ଭାବନ୍ତୁ ତ… ଆପଣ ଏକ ସହରର ରାସ୍ତାରେ ଚାଲୁଛନ୍ତି, ଆଉ ହଠାତ୍ ଲାଗୁଛି—କେହି ଆପଣଙ୍କୁ ଉପରୁ ଅନାଇ ରହିଛି! ଆପଣ ଯେଉଁଆଡ଼େ ଯାଉଛନ୍ତି, ଘରର ଛାତ ଉପରେ ଥିବା ଅସଂଖ୍ୟ ‘ଆଖି’ ଯେମିତି ଆପଣଙ୍କୁ ଦେଖୁଛି। ଏହା କୌଣସି ହରର ଫିଲ୍ମର ଦୃଶ୍ୟ ନୁହେଁ… ଏହା ହେଉଛି ରୋମାନିଆର ସିବିୟୁ ସହର… ଯାହା ନିଜର ଅଜବ ଓ ଆକର୍ଷଣୀୟ ସ୍ଥାପତ୍ୟ ପାଇଁ ସାରା ବିଶ୍ୱରେ ପରିଚିତ। ଏହି କାରଣରୁ ସିବିୟୁକୁ କୁହାଯାଏ ଦି ସିଟି ୱିଥ୍ ଆଇଜ୍ ଅର୍ଥାତ୍ ‘ଆଖି ଥିବା ସହର’! ଏବେ ପ୍ରଶ୍ନ ହେଉଛି… ଘରର ଛାତ ଉପରେ ଏମିତି ଆଖି କାହିଁକି ?

ଅସଲ କଥା ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ। ଏଗୁଡ଼ିକ ପ୍ରକୃତରେ ଆଖି ନୁହେଁ ବରଂ ଘରର ଛାତ ଉପରେ ତିଆରି ହୋଇଥିବା ଭେଣ୍ଟିଲେସନ ୱିଣ୍ଡୋ ବା ବାୟୁ ଚଳାଚଳ ପାଇଁ ଝରକା। ଏହାର ଅଜବ ଆକୃତି ଓ ବଙ୍କା ରେଖା ଏମିତି ଭାବେ ତିଆରି ହୋଇଛି ଯେ, ଦୂରରୁ ଦେଖିଲେ ଅଧାଖୋଲା ମଣିଷ ଆଖି ଭଳି ଲାଗେ।

ଶତାବ୍ଦୀ ପୂର୍ବେ ଟ୍ରାନ୍ସିଲଭାନିଆର ସାକ୍ସନ୍ କାରିଗରମାନେ ଏହି ଅନନ୍ୟ ସ୍ଥାପତ୍ୟ ଶୈଳୀକୁ ବିକଶିତ କରିଥିଲେ। ଘରର ଆଟୁରେ ଶସ୍ୟ, ମାଂସ, ପନିର ଭଳି ଖାଦ୍ୟ ସାମଗ୍ରୀ ରଖାଯାଉଥିଲା। ତେଣୁ ଆର୍ଦ୍ରତା ବାହାର କରିବା ଓ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ଦରକାର ଥିଲା ଭଲ ବାୟୁ ଚଳାଚଳ। ଆଉ ସେହି ଆବଶ୍ୟକତାରୁ ତିଆରି ହୋଇଥିଲା ଏହି ‘ଆଖି’ ଭଳି ଝରକା। ହେଲେ ଏହି ଆଖି କେବଳ ସ୍ଥାପତ୍ୟର କାହାଣୀ ନୁହେଁ… ଏହା ସହ ଜଡ଼ିତ ଅଛି ରୋମାନିଆର ରାଜନୈତିକ ଇତିହାସ ମଧ୍ୟ।

ଏକଛତ୍ରବାଦୀ ଶାସନ ସମୟରେ ଅନେକ ଲୋକଙ୍କ ମନରେ ଧାରଣା ହୋଇଥିଲା ଏହି ଝରକା ପଛରେ କାହାର ଆଖି ଲୁଚି ରହିଛି କି? କେହି କି ସେମାନଙ୍କ ଉପରେ ନଜର ରଖୁଛି? ଏମିତି ଭୟ ଓ ସନ୍ଦେହ ଏହି ‘ଆଖି’କୁ ଏକ ଭିନ୍ନ ପ୍ରତୀକରେ ପରିଣତ କରିଥିଲା। ପରେ ୨୦୧୭ର ଦୁର୍ନୀତିବିରୋଧୀ ଆନ୍ଦୋଳନ ସମୟରେ ମଧ୍ୟ ଏହି ‘ଆଖି’ ପ୍ରତିବାଦର ପ୍ରତୀକ ହୋଇଥିଲା। ଆଜି କିନ୍ତୁ ଏହି ‘ଆଖି’ କାହାକୁ ଭୟଭୀତ କରୁନାହିଁ… ବରଂ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଛାତ ଉପରେ ଥିବା ଏହି ଅଦ୍ଭୁତ ଝରକା, ପୁରୁଣା ଗଳି ଓ ଐତିହାସିକ ସ୍ଥାପତ୍ୟ ହିଁ ଆଜି ସିବିୟୁର ବଡ଼ ପରିଚୟ। ଆଜି ଏହି ସହର ୟୁନୋସ୍କଏା ଐତିହ୍ୟ ସ୍ଥଳ ଏବଂ ବିଶ୍ବ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ପାଲଟିଛି ।