Vastu: ସନାତନ ଧର୍ମ ଏବଂ ବାସ୍ତୁ ଶାସ୍ତ୍ରରେ ଦୈନନ୍ଦିନ ଜୀବନଶୈଳୀକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ କୁହାଯାଇଛି। ସେହିପରି ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ କାର୍ଯ୍ୟ କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହ ଧନର ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣଙ୍କ ଘରେ ଆର୍ଥିକ ଅଭାବ ରହୁଛି କିମ୍ବା ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଉଛି, ତେବେ ରାତିରେ ଶୋଇବା ପୂର୍ବରୁ ଏହି ବାସ୍ତୁ ଉପାୟଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ।

୧. ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରାତିରେ ରୋଷେଇ ଘରେ କେବେ ହେଲେ ଅଇଁଠା ବାସନ ରଖି ଶୋଇବା ଉଚିତ୍ ନୁହେଁ। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣା ଏବଂ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି, ଯାହା ଘରେ ଦାରିଦ୍ର୍ୟତା ଆଣିଥାଏ। ତେଣୁ ଶୋଇବା ପୂର୍ବରୁ ସବୁବେଳେ ବାସନ ସଫା କରି ରଖନ୍ତୁ।

୨. ରୋଷେଇ ଘରେ ଖାଲି ବାଲଟି ବା ପାତ୍ର ରଖନ୍ତୁ ନାହିଁ
ରାତିରେ ରୋଷେଇ ଘର କିମ୍ବା ଗାଧୁଆ ଘରେ ପାଣି ବାଲ୍ଟିକୁ ସମ୍ପୂର୍ଣ୍ଣ ଖାଲି କରି ରଖିବା ଅଶୁଭ । ଶୋଇବା ପୂର୍ବରୁ ବାଲ୍ଟି ବା ପାତ୍ରରେ ସାମାନ୍ୟ ପାଣି ଭର୍ତ୍ତି କରି ରଖନ୍ତୁ। ଏହା ଘରେ ଆର୍ଥିକ ସ୍ଥିତିକୁ ମଜଭୁତ କରେ ଏବଂ ସକାରାତ୍ମକ ଶକ୍ତି ବଜାୟ ରଖେ।

୩. କର୍ପୂର ଜଳାନ୍ତୁ
ରାତିରେ ଶୋଇବା ପୂର୍ବରୁ ଶୟନ କକ୍ଷ କିମ୍ବା ଘରର ମୁଖ୍ୟ ଦ୍ୱାର ପାଖରେ କର୍ପୂର ଜଳାଇବା ଅତ୍ୟନ୍ତ ଶୁଭ। ଏହାଦ୍ୱାରା ଘରେ ଥିବା ସମସ୍ତ ନକାରାତ୍ମକ ପ୍ରଭାବ ନଷ୍ଟ ହୋଇଯାଏ, ସଦସ୍ୟମାନଙ୍କ ମାନସିକ ଶାନ୍ତି ମିଳେ ଏବଂ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

୪. ଶୋଇବା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବାସ୍ତୁ ଅନୁଯାୟୀ, ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ସବୁବେଳେ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରହିବା ଉଚିତ୍। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଶରୀର ଓ ମନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ସ୍ୱାସ୍ଥ୍ୟ ଖରାପ ହୁଏ । 

ଏହା ବ୍ୟତୀତ ଘରର ମୁଖ୍ୟ ପ୍ରବେଶ ଦ୍ୱାର ଆଗରେ କେବେ ହେଲେ ଜୋତା, ଚପଲ କିମ୍ବା ଅଳିଆ ଆବର୍ଜନା ଜମା କରି ରଖନ୍ତୁ ନାହିଁ। ଶୋଇବା ପୂର୍ବରୁ ଏହି ସ୍ଥାନକୁ ସଫା କରି ଦିଅନ୍ତୁ, ନଚେତ୍ ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ତେବେ ଏହି ସମସ୍ତ ତଥ୍ୟ ବାସ୍ତୁ ଶାସ୍ତ୍ର ଏବଂ ସାଧାରଣ ମାନ୍ୟତା ଉପରେ ଆଧାରିତ। ଏହାକୁ ଆପଣଙ୍କ ଦୈନନ୍ଦିନ ଜୀବନରେ ସାମିଲ କରି ଆପଣ ନିଜ ସଂସାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିପାରିବେ।