ମୁମ୍ବାଇ ୧୦।୧୨: ରିଏଲ ଇଷ୍ଟେଟ ବଜାରରେ ପାଦ ରଖିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ବଲିଉଡ ଷ୍ଟାର ରିୟେଲ ଇଷ୍ଟେଟରେ ଇନଭେଷ୍ଟମେଣ୍ଟ କରିବା କିଛି ନୂଆ କଥା ନୁହେଁ। ତେବେ ଏଥି ପାଇଁ ସେ ସଲମାନ ଖାନ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ କରିଛନ୍ତି। ଏହି କମ୍ପାନୀ ମାଧ୍ୟମରେ ସେ ତେଲେଙ୍ଗାନାରେ ୧୦ ହଜାର କୋଟି ଟଙ୍କାର ଇଣ୍ଟିଗ୍ରେଟେଡ ଟାଉନସିପ୍ ଓ ଫିଲ୍ମ ଷ୍ଟୁଡିଓ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି।

ଏ ନେଇ ଅଧିକାରୀକ ପ୍ରେସ ରିଲିଜ୍ ସାମ୍ନାକୁ ଆସିଛି। ଏହି ରିଲିଜ ଅନୁସାରେ ଟାଉନସିପ୍ ରେ ଏକ ଚାମ୍ପିୟନସିପ ଗଲଫ କୋର୍ସ, ହାଇଏଣ୍ଡ ଆରାମ ଦାୟକ ସୁବିଧା, ପ୍ରିମିୟମ ରେସିଡେନ୍ସିଆଲ ସ୍ପେସ୍, ଏକ ରେସ୍ କୋର୍ସ ଓ ଏକ ଷ୍ଟେଟ ଅଫ ଦି ଆର୍ଟ ଫିଲ୍ମ ଷ୍ଟୁଡିଓ କମ୍ପଲେକ୍ସ ମଧ୍ୟ ରହିବ, ଯେଉଁଠି ବଡ଼ ଫର୍ମାଟରେ ପ୍ରଡକ୍ସନ, ଓଟିଟି କଣ୍ଟେଣ୍ଟ. ଟାଲେଣ୍ଟ ଡେଭଲପମେଣ୍ଟ ପ୍ରୋଗ୍ରାମ ଓ ପୋଷ୍ଟ ପ୍ରଡକ୍ସନ ସୁବିଧା ମଧ୍ୟ ଉପଲବ୍ଧ ହେବ।

ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗତ ଅକ୍ଟୋବର ମାସରେ ସଲମାନ ଖାନଙ୍କୁ ଭେଟିଥିଲେ। ମୁମ୍ବାଇରେ ହୋଇଥିବା ଏହି ସାକ୍ଷାତ ଆଲୋଚନା କାଳରେ କେହି ଜାଣିନଥିଲେ ଡିଲକୁ ନେଇ ସଲମାନ ଏତେ ସିରିୟସ ଅଛନ୍ତି। ହେଲେ ଏବେ ଜଣାପଡିଛି କୋଟିକୋଟି ଟଙ୍କାର ଡିଲ କନଫର୍ମ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ହାଇଦ୍ରାବାଦରେ ନିକଟରେ ସମାପ୍ତ ହୋଇଥିବା ରାଇଜିଂ ସମ୍ମିଟରେ ସଲମାନ ଖାନ ବ୍ରାଣ୍ଡ ଆମ୍ବାସେଡର ଥିଲେ। କିନ୍ତୁ ସେ ଏବେ ଇନଭେଷ୍ଟର ପାଲଟିଛନ୍ତି। ତେବେ କେବଳ ସଲମାନ ନୁହନ୍ତି ଗତ ଜୁଲାଇରେ ଅଜୟ ଦେବଗନ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସେ ମଧ୍ୟ ଫିଲ୍ମସିଟି ନିର୍ମାଣ କାମରେ ଏବେ ଆଗକୁ ବଢୁଛନ୍ତି।