କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ରେ ହାଇଡ୍ରାମା ଜାରି ରହିଛି । ଶୁକ୍ରବାର ବିଦ୍ରୋହୀ ଋତବ୍ରତ ବାନାର୍ଜୀ ଗୋଷ୍ଠୀ କୋଲକାତାରେ ଥିବା ଟିଏମସି ମୁଖ୍ୟାଳୟ କବଜା କରିଛି । ମମତା ବାନାର୍ଜୀଙ୍କ ହାତରୁ ଦଳୀୟ କାର୍ଯ୍ୟାଳୟ ଚାଲିଯାଇଛି । ଗୁରୁବାର ଋତବ୍ରତ ଦଳୀୟ ଚିହ୍ନ ଏବଂ ନାଁ ନିଜର ବୋଲି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିବା ପରେ ଆଜି ଟିଏମସି ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି । ଋତବ୍ରତଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀ ହଠାତ୍ କୋଲକାତାସ୍ଥିତ ଟିଏମସି (TMC) ର ପ୍ରମୁଖ କାର୍ଯ୍ୟାଳୟକୁ ନିଜ ଅଧୀନକୁ ନେଇଛନ୍ତି। ଏହି ପଦକ୍ଷେପ ଦଳର ସର୍ବୋଚ୍ଚ ନେତୃତ୍ୱ ବିଶେଷ କରି ମମତା ବାନାର୍ଜୀଙ୍କ କ୍ଷମତା ପ୍ରତି ଏକ ସିଧାସଳଖ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

ଦୀର୍ଘ ଦିନ ଧରି ଦଳ ମଧ୍ୟରେ କ୍ଷମତା ଏବଂ ସାଂଗଠନିକ ନିଷ୍ପତ୍ତିକୁ ନେଇ ମତାନ୍ତର ଚାଲିଥିଲା ।  ଟିଏମସିରେ ଦୁଇଟି ଗୋଷ୍ଠୀ ରହିଥିବା ବେଳେ ଜୋରଦାର ଛକାପଞ୍ଝା ଜାରି ରହିଛି । ବିଦ୍ରୋହୀ ଋତବ୍ରତଙ୍କ ନେତୃତ୍ବାଧୀନ ଗୋଷ୍ଠୀ ସାଂଗଠନିକ ପରିବର୍ତ୍ତନ ଓ ନିଜର ଦାବି ହାସଲ ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ସେମାନେ ଦଳୀୟ କାର୍ଯ୍ୟାଳୟ ଉପରେ ନିୟନ୍ତ୍ରଣ ହାସଲ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ମୁଖ୍ୟ କାର୍ଯ୍ୟାଳୟ ହାତରୁ ଯିବା ପରେ ମମତା ବାନାର୍ଜୀଙ୍କ କ୍ୟାମ୍ପ ମଧ୍ୟ ସକ୍ରିୟ ହୋଇଉଠିଛି। ଏହି ବିଦ୍ରୋହୀ ଗୋଷ୍ଠୀ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। କାର୍ଯ୍ୟାଳୟ ପରିସରରେ ଏବଂ ଆଖପାଖ ଅଞ୍ଚଳରେ ଦୁଇ ଗୋଷ୍ଠୀର ସମର୍ଥକମାନେ ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ କାର୍ଯ୍ୟାଳୟ କବଜା କରିବା ପରେ ସେଠାରେ ବିଦ୍ରୋହୀ ଗୋଷ୍ଠୀର ନେତାମାନେ ବୈଠକ କରିଛନ୍ତି । 

ଅନ୍ୟପଟେ କିଏ ପ୍ରକୃତ ଟିଏମସି, ଋତବ୍ରତ ନା ମମତାଙ୍କ ଗୋଷ୍ଠୀ ସେନଇେ ଫଇସଲା ହେବାକୁ ଯାଉଛି । ଏହି ମାମଲାରେ ଭାରତୀୟ ନିର୍ବାଚନ ଆୟୋଗ ଉଭୟ ଗୋଷ୍ଠୀଙ୍କୁ ନୋଟିସ ପଠାଇଛନ୍ତି । ଦୁଇ ଗୋଷ୍ଠୀ ସୋମବାର ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ଜବାବ ଦେବେ । ନିର୍ବାଚନ କମିଶନ ଉଭୟ ଗୋଷ୍ଠୀକୁ ନିଜ ନିଜର ପକ୍ଷ ରଖିବା ପାଇଁ କହିଛନ୍ତି। କମିଶନ ଏହି ମାମଲାରେ ଆସନ୍ତା ସୋମବାର ସୁଦ୍ଧା ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ପକ୍ଷରୁ ମିଳିବାକୁ ଥିବା ଉତ୍ତର ଆଧାରରେ ହିଁ ନିର୍ବାଚନ କମିଶନ ସ୍ଥିର କରିବେ ଯେ, ପ୍ରକୃତରେ କେଉଁ ଗୋଷ୍ଠୀ ହେଉଛି ‘ଅସଲି ଟିଏମ୍‌ସି’।