେ ଏବେ ଇସ୍ରାଏଲ୍ ମୁହାଁ ସାଉଦି ଆରବ। ହୁଥି ଯୋଦ୍ଧାମାନେ ୟେମେନର ରେଡ୍ ସି ଉପକୂଳର ବଡ଼ ଅଞ୍ଚଳ ସହ ବାବ୍-ଏଲ୍-ମାଣ୍ଡେବ୍ ଷ୍ଟ୍ରେଟର କିଛି ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରାଯାଉଛି। ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ମକ୍କା ଚୁକ୍ତିର ବନ୍ଧୁମାନଙ୍କର ଦେଖା ନାହିଁ, କି ପାକିସ୍ତାନ ଧରାଛୁଆଁ ଦେଉ ନାହିଁ। ତେଣୁ ଅନ୍ୟ ଉପାୟ ନ ପାଇ ସାଉଦି ଆରବ ନିଜ ସୁରକ୍ଷା ପାଇଁ ଇସ୍ରାଏଲର ସହାୟତା ନେବାକୁ ପରୋକ୍ଷ ଭାବେ ପଦକ୍ଷେପ ନେଇଥିବା ରିପୋର୍ଟ ସମ୍ନାକୁ ଆସିଛି।

ଇସ୍ରାଏଲ ସହ ଗୁପ୍ତ ଆଲୋଚନା!

‘ଦ ଜେରୁଜେଲମ୍ ପୋଷ୍ଟ’ ଅନୁସାରେ, ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ମଧ୍ୟସ୍ଥତାରେ ସାଉଦି ଆରବ ଓ ଇସ୍ରାଏଲ ମଧ୍ୟରେ ଆଲୋଚନା ହୋଇଛି। ହୁଥିଙ୍କ ସମ୍ଭାବ୍ୟ ସାମରିକ ବିପଦ ଏବଂ ବାବ୍-ଏଲ୍-ମାଣ୍ଡେବ୍ ଷ୍ଟ୍ରେଟ୍ ସମ୍ପର୍କରେ ସାଉଦି ଆରବ ଇସ୍ରାଏଲଠାରୁ ଗୁଇନ୍ଦା ସୂଚନା ସହାୟତା ଚାହିଥିବା ଜଣାପଡ଼ିଛି।

‘ଇସ୍ରାଏଲ ହାୟୋମ୍’ ରିପୋର୍ଟ ଅନୁସାରେ, ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ (MBS) ଅନ୍ୟ ଗଲ୍ଫ ଦେଶ ଏବଂ ଇଜିପ୍ଟଠାରୁ ମଧ୍ୟ ସହାୟତା ମାଗିଛନ୍ତି। ଇସ୍ରାଏଲ ସହ ସାଉଦି ଆରବର କୌଣସି କୂଟନୈତିକ ସମ୍ପର୍କ ନଥିବା ସତ୍ତ୍ୱେ ଏପରି ପରୋକ୍ଷ ଯୋଗାଯୋଗକୁ ସଙ୍କଟର ଗମ୍ଭୀରତାର ସଙ୍କେତ ବୋଲି ଦେଖାଯାଉଛି।