ରାୟଗଡ଼ା: ଗ୍ରାମାଞ୍ଚଳରେ ହେଉନାହିଁ ବିକାଶମୂଳକ କାର୍ଯ୍ୟ... ପୁଣି ଶାସକ ଦଳର ନେତାଙ୍କୁ ହାତବାରିଶି ବଣ୍ଟାଯାଉଛି କାର୍ଯ୍ୟାଦେଶ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣି ରାୟଗଡ଼ା ସଦର ବିଡିଓ ସୁଜିତ୍ କୁମାର ମିଶ୍ରଙ୍କୁ ଘେରିଲେ ନିର୍ବାଚିତ ପ୍ରତିନିଧି। ଗୁରୁବାର ରାୟଗଡ଼ା ବ୍ଲକ ଚେୟାରମ୍ୟାନ୍ ଟୁନି ହୁଇକା ଓ ଭାଇସ୍ ଚେୟାରମ୍ୟାନ୍ ହରପ୍ରସାଦ ହେପ୍ରୁକାଙ୍କ ସମେତ ୨୦ ଜଣ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାୟ ୨ ଘଣ୍ଟା ଧରି ବିଡିଓଙ୍କୁ ଘେରାଉ କରିଥିଲେ।

ସେମାନେ ଅଭିଯୋଗ ଆଣିଛନ୍ତି, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାୟଗଡ଼ା ସଦର ବ୍ଲକକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ହେଲେ ସେସବୁ ଅନୁଦାନକୁ ବ୍ଲକ ଅଧକ୍ଷ୍ୟା କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ବିନା ପରାମର୍ଶରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ବିଜେପି ଦଳର ନେତାମାନଙ୍କୁ ସୁହାଇଲା ପରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିବାବେଳେ ସ୍ଥାନୀୟ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ନିର୍ବାଚିତ ପ୍ରତିନିଧି।

ତେବେ ଦୀର୍ଘ ଘଣ୍ଟା ନିର୍ବାଚିତ ପ୍ରତିନିଧିଙ୍କ ପ୍ରଶ୍ନବାଣର ଶିକାର ହୋଇ ବିଡିଓ ସୁଜିତ୍ କୁମାର ମିଶ୍ର କାର୍ଯ୍ୟାଳୟରୁ ଚାଲିଯାଇଥିଲେ।ସେପଟେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥିବା କାର୍ଯ୍ୟ ଖସଡ଼ା ତୁରନ୍ତ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ନିର୍ବାଚିତ ପ୍ରତିନିଧିମାନେ କହିଛନ୍ତି। ଅନ୍ୟପଟେ ଘଟଣାର ଅନୁଧ୍ୟାନ କରାଯିବ ବୋଲି ରାୟଗଡ଼ା ବିଡିଓ ସୂଚନା ଦେଇଛନ୍ତି।