ଭୁବନେଶ୍ବର: ବାରଙ୍ଗ ପରେ ବ୍ରହ୍ମପୁରରେ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ। ହେଲେ ଏଥର ବିବାଦରେ ଆରପିଏଫ । ଚୋରି ଅଭିଯୋଗରେ ଜଣେ ଟ୍ରେନ୍ କୋଚ୍ ଆଟେଣ୍ଡରଙ୍କୁ ଆରପିଏଫ୍ ଅଧିକାରୀ ଓ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ କୋଚ୍ ଆଟେଣ୍ଡରଙ୍କ ଗୋଡ଼ ଭାଙ୍ଗିଥିବା ବେଳେ, ତିନି ଘଣ୍ଟା ଧରି ବ୍ରହ୍ମପୁର ଆରପିଏଫ ଥାନାରେ ତାଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହ ତାଙ୍କର ଯୌନାଙ୍ଗ ଓ ଦେହର ବିଭିନ୍ନ ଜାଗାରେ ଇଲେକ୍ଟ୍ରିକ୍ ସକ୍ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଯୁବକ ଜଣକ।

ସୂଚନା ଅନୁସାରେ, ଗତ ମାସ ୨୭ ତାରିଖରେ ପ୍ରଶାନ୍ତି ଏକ୍ସପ୍ରେସର A1 ବଗିରେ ଡ୍ୟୁଟି କରୁଥିଲେ ଟ୍ରେନ୍ କୋଚ୍ ଆଟେଣ୍ଡର୍ ସୌମ୍ୟ ରଞ୍ଜନ ମିଶ୍ର । ତେବେ ସେହିଦିନ ବଗିର ୨୮ ନମ୍ବର ସିଟ୍ରେ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଚୋରି ହୋଇଥିଲା। ଏମିତିରେ ମହିଳା ଜଣକ ଆରପିଏଫରେ ଅଭିଯୋଗ କରିଥିଲେ। କିନ୍ତୁ ସଠିକ ତଦନ୍ତ ନକରି ତାଙ୍କୁ ଚୋର ସାବ୍ୟସ୍ତ କରିବା ସହ ଆରପିଏଫ୍ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ କରିଛନ୍ତି ସୌମ୍ୟ। ବଡ଼ କଥା ହେଲା ଏସବୁ ଘଟଣା ପରେ ବଗିର ସିସିଟିଭି ଯାଞ୍ଚରୁ ଅନ୍ୟ କେହି ଚୋରି କରୁଥିବା ଜଣାପଡ଼ିଛି।

Also Read: ଚାକିରି କରାଇଦେବା ନାଁରେ ଠକେଇ ଘଟଣା: ତିନି ମହିଳାଙ୍କ ସମେତ ୪ ଗିରଫ​​​​​​​

ସେପଟେ ଏହି ଘଟଣାରେ ଅତ୍ୟାଚାରର ଶିକାର ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ନ୍ୟାୟ ଓ ବ୍ରହ୍ମପୁର ଆରପିଏଫ ଥାନାରେ ଥାର୍ଡ ଡିଗ୍ରୀ ଦେଇଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତଟ ରେଳବାଇ ମଜଦୁର ସଂଘ ପକ୍ଷରୁ ଖୋର୍ଦ୍ଧା ଡିଆରଏମ, ଇଷ୍ଟ କୋଷ୍ଟ ରେଲୱେ, ଆରପିଏଫ, ବ୍ରହ୍ମପୁର ଏସପି ଏବଂ ମାନବାଧିକାର କମିଶନ ସମେତ ବିଭିନ୍ନ ଫୋରମରେ ଅଭିଯୋଗ କରାଯାଇଛି। ମାମଲାରେ କଠୋରରୁ କଠୋରୁ କାର୍ଯ୍ୟାନୁଷ୍ଠାନ ଦାବି ନେଇ ସଂଘ ପକ୍ଷରୁ ଖୋର୍ଦ୍ଧା ଡିଆରଏମ୍ ଅଫିସ୍ ଘେରାଉ ସହ ଆନ୍ଦୋଳନ କରିବାକୁ କହିଛନ୍ତି ମଜଦୂର ସଂଘର ସାଧାରଣ ସମ୍ପାଦକ।