ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲମିଟେଡର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ କରିଦେଇଛନ୍ତି। ଏହା ସହିତ ଏପ୍ରିଲ ୨୪ ତାରିଖରୁ ଏକ ବ୍ୟାଙ୍କ ଭାବେ ଏହାର ପରିଚାଳନା ବନ୍ଦ ହୋଇଯାଇଛି। ଆରବିଆଇ ତାଙ୍କ ଆଦେଶରେ କହିଛନ୍ତି ଯେ ‘ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ରେଗୁଲେସନ ଅଧିନିୟମ ୧୯୪୯ର ଧାରା ୨୨(୪) ଅନୁସାରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡକୁ ଜାରି କରାଯାଇଥିବା ବ୍ୟାଙ୍କିଙ୍ଗ ଲାଇସେନ୍ସ ୨୪ ଏପ୍ରିଲ ୨୦୨୬ ବ୍ୟବସାୟ ବନ୍ଦ ହେବା ସମୟ ଠାରୁ ରଦ୍ଦ କରିଦିଆଯାଇଛି’।

ଏହାର ଅର୍ଥ ହେଉଛି ବ୍ୟାଙ୍କ ଏବେ ଆଇନରେ ପରିଭାଷିତ କୌଣସି ବ୍ୟାଙ୍କିଙ୍ଗ ଗତିବିଦ୍ଧି ଓ ଏହା ସମ୍ପର୍କିତ କୌଣସି ଅନ୍ୟ ବ୍ୟବସାୟକୁ ତତ୍କାଳ ପ୍ରଭାବ ସଞ୍ଚାଳିତ କରିପାରିବନି। ଏଣୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡକୁ କୌଣସି ପ୍ରକାରର ବ୍ୟବସାୟକୁ ତତ୍କାଳ ପ୍ରଭାବ ସଞ୍ଚାଳିତ କରିବାରେ କଟକଣା ଲଗା ଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏବେ ବ୍ୟାଙ୍କକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଉଚ୍ଚନ୍ୟାୟାଳୟଙ୍କୁ ମୁହାଁଇବେ। ଆରବିଆଇ ଏହା ବି କହିଛନ୍ତି ଯେ ପ୍ରକ୍ରିୟା ଆରମ୍ଭ ହେବା ପରେ ନିଜର ସବୁ ଜମାକର୍ତ୍ତାଙ୍କୁ ପୈଠ କରିବା ପାଇଁ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ରାଶି ରହିଛି। ଅର୍ଥାତ ପେଟିଏମ ପେମେଣ୍ଟ ବ୍ୟାଙ୍କ ନିକଟରେ ବ୍ୟାଙ୍କ ବନ୍ଦ ହେବା ଯୋଗୁ ନିଜର ବାକି ଉଧାର ଚୁକ୍ତା କରିବା ପାଇଁ ପର୍ଯ୍ୟାପ୍ତ ନଗଦ ରଖିଛନ୍ତି।

କାହିଁକି ଲାଇସେନ୍ସ ରଦ୍ଦ କଲେ ଆରବିଆଇ?
ଆରବିଆଇ ଲାଇସେନ୍ସ ରଦ୍ଦ କରିବାର ଯେଉଁସବୁ କାରଣ କହିଛନ୍ତି ସେଥିରେ ପ୍ରଥମ କାରଣଟି ହେଲା ବ୍ୟାଙ୍କର ସଞ୍ଚାଳନ ଏପରି କରାଯାଉଥିଲା ଯାହା ଦ୍ୱାରା ନିଜ ହୀତ ସହିତ ଏହାର ଜମାକର୍ତ୍ତାଙ୍କ ହୀତ ମଧ୍ୟ କ୍ଷତିରେ ପଡିଥିଲା। ଏହି କାରଣରୁ ବ୍ୟାଙ୍କିଙ୍ଗ ରେଗୁଲେସନ ଅଧିନିୟମ ଧାରା ୨୨(୩)(ବି)ର ପାଳନ ହେଲା ନାହିଁ। ସେହିପରି ଦ୍ୱିତୀୟ କାରଣଟି ହେଲା ବ୍ୟାଙ୍କ ମ୍ୟାନେଜମେଣ୍ଟର ଆଚରଣ ଜମାକର୍ତ୍ତା ଓ ଜନତାଙ୍କ ହୀତ ବିରୋଧୀ ଥିଲା। ଏଣୁ ବ୍ୟାଙ୍କିଙ୍ଗ ରେଗୁଲେସନ ଅଧିନିୟମର ଧାରା ୨୨(୩)(ସି)ର ଉଲ୍ଲଂଘନ ହୋଇଛି।

ସେହିପରି ବ୍ୟାଙ୍କକୁ ପରିଚାଳନ ଜାରି ରଖିବାକୁ ଅନୁମତି ଦିଆଗଲେ ବ୍ୟାଙ୍ଗିଙ୍ଗ ରେଗୁଲେସନ ଧାରା ୨୨(୩) (ଇ)ରେ ଉଲ୍ଲେଖିତ କୌଣସି ଉପଯୋଗୀ ଉଦ୍ଦେଶ୍ୟ ଅଥବା ସାର୍ବଜନିକ ହୀତର ପୂର୍ତ୍ତି ହେଉ ନାହିଁ। ଅନ୍ୟପକ୍ଷରେ ବ୍ୟାଙ୍କ ନିଜର ପୈଠ ବ୍ୟାଙ୍କ ଲାଇସେନ୍ସ ଅନୁସାରେ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁନଥିଲା। ଏଣୁ ସେ ବ୍ୟାଙ୍କିଙ୍ଗ ରେଗୁଲେସନ ଅଧିନିୟମ ଧାରା ୨୨(୩) (ଜି)ର ଉଲ୍ଲଂଘନ କରୁଥିଲା। ଏହି ପଦକ୍ଷେପ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣା ପରେ ନିଆଯାଇଛି। ୧୧ ମାର୍ଚ୍ଚ ୨୦୨୨ରେ ବ୍ୟାଙ୍କକୁ ନୂଆ ଗ୍ରାହକ ନ ଯୋଡିବାକୁ କୁହାଯାଇଥିଲା। ଏହା ପରେ ୩୧ ଜାନୁୟାରୀ ୨୦୨୪ ଓ ୧୬ ଫେବୃଆରୀ ୨୦୨୪ରେ ଆରବିଆଇ ଗ୍ରାହକ ଆକାଉଣ୍ଟ, ପ୍ରିପେଡ ଇନଷ୍ଟ୍ରୁମେଣ୍ଟସ୍ ଓ ୱାଲେଟରେ କୌଣସି ପ୍ରକାରର ନୂଆଜମା, କ୍ରେଡିଟ ଅଥବା ଟପଅପ୍ ଉପରେ ରୋକ ଲଗାଇ ଦେଇଥିଲେ।