ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ଇଫେକ୍ଟ। ବିଶ୍ୱ ତୈଳ ବଜାରରେ ଅସ୍ଥିରତା । ଏହାରି ଭିତରେ ବଡ଼ ଗେମ ଖେଳିବାକୁ ଯାଉଛି ରୁଷିଆ। ଏପ୍ରିଲ ୧ରୁ ନିଜ ଦେଶରୁ ପେଟ୍ରୋଲ ରପ୍ତାନିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯାଉଛି। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ରୁଷ ସରକାର ଆନୁଷ୍ଠାନିକ ଭାବରେ ଏନେଇ ସ୍ପଷ୍ଟ କରିଛନ୍ତି। ରୁଷର ଉପ-ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ନୋଭାକ ଶକ୍ତି ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଏପ୍ରିଲ ୧ ତାରିଖରୁ ପେଟ୍ରୋଲ ରପ୍ତାନିକୁ ନିଷେଧ କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯିବା ଉଚିତ। ଏହି ନିର୍ଦ୍ଦେଶାନାମା କେବଳ କିଛି ସପ୍ତାହ ପାଇଁ ନୁହେଁ, ବରଂ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରା ଚାରି ମାସ ପାଇଁ ରହିବ।

also read-ଇରାନ୍‌ର ନୌସେନା କମାଣ୍ଡରଙ୍କ ମୃତ୍ୟୁ ଖବର ସତ, ସ୍ପଷ୍ଟ କଲା ତେହେରାନ୍‌

ଏହି ପ୍ରମୁଖ ନିଷ୍ପତ୍ତି ପଛରେ ଅନେକ ଅନ୍ତର୍ଜାତୀୟ ଏବଂ ଭୂ-ରାଜନୈତିକ କାରଣ ରହିଛି। ଉପ-ପ୍ରଧାନମନ୍ତ୍ରୀ ନୋଭାକ କରିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ବିଶ୍ୱ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ବଜାରରେ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ସୃଷ୍ଟି କରିଛି। ଏହି ଉତ୍ତେଜନା ଯୋଗୁଁ ମୂଲ୍ୟରେ ତୀବ୍ର ପରିବର୍ତ୍ତନ ଆସିଛି। ତଥାପି, ସେ ଏହା ମଧ୍ୟ ଜୋର ଦେଇଛନ୍ତି ଯେ ବିଦେଶୀ ବଜାରରେ ରୁଷର ଶକ୍ତି ସମ୍ବଳର ଚାହିଦା ଦୃଢ଼ ରହିଛି, ଯାହା ତାଙ୍କ ଦେଶର ଅର୍ଥନୀତି ପାଇଁ ସକାରାତ୍ମକ। ଏକ ସରକାରୀ ବିବୃତ୍ତି ମଧ୍ୟ ନିଶ୍ଚିତ କରିଛି ଯେ ଅଶୋଧିତ ତୈଳ ବିଶୋଧନ ଗତ ବର୍ଷର ସ୍ତରରେ ରହିଛି, ଯାହା ପେଟ୍ରୋଲିୟମ ଉତ୍ପାଦର ସ୍ଥିର ଯୋଗାଣକୁ ସୁନିଶ୍ଚିତ କରେ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ରୁଷ ଏହାର ତୈଳ ରପ୍ତାନି ଉପରେ ଏତେ କଠୋର କଟକଣା ଲଗାଇଛି। ଦେଶରେ ବଢ଼ୁଥିବା ଇନ୍ଧନ ମୂଲ୍ୟକୁ ନିୟନ୍ତ୍ରଣ କରିବା ଏବଂ ଯେକୌଣସି ସମ୍ଭାବ୍ୟ ଅଭାବକୁ ଦୂର କରିବା ପାଇଁ, ସରକାର ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ରପ୍ତାନି ଉପରେ କଟକଣା ଲଗାଇଥିଲା।

ଶିଳ୍ପ ତଥ୍ୟ ଅନୁଯାୟୀ, ଗତ ବର୍ଷ ରୁଷ ପ୍ରାୟ ୫ ନିୟୁତ ମେଟ୍ରିକ୍ ଟନ୍ ପେଟ୍ରୋଲ ରପ୍ତାନି କରିଥିଲା। ଦୈନିକ ହିସାବ କଲେ, ଏହି ସଂଖ୍ୟା ପ୍ରତିଦିନ ପ୍ରାୟ ୧ ଲକ୍ଷ ୧୭ ହଜାର ବ୍ୟାରେଲ ହେବ। ଅନ୍ତର୍ଜାତୀୟ ବଜାରରୁ ଏତେ ପରିମାଣକୁ ଅବରୋଧ କରିବା ଏବଂ ଘରୋଇ ବଜାରରେ ଏହାକୁ ସୁରକ୍ଷିତ ରଖିବାର ସିଧାସଳଖ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା।

ରୁଷର ରିଫାଇନାରୀଗୁଡ଼ିକ ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ଚାଲୁଥିଲେ ମଧ୍ୟ ଭବିଷ୍ୟତର ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ୟାସୋଲିନ୍ ରପ୍ତାନି ଉପରେ ରୋକ୍ ଲଗାଯାଇଛି । ଏହି ଖବର ପରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ? ତେବେ ଭାରତୀୟ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ଏହି କଟକଣାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ। ଏହାର କାରଣ ହେଉଛି: ଭାରତ ରୁଷରୁ ‘ଗ୍ୟାସୋଲିନ୍’ ପେଟ୍ରୋଲ କିଣେ ନାହିଁ, ବରଂ ‘ଅଶୋଧିତ ତେଲ’ ବା Crude Oil ଆମଦାନୀ କରିଥାଏ । ଭାରତ ନିଜ ଦେଶରେ ହିଁ ଅଶୋଧିତ ତେଲକୁ ରିଫାଇନ୍ କରି ପେଟ୍ରୋଲ ପ୍ରସ୍ତୁତ କରେ। ରିଫାଇନ୍ ହୋଇଥିବା ଇନ୍ଧନ ପାଇଁ ଭାରତ ରୁଷ ଉପରେ ନିର୍ଭରଶୀଳ ନୁହେଁ।