କୋଲକାତା: ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୂଳରୁ ନୂଆ ରୂପରେ ତଦନ୍ତ ଆରମ୍ଭ ହେବ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ଏହି ଘୋଷଣା କରିଛନ୍ତି । ୨୦୨୪ରେ ଘଟିଥିବା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସରକାର ଏହି ନିଷ୍ପତ୍ତି ମୃତ ଡାକ୍ତରଙ୍କ ମାଆଙ୍କ ଅନୁରୋଧ କ୍ରମେ ନେଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, "ରତ୍ନା ଦେବନାଥ ମୋତେ ଚିଠି ଲେଖି ନୂତନ ଭାବେ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବ ଏବଂ ବିଶେଷଜ୍ଞଙ୍କ ଏକ ଟିମ୍ ସହିତ ସମ୍ପୂର୍ଣ୍ଣ ଆଲୋଚନା ପରେ, ମୁଁ ସ୍ପେଶାଲ କମିଶନ ଆକ୍ଟ, ୧୯୫୨ ଅଧୀନରେ ନୂଆ ତଦନ୍ତ ଘୋଷଣା କରୁଛି ।" ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ପୋଲିସ ଏହି ମାମଲାରେ ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି । ସେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାରରେ ହୋଇଥିବା କଥିତ ତ୍ରୁଟିର ମଧ୍ୟ ସ୍ୱତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ଭଳି ନୃଶଂସ ଘଟଣା ପରେ ସୁପ୍ରିମକୋର୍ଟ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିମଧ୍ୟରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ମୁତୟନ ମଧ୍ୟ ସାମିଲ ଥିଲା । ସିଆଲଦା ସେସନ୍ସ କୋର୍ଟ ଏହି ମାମଲାରେ ସଞ୍ଜୟ ରୟ ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କିନ୍ତୁ ମହିଳା ଡାକ୍ତରଙ୍କ ବାପାମାଆ ଏବଂ ସହକର୍ମୀମାନେ ଦାବି କରିଛନ୍ତି ଯେ ଏହି ଅପରାଧରେ ଅନ୍ୟମାନେ ମଧ୍ୟ ସାମିଲ ଥିଲେ । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହି ମାମଲାରେ ତଦନ୍ତ କରୁଛି ।