ନୂଆଦିଲ୍ଲୀ ୩୧।୦୫; ମେ ମାସ ଶେଷ ହେବାକୁ ଯାଉଛି ଏବଂ ଆଉ ମାତ୍ର ତିନି ଦିନ ପରେ ଜୁନ୍ ମାସ ଆରମ୍ଭ ହେବ । ପ୍ରତି ମାସ ଭଳି ଆସନ୍ତା ମାସ ମଧ୍ୟ ଦେଶରେ ଅନେକ ବଡ଼ ପରିବର୍ତ୍ତନ ନେଇ ଆସୁଛି, ଯାହା ପହିଲା ତାରିଖରୁ ହିଁ ଲାଗୁ ହୋଇଯିବ । ଏହି ନିୟମଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିବ । ରୋଷେଇ ଘରର ବଜେଟ୍ଠାରୁ ଆରମ୍ଭ କରି ବ୍ୟାଙ୍କ୍ କାରବାର ପର୍ଯ୍ୟନ୍ତ, ସବୁଠି କିଛି ନା କିଛି ବଦଳିବାକୁ ଯାଉଛି। ଆସନ୍ତୁ ଜାଣିବା ଜୁନ୍ ୧, ୨୦୨୬ ରୁ ହେବାକୁ ଥିବା ୫ଟି ବଡ଼ ପରିବର୍ତ୍ତନ ବିଷୟରେ: 

ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ- ପ୍ରତି ମାସର ପ୍ରଥମ ତାରିଖରେ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ଧାର୍ଯ୍ୟ କରନ୍ତି । ଜୁନ୍ ପହିଲାରେ ମଧ୍ୟ ଗ୍ୟାସ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅସ୍ଥିରତା ଯୋଗୁଁ ବିଗତ କିଛି ମାସ ହେବ ସିଲିଣ୍ଡର ଦର ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ୧୪ କେଜି ବିଶିଷ୍ଟ ଘରୋଇ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କା ଥିବାବେଳେ ୧୯ କେଜିଆ ବ୍ୟବସାୟିକ ସିଲିଣ୍ଡର ୨୦୭୮ ଟଙ୍କାରେ ମିଳୁଛି । 

ବିମାନ ଇନ୍ଧନ ମୂଲ୍ୟ- ଏଲପିଜି ପରି ବିମାନ ଇନ୍ଧନ ବା ଏୟାର ଟର୍ବାଇନ୍ ଫ୍ୟୁଏଲ୍ ମୂଲ୍ୟରେ ମଧ୍ୟ ମାସର ପହିଲାରେ ପରିବର୍ତ୍ତନ କରାଯାଏ । ଯଦି ଏଟିଏଫ୍ ଦର ବଢ଼େ, ତେବେ ବିମାନ ଯାତ୍ରା ମହଙ୍ଗା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଦିଲ୍ଲୀରେ ଜେଟ୍ ଫ୍ୟୁଏଲର ମୂଲ୍ୟ ପ୍ରାୟ ୧,୦୪,୯୨୭ ଟଙ୍କା ପ୍ରତି କିଲୋଲିଟର ରହିଛି । 

ଏଚଡିଏଫସି ବ୍ୟାଙ୍କର ନୂଆ ନିୟମ- ୧ ଜୁନ୍ ୨୦୨୬ ରୁ ଏଚଡିଏଫସି ବ୍ୟାଙ୍କ ଏହାର କରେଣ୍ଟ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଜମା ଖାତା ସହିତ ଜଡ଼ିତ ନିୟମରେ ପରିବର୍ତ୍ତନ କରୁଛି । ନୂଆ ନିୟମ ଅନୁଯାୟୀ, ୨୦ ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟର ନୋଟ୍ ଜମା କରିବା ପାଇଁ ମାସିକ ସୀମା ୧୦,୦୦୦ ଟଙ୍କା ଏବଂ ମୁଦ୍ରା ପାଇଁ ୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ସୀମା ଅତିକ୍ରମ କଲେ ଅତିରିକ୍ତ ଜମା ରାଶି ଉପରେ ୨ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। 

ସୋଲାର ପ୍ୟାନେଲ୍ ସମ୍ବନ୍ଧୀୟ ନିୟମ- ଜୁନ୍ ୧ ରୁ ସୋଲାର ପ୍ୟାନେଲ୍ ପାଇଁ ଅନୁମୋଦିତ ମଡେଲ୍ ଏବଂ ନିର୍ମାତା ତାଲିକା ଅନିବାର୍ଯ୍ୟ ହେବ । ଏହା ଲାଗୁ ହେବା ପରେ ସମସ୍ତ ସରକାରୀ ଯୋଜନା ଏବଂ ସବସିଡି ପ୍ରକଳ୍ପରେ କେବଳ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ତାଲିକାଭୁକ୍ତ ସୋଲାର ମଡ୍ୟୁଲ୍ ବ୍ୟବହାର କରାଯିବ । ଏହି କାରଣରୁ ସୋଲାର ପ୍ୟାନେଲର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । 

ଜୁନ୍ ମାସରେ ବ୍ୟାଙ୍କ ଛୁଟି- ଆରବିଆଇ କ୍ୟାଲେଣ୍ଡର ଅନୁଯାୟୀ, ଜୁନ୍ ମାସରେ ମହରମ, ସନ୍ଥ ଗୁରୁ କବୀର ଜୟନ୍ତୀ ଏବଂ ସାପ୍ତାହିକ ଛୁଟି ମିଶାଇ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ବିଶେଷ କରି ୧୫, ୨୫, ୨୬, ୨୯ ଏବଂ ୩୦ ଜୁନ୍ରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇପାରେ । ତେବେ ଏହି ସମୟରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବା ଚାଲୁ ରହିବ

Also Read-