ଦୁଇଚକିଆ ପାଇଁ ମାସକୁ ମିଳୁଛି ୨୫ ଲିଟର ପେଟ୍ରୋଲ

ଥାନାରେ ପଡ଼ିରହିଛି, ପୂରଣ ହେଉନି ମୂଳ ଉଦ୍ଦେଶ୍ୟ

ରାଉରକେଲା: ଥାନାକୁ ମିଳିଛି ବାଇକ୍‌, ବୁଲେଟ୍‌, ସ୍କୁଟର । ଉଦ୍ଦେଶ୍ୟ, ତଦନ୍ତକାରୀ ଅଧିକାରୀ ସହଜରେ ତଦନ୍ତସ୍ଥଳକୁ ପହଞ୍ଚିବେ । ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଗଳିକନ୍ଦିରେ ସୁଦୃଢ଼ ହେବ ପାଟ୍ରୋଲିଂ ବ୍ୟବସ୍ଥା । ଅପରାଧୀଙ୍କ ଷଡ୍‌ଯନ୍ତ୍ର ପଣ୍ଡ ହେବ । ସଂଗଠିତ ଅପରାଧରେ ରୋକ ଲାଗିବ । ଏହି ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରିବାକୁ ପ୍ରତି ମାସରେ ସରକାର ଦେଉଛନ୍ତି ୨୫ ଲିଟର ପେଟ୍ରୋଲ୍‌ । ହେଲେ ଫଳ ଶୂନ । କାରଣ ଦୁଇଚକିଆ ଚଢ଼ିବାକୁ ପୋଲିସ୍‌ କର୍ମଚାରୀଙ୍କ ମନ ଊଣା । ସାଧାରଣ ଘଟଣା କି ଦୁର୍ଘଟଣା ସମୟରେ ଘଟଣାସ୍ଥଳକୁ ଯିବାକୁ ସେମାନେ ଚାରିଚକିଆ ଖୋଜୁଛନ୍ତି । ଥାନା ଗାଡ଼ି କିମ୍ବା ପିସିଆର ପାଟ୍ରୋଲିଂ ଭ୍ୟାନ୍‌ ନ ମିଳିଲେ ଘୁଞ୍ଚୁନାହାନ୍ତି ।

ରାଉରକେଲା ପୋଲିସ୍‌ ଜିଲ୍ଲାରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯାହା ପୋଲିସର କାର୍ଯ୍ୟଦକ୍ଷତା କମାଉଛି ବୋଲି ଅଭିଯୋଗ ହେଉଛି । ରାଉରକେଲା ପୋଲିସ୍‌ ଜିଲ୍ଲାରେ ୨୪ ଥାନା ଏବଂ ୪ ଫାଣ୍ଡି । ପୋଲିସ୍‌-ଜନତା ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାକୁ ଏଠି ଅନେକ ଯୋଜନା । ଘନଘନ ବୈଠକ । ଲୋକଙ୍କୁ ତ୍ୱରିତ ସେବା ଯୋଗାଇଦେବା, ଧନଜୀବନକୁ ସୁରକ୍ଷା ଦେବାକୁ ଦିଆଯାଉଛି ଗୁରୁତ୍ୱ । ଛୋଟମୋଟ ଚୋରି ହେଉ କି ବଡ଼ ଅପରାଧ ତଦନ୍ତ ପ୍ରକ୍ରିୟା ଜୋରଦାର କରିବା ଉପରେ ଫୋକସ୍‌ କରୁଛନ୍ତି ବିଭାଗୀୟ ମୁଖିଆ । ରାଜ୍ୟ ସରକାର ପୋଲିସ୍‌ ବିଭାଗକୁ ସକ୍ରିୟ କରିବାକୁ ଆଉ ଏକ ପାଦ ଆଗକୁ ଯାଇ ପ୍ରତି ଥାନାକୁ ଯୋଗାଇ ଦେଇଛନ୍ତି ସ୍କର୍ପିଓ, ବୁଲେଟ, ବାଇକ୍‌ ଓ ସ୍କୁଟର । ଏହି କ୍ରମରେ ରାଉରକେଲା ପୋଲିସ୍‌ ଜିଲ୍ଲାକୁ ମିଳିଛି ୧୪୫ଟି ଦୁଇଚକିଆ ଗାଡ଼ି । ଇନ୍ସପେକ୍ଟର ପାହ୍ୟାର ଅଫିସର ବୁଲେଟ, ଥାନାର ଏସ୍‌ଆଇ ଓ ଏଏସ୍‌ଆଇ ପାହ୍ୟାର ଅଫିସରଙ୍କ ସଂଖ୍ୟା ଅନୁଯାୟୀ ବାଇକ୍‌ ଓ ସ୍କୁଟର ଦିଆଯାଇଛି ।

 ପୋଲିସ୍‌ ବିଭାଗରେ ତୁଳନାତ୍ମକ ଦୃଷ୍ଟିରୁ ସ୍କର୍ପିଓ ଭଳି ଚାରିଚକିଆ ଗାଡ଼ି ସଂଖ୍ୟା କମ୍‌ । ତଦନ୍ତରେ ଏହା ବ୍ୟବହାର ହେଲେ, ଥାନାରେ ଗାଡ଼ି ଅଭାବ ଲାଗି ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇଚିକିଆ ଗାଡ଼ି ସୁବିଧା କରିଛନ୍ତି । ସମାନ ସମୟରେ ଥାନାଞ୍ଚଳରେ ଏକାଧିକ ଦୁର୍ଘଟଣା କିମ୍ବା ଅପରାଧ ଘଟିଲେ, ଦୁଇଚକିଆରେ ଯାଇ ଅଧିକାରୀମାନେ ସୁବିଧାରେ ଯେପରି ତଦନ୍ତ କରିପାରିବେ ସେ ନେଇ ବ୍ୟବସ୍ଥା ଅଛି । ହେଲେ ବିଭାଗୀୟ ଅଧିକାରୀଙ୍କ ମାନସିକତା ବଦଳୁନି । ଅଧିକାଂଶ କ୍ଷେତ୍ରରେ ତଦନ୍ତକାରୀ ଅଫିସର ବାଇକ୍‌ ଓ ସ୍କୁଟି ବ୍ୟବହାର କରୁନାହାନ୍ତି । ଦୁଇଚକିଆରେ କେହି ପାଟ୍ରୋଲିଂ କରିବାକୁ ଚାହୁଁନାହାନ୍ତି । ଥାନାଗାଡ଼ି କିମ୍ବା ପିସିଆର୍‌ ଭ୍ୟାନ୍‌ ହିଁ ପାଟ୍ରୋଲିଂ କରୁଛି । ଫଳରେ ସହରାଞ୍ଚଳର ସବୁ ଗଳିକନ୍ଦି ଉପରେ ନଜର ରଖିବା ସମ୍ଭବ ହେଉନାହିଁ ।

ଡିସିଓଙ୍କ ବ୍ୟତୀତ ଥାନାର ଅନ୍ୟ ଅଫିସରମାନେ ଦୁଇଚିକିଆରେ ପାଟ୍ରୋଲିଂ କଲେ ସମ୍ପୃକ୍ତ ଥାନାଞ୍ଚଳ ସୁରକ୍ଷା ବ୍ୟବସ୍ଥା ମଜଭୁତ୍‌ ହୁଅନ୍ତା । ହେଲେ ସେପରି ହେଉନାହିଁ । ନାମକୁ ମାତ୍ର ଚାରିଚକିଆରେ ପାଟ୍ରୋଲିଂ କରି ଦାୟିତ୍ୱ ସାରି ଦେଉଛନ୍ତି । ଏପଟେ ଥାନାରେ ପଡ଼ି ରହୁଥିବା ଦୁଇଚକିଆ ଗାଡ଼ି ବ୍ୟବହାରରେ ଆସୁନାହିଁ । କେହି କେହି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ସରକାର ମାସିକ ଦୁଇଚକିଆ ପାଇଁ ୨୫ ଲିଟର ପେଟ୍ରୋଲ ଯୋଗାଇ ଦିଆଯାଉ ଥିବାବେଳେ ସେସବୁ କୁଆଡ଼େ ଯାଉଛି³ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ କହିଛନ୍ତି, ବାଇକ୍‌-ସ୍କୁଟି କେବଳ ତଦନ୍ତକାରୀ ଅଫିସରଙ୍କୁ ପ୍ରଦାନ କରାଯାଇଛି । ଗୋଟିଏ ମାମଲାର ତଦନ୍ତ ଲାଗି ଯେଉଁସବୁ ପ୍ରକ୍ରିୟା ରହିଛି, ତାହାକୁ ସମାପନ କରିବାକୁ ସେମାନେ ବାଇକ୍‌-ସ୍କୁଟି ବ୍ୟବହାର କରବି । ଉଦ୍ଦେଶ୍ୟରେ ସରକାର ଗାଡ଼ି ଯୋଗାଇଛନ୍ତି । ତଦନ୍ତକାରୀ ଅଫିସରମାନେ ନିଜ ମାମଲାର ତଦନ୍ତ କାମରେ ବ୍ୟବହାର କରୁଛନ୍ତି । କୌଣସି ଜାଗାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ, ତୁରନ୍ତ ସେଠାରେ ପହଞ୍ଚିବାରେ ସହାୟକ ହେଉଛି ଦୁଇ ଚକିଆ । ତଦନ୍ତକାରୀ ଅଫିସର ମାମଲାର ତଦନ୍ତ ପାଇଁ ଦୁଇ ଚକିଆ ବ୍ୟବହାର କରୁଥିବା ସମ୍ପର୍କିତ ରିପୋର୍ଟ ଇନ୍ସପେକ୍ଟରଙ୍କ ଜରିଆରେ ପୁଲିସ୍‌ ମୁଖ୍ୟାଳୟକୁ ଆସୁଛି । ବିଶେଷ ଭାବେ ସମନ ବଣ୍ଟନ କାର୍ଯ୍ୟରେ ଏହି ଦୁଇ ଚକିଆ ଯାନ ଅନେକ ସହାୟକ ହୋଇଥିଲା ।