ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ଲଢ଼ୁଥିବା ରୁଷ ଇତିହାସରେ ପ୍ରଥମ ଥର ରେକର୍ଡ ପ୍ରତିରକ୍ଷା ବଜେଟ୍‌ ଘୋଷଣା କରିଛି । ସୋଭିଏତ ସମୟ ପରେ ପ୍ରଥମ ଥର ରୁଷ ସର୍ବାଧିକ ଡିଫେନ୍ସ ବଜେଟ୍‌କୁ ଅନୁମୋଦନ ଦେଇଛି ।  ୟୁକ୍ରେନ୍‌ରେ ଯୁଦ୍ଧକୁ ଆଉ ନ ବଢ଼ାଇବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟ୍ରମ୍ପ ଅନୁରୋଧ କରିଥିବା ବେଳେ, ରୁଷ ସଂସଦ ୨୦୨୭–୨୦୨୯ ପାଇଁ ଏକ ଏପରି ବଜେଟ୍ ପାରିତ କରିଛି ଯେଉଁଥିରେ ସୋଭିଏତ୍ ସମୟ ପରଠାରୁ ସବୁଠାରୁ ଅଧିକ ସାମରିକ ଖର୍ଚ୍ଚ ରଖାଯାଇଛି। 

ଆଗାମୀ ତିନି ବର୍ଷ ପାଇଁ ଜାତୀୟ ପ୍ରତିରକ୍ଷା ବାବଦରେ ପ୍ରାୟ ୬୦୯ ବିଲିୟନ୍ ଡଲାର ବ୍ୟୟ ବରାଦ କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ, ମସ୍କୋ ନିକଟ ଭବିଷ୍ୟତରେ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ମୁଡ୍‌ରେ ନାହିଁ। ପୂର୍ବ ତିନି ବର୍ଷୀୟା ବଜେଟ୍ ତୁଳନାରେ ଏହି ସାମରିକ ବ୍ୟୟ ବରାଦ ୧୨୧ ବିଲିୟନ୍ ଡଲାର ଅଧିକ । ୨୦୨୨ରେ ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଆକ୍ରମଣ ଆରମ୍ଭ ହେବା ପରଠାରୁ ରୁଷ ଏପର୍ଯ୍ୟନ୍ତ ସାମରିକ କ୍ଷେତ୍ରରେ ପ୍ରାୟ ୭୧୦ ବିଲିଅନ୍ ଡଲାର ଖର୍ଚ୍ଚ କରିସାରିଛି। ନୂଆ ବଜେଟ୍ ଅନୁଯାୟୀ, ଏହି ଖର୍ଚ୍ଚ ୨୦୨୭ ଶେଷ ସୁଦ୍ଧା ପ୍ରାୟ ୯୧୮ ବିଲିଅନ୍ ଡଲାର, ୨୦୨୮ ଶେଷ ସୁଦ୍ଧା ପ୍ରାୟ ୧.୧ ଟ୍ରିଲିଅନ୍ ଡଲାର ଏବଂ ୨୦୨୯ ଶେଷ ସୁଦ୍ଧା ୧.୩ ଟ୍ରିଲିଅନ୍ ଡଲାରରୁ ମଧ୍ୟ ଅଧିକ ହୋଇଯିବ।

ବଢ଼ୁଥିବା ଏହି ଯୁଦ୍ଧ ଖର୍ଚ୍ଚର ଭରଣା କରିବା ପାଇଁ ପୁଟିନ ସରକାର ଖଣି କମ୍ପାନୀଗୁଡ଼ିକ ଉପରେ ଅତିରିକ୍ତ ଟିକସ ଏବଂ ନାଗରିକମାନଙ୍କ ନିବେଶରୁ ମିଳୁଥିବା ଆୟ ଉପରେ ଟିକସ ବଢ଼ାଇବାକୁ ଚାହୁଁଛନ୍ତି। ଏଥିସହିତ ଅନେକ ବେସାମରିକ କ୍ଷେତ୍ରରେ ଖର୍ଚ୍ଚ କାଟ୍‌ କରୁଛନ୍ତି ସରକାର । ଯେପରିକି ସ୍ୱାସ୍ଥ୍ୟସେବାରେ ୩ ପ୍ରତିଶତ ଏବଂ ପେନସନ୍ ସମେତ ସାମାଜିକ ସହାୟତାରେ ୬ ପ୍ରତିଶତ ଖର୍ଚ୍ଚ କାଟ କରିବ ରୁଷ। ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ୟୁକ୍ରେନ୍ ଯୁଦ୍ଧକୁ ଆଗକୁ ଜାରି ରଖିବା ପାଇଁ ପୁଟିନ ବ୍ୟବସାୟୀ ଓ ସାଧାରଣ ଉପଭୋକ୍ତାଙ୍କଠାରୁ ଅଧିକ ଟିକସ ଆଦାୟ କରିବାକୁ ଚେଷ୍ଟା କରୁଛନ୍ତି ।

ଘରୋଇ ଖର୍ଚ୍ଚ କମାଇବା ସତ୍ତ୍ୱେ, ନିରନ୍ତର ଯୁଦ୍ଧକାଳୀନ ଖର୍ଚ୍ଚ କାରଣରୁ ୨୦୨୭ରେ ରୁଷର ସଂଘୀୟ ବଜେଟ୍‌ରେ ଏକ ବଡ଼ ନିଅଣ୍ଟ ଦେଖାଦେବ। ବଜେଟ୍ ପୂର୍ବାନୁମାନ ମୁତାବକ, ୨୦୨୭ରେ ଏହି ବଜେଟ୍ ନିଅଣ୍ଟ ୫.୪୪ ଟ୍ରିଲିଅନ୍ ରୁବଲ୍ (ପ୍ରାୟ ୬୬.୨ ବିଲିଅନ୍ ଡଲାର) ବା GDP ର ୨.୨ ପ୍ରତିଶତ ହେବ । ଏହାର ଭରଣା ପାଇଁ ସରକାର ଋଣ କରିପାରନ୍ତି। ତଥ୍ୟ ଅନୁଯାୟୀ, ୨୦୨୬ର ପ୍ରଥମ ତ୍ରୈମାସିକରେ ମୋଟ ସରକାରୀ ଖର୍ଚ୍ଚର ପ୍ରାୟ ୪୬ ପ୍ରତିଶତ ସାମରିକ ସମ୍ବନ୍ଧୀୟ ଖର୍ଚ୍ଚରେ ଯାଇଥିଲା ।  ତିନି ମାସରେ ପ୍ରାୟ ୫.୯ ଟ୍ରିଲିଅନ୍ ରୁବଲ୍ (୭୧.୮ ବିଲିଅନ୍ ଡଲାର) ଥିଲା। ଦୀର୍ଘ ଦିନ ଧରି ଯୁଦ୍ଧ ଲଢ଼ୁଥିବା ରୁଷ ପାଇଁ ଚିନ୍ତା ବଢ଼ିଛି ।