ଭୁବନେଶ୍ବର ୦୧/୧୦: ଓଡ଼ିଶାରେ ନିର୍ଦ୍ଧୁମ ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ ଡିସେମ୍ବର ଯାଏ ପ୍ରାୟ ରାଜ୍ୟରେ ବର୍ଷା ନାହିଁ । କିନ୍ତୁ ଲଗାତାର ବର୍ଷା ଯୋଗୁ ରାସ୍ତାଘାଟ ଯେପରି ଭାବରେ କ୍ଷତିଗ୍ରସ୍ତ ହୋଇଛି ସେସବୁ ମରାମତି ଅତ୍ୟନ୍ତ ଜରୁରୀ । ଏବେ ବର୍ଷା ଛାଡିଯାଇଥିବାରୁ ରାସ୍ତାଘାଟକୁ ସୁଧାରିବା କାମ ଜୋରଦାର ଆରମ୍ଭ ହେଉଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦୁର୍ଗାପୂଜା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦୁର୍ଗପୂଜା ୧୬ ତାରିଖରେ ଆରମ୍ଭ ହେଉଥିବାରୁ ତା ପୂର୍ବରୁ ଖାଲଖମା ରାସ୍ତା ଚକାଚକ ହୋଇଯିବାର ପ୍ରତିଶୃତି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବର୍ଷା ସମୟରେ କାମ କରିବାରେ ସମସ୍ୟା ଥିବାରୁ ମରାମତି କାର୍ଯ୍ୟ ପ୍ରଭାବିତ ହୋଇଥିଲା। ତେବେ ବର୍ଷାର ପ୍ରଭାବ କମିବା ପରେ ଏବେ ରାସ୍ତା ମରାମତି କାମକୁ ତ୍ୱରାନ୍ୱିତ କରାଯାଉଛି। ସେହିପରି ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ । ରାସ୍ତା ସହିତ ସହରର ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସ୍ଥାନରେ ଜଳ ଜମୁଛି ସେଗୁଡ଼ିକୁ ଚିହ୍ନଟ କରି ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପୂଜା ସମୟରେ ଲୋକମାନେ ଯେପରି ଭଲ ରାସ୍ତା ଓ ଯାତାୟାତ ସୁବିଧା ପାଇପାରିବେ, ସେଥିପାଇଁ ସମସ୍ତ କାମକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।