କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ ଅଗ୍ରୱାଲ ବୁଧବାର କହିଛନ୍ତି ଯେ ଯେଉଁସବୁ ମତଦାନ କେନ୍ଦ୍ରମାନଙ୍କରେ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ) ଟାମ୍ପରିଂ ହୋଇଥିବା ଜଣାପଡିବ, ସେଠାରେ ଦ୍ୱିତୀୟବାର ମତଦାନ ଘୋଷଣାର ସମ୍ଭାବନା ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଇଭିଏମରେ ଟେପ୍ ଅଥବା ସ୍ୟାହୀ ସହ ଯଦି କୌଣସି ପ୍ରକାରର ଅନିୟମିତତାର ଅଭିଯୋଗ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ବା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ମିଳେ ସେ କ୍ଷେତ୍ରରେ ସାନି ମତଦାନ ଆଦେଶ ଜାରି ହେବ।

ସିଇଓ ଅଗ୍ରୱାଲଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଜେପି ଅଭିଯୋଗ କରିଛି ଯେ ଆଜି ଦ୍ୱିତୀୟ ଓ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ କାଳରେ କେତେକ ମତଦାନ କେନ୍ଦ୍ରରେ ଦଳର ନିର୍ବାଚନ ଚିହ୍ନକୁ ଟେପ୍ ରେ ଢାଙ୍କି ଦିଆଯାଇଛି ଅଥବା କାଳି ଲଗାଇ ଦିଆଯାଇଛି। ବିଜେପି ସୂଚନା ଓ ପ୍ରଯୁକ୍ତି ପ୍ରକୋଷ୍ଠ ପ୍ରମୁଖ ଅମିତ ମାଲବ୍ୟ ଏ ନେଇ ଏକ୍ସ ରେ ଏକ ଭିଡିଓ ସେୟାର କରିଛନ୍ତି। ସେ ଦାବି କରିଛନ୍ତି ଯେ ଫାଲ୍ଟା ବିଧାନସଭା ନିର୍ବାଚନମଣ୍ଡଳିର ମତଦାନ କେନ୍ଦ୍ର ସଂଖ୍ୟା ୧୪୪ ଓ ୧୮୯ରେ ପାର୍ଟି ନିର୍ବାଚନ ସଂକେତ ଉପରେ ଧଳା ଟେପ୍ ଲଗାଇ ଦିଆଯାଇଥିଲା।

ମାଲବ୍ୟ ଏହି ଦୁଇ ମତଦାନ କେନ୍ଦ୍ରରେ ପୁନଃ ଭୋଟ ଗ୍ରହଣ ପାଇଁ ଦାବି କରିଛନ୍ତି। ତେବେ ନିର୍ବାଚନ ଆୟୋଗ ବିଜେପି ନେତାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓର ପ୍ରାମାଣିକତା ଏ ପର୍ଯ୍ୟନ୍ତ ପୁଷ୍ଟି କରି ନାହାନ୍ତି। ତେବେ କହିଛନ୍ତି ତୃଣମୂଳ ସ୍ତରରୁ ପ୍ରାପ୍ତ ରିପୋର୍ଟର ଯାଞ୍ଚ କରାଯାଉଛି। ଅନ୍ୟପଟେ ସିଇଓ ଅଗ୍ରୱାଲ କହିଛନ୍ତି ଯେ ଆମେ ଇଭିଏମରେ କଳା ଅଥବା ଧଳା ଟେପ୍ ଲଗାଯାଇଥିବା ନେଇ ସମ୍ବଦ୍ଧିତ ଅଭିଯୋଗରୁ ସମୀକ୍ଷା କରିବୁ। ତା ପରେ ସେଠାରେ ସାନି ଭୋଟ ହେବ କି ନ ହେବ ତାହା ବିଚାର କରାଯିବ।

ତେବେ ସେ ସଂକେତ ଦେଇଛନ୍ତି ଯେ ଯଦି ଏହି ସମସ୍ୟା ବ୍ୟାପକ ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନର ପରିସର ବଢିପାରେ। ସିଇଓ କହିଛନ୍ତି ଯେ ଯଦି କୌଣସି ବିଧାନସଭା ନିର୍ବାଚନମଣ୍ଡଳିର ବହୁ ସଂଖ୍ୟାରେ ଭୋଟ ଗ୍ରହଣ କେନ୍ଦ୍ରର ଇଭିଏମରେ ଟେପ୍ ଲାଗିଥିବାର ଘଟଣା ସାମ୍ନାକୁ ଆସେ ତେବେ ସମଗ୍ର କ୍ଷେତ୍ରରେ ସାନି ଭୋଟ ହୋଇପାରେ। ଇତି ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ବିଭିନ୍ନ ପ୍ରକାରର ମୋଟ ୨,୧୯୬ଟି ଅଭିଯୋଗ ମିଳିଛି।

Also Read..କାଁଭାଁ ହିଂସାକାଣ୍ଡ, ଗଣ୍ଡଗୋଳ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି